Latest Odisha News

BREAKING NEWS

Independence Day 2026: ଲାଲକିଲ୍ଲାରେ ପ୍ରଥମ ଥର ଗୁଞ୍ଜରିତ ହେବ ‘ବନ୍ଦେ ମାତରମ୍’, Gen-Zଙ୍କୁ ବିଶେଷ ନିମନ୍ତ୍ରଣ

ନୂଆଦିଲ୍ଲୀ: ୨୦୨୬ ଅଗଷ୍ଟ ୧୫ରେ ଭାରତ ପାଳନ କରିବ ୮୦ତମ ସ୍ୱାଧୀନତା ଦିବସ। ଚଳିତବର୍ଷ ଦିଲ୍ଲୀର ଲାଲକିଲ୍ଲାରେ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ରହିବ। ପ୍ରଥମଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ଗୁଞ୍ଜରିତ ହେବ ଦେଶର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’। ୨୦୨୬ରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂରଣ ହେଉଥିବାରୁ ଏହି ଅବସରରେ ଏହାକୁ ବିଶେଷ ସମ୍ମାନ ଦିଆଯିବ। ସ୍ୱାଧୀନତା ଆନ୍ଦୋଳନ ସମୟରେ ‘ବନ୍ଦେ ମାତରମ୍’ ଲୋକଙ୍କ ମଧ୍ୟରେ ଦେଶପ୍ରେମ ଓ ସ୍ୱାଧୀନତାର ଭାବନା ଜାଗ୍ରତ କରିବାରେ ବଡ଼ ଭୂମିକା ନେଇଥିଲା।

ଚଳିତବର୍ଷ ସ୍ୱାଧୀନତା ଦିବସ ସମାରୋହରେ ଦେଶର ଯୁବପିଢ଼ିଙ୍କୁ ବିଶେଷ ସ୍ଥାନ ଦିଆଯାଇଛି। Gen-Z ସମେତ ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଯୁବକ-ଯୁବତୀଙ୍କୁ ଲାଲକିଲ୍ଲା ସମାରୋହକୁ ନିମନ୍ତ୍ରଣ କରାଯାଇଛି। ୨୦୨୬ର ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଓ ମ୍ୟାଥମେଟିକ୍ସ ଅଲିମ୍ପିଆଡ୍‌ରେ ପଦକ ଜିତିଥିବା ୧୯ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ସମାରୋହରେ ସାମିଲ କରାଯିବ। ସେମାନଙ୍କୁ ଲାଲକିଲ୍ଲାର ପ୍ରାଚୀର ଉପରେ ବସିବାର ସୁଯୋଗ ମିଳିବ।

ଅଗଷ୍ଟ ୧୫ରେ ବର୍ଷାର ସମ୍ଭାବନାକୁ ନଜରରେ ରଖି ଅତିଥିମାନଙ୍କ ପାଇଁ ରେନ୍ ପୋଞ୍ଚୋ ବ୍ୟବସ୍ଥା କରାଯାଇଛି। ମାଧବ ଦାସ ପାର୍କ ଓ ୧୫ ଅଗଷ୍ଟ ପାର୍କରେ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା ରହିବ। ଲାଲକିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ଜଳ ଜମିବା ରୋକିବା ପାଇଁ ଡ୍ରେନେଜ୍ ଓ ସିୱେଜ୍ ବ୍ୟବସ୍ଥାର ସଫେଇ କରାଯାଇଛି। ସମାରୋହ ଶେଷ ହେବା ପରେ ଲାଲକିଲ୍ଲାରେ ସ୍ୱଚ୍ଛତା ଅଭିଯାନ ମଧ୍ୟ ଚାଲିବ। ଏଥିରେ NCC କ୍ୟାଡେଟ୍ ଓ ମୋ ଭାରତର ସ୍ୱେଚ୍ଛାସେବୀମାନେ ସାମିଲ ହେବେ। ଦର୍ଶକମାନେ ଫେରିଯିବା ପରେ ତୁରନ୍ତ ଆବର୍ଜନା ସଫା କରାଯିବ ଏବଂ ପ୍ଲଗିଂ ମଧ୍ୟ କରାଯିବ। ଏହା ମାଧ୍ୟମରେ ସ୍ୱଚ୍ଛ ଭାରତର ବାର୍ତ୍ତା ଦିଆଯିବ। ସମାରୋହ ପରେ ଲାଲକିଲ୍ଲାକୁ ଯଥାଶୀଘ୍ର ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଚେଷ୍ଟା କରାଯିବ।

ଚଳିତବର୍ଷ ସମାରୋହରେ ଅତିଥିଙ୍କ ବସିବା ସ୍ଥାନଗୁଡ଼ିକର ନାମ ଭାରତର ପ୍ରମୁଖ ଝିଲ୍ଲୀଗୁଡ଼ିକର ନାମରେ ରଖାଯିବ। ଏହା ପୂର୍ବରୁ ୨୦୨୬ ଗଣତନ୍ତ୍ର ଦିବସରେ ବସିବା ସ୍ଥାନଗୁଡ଼ିକର ନାମ ନଦୀଗୁଡ଼ିକର ନାମରେ ରଖାଯାଇଥିଲା। VIP ସଂସ୍କୃତିକୁ କମାଇବା ସହ ଜଳ ସଂରକ୍ଷଣର ଗୁରୁତ୍ୱ ବିଷୟରେ ବାର୍ତ୍ତା ଦେବା ଏହାର ଉଦ୍ଦେଶ୍ୟ।

‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଣ୍ଡ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେନା, ନୌସେନା, ବାୟୁସେନା, ତଟରକ୍ଷୀ ବାହିନୀ, NCC, CRPF, ITBP, CISF, BSF, SSB, RPF ଓ ଆସାମ ରାଇଫଲ୍ସର ବ୍ୟାଣ୍ଡ ୩୪୩ଟି ପ୍ରମୁଖ ସ୍ଥାନରେ ପ୍ରଦର୍ଶନ କରିବେ। ଏଥିରେ ସାଧାରଣ ଲୋକମାନେ ମଧ୍ୟ ସାମିଲ ହୋଇପାରିବେ। ଏହାର ଲକ୍ଷ୍ୟ ଲୋକଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ଆହୁରି ମଜବୁତ କରିବା।

ଲାଲକିଲ୍ଲାର ମୁଖ୍ୟ ସମାରୋହରେ ଭାରତର ପରମାଣୁ ଓ ମହାକାଶ ପ୍ରଯୁକ୍ତିର ଅଗ୍ରଗତିକୁ ମଧ୍ୟ ପ୍ରଦର୍ଶିତ କରାଯିବ। ସମାରୋହର ସାଜସଜ୍ଜାରେ ‘ବିକଶିତ ଭାରତ @ ୨୦୪୭’ର ଝଲକ ଦେଖିବାକୁ ମିଳିବ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରାୟ ୫,୦୦୦ ବିଶେଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ମଧ୍ୟ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ଉପରେ ଜୋର ରହିବାର ସମ୍ଭାବନା ରହିଛି।

Leave A Reply

Your email address will not be published.