Latest Odisha News

BREAKING NEWS

Kangana Hits Back: ନସିରୁଦ୍ଦିନଙ୍କ ‘କୁକୁର’କୁ କଙ୍ଗନାଙ୍କ ‘କୋକିଶିଆଳ’ କଟାକ୍ଷ, ଛାତ୍ର ଆନ୍ଦୋଳନକୁ ନେଇ ବଲିଉଡରେ ବାକ୍ ଯୁଦ୍ଧ!

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ନେଇ ବଲିଉଡ୍‌ରେ ମତଭେଦ ଏବେ ତୀବ୍ର ହୋଇଛି। ଅଭିନେତା ନସିରୁଦ୍ଦିନ ଶାହଙ୍କ ‘ମୁହଁରେ ହାଡ଼ ଧରିଥିବା କୁକୁର’ ମନ୍ତବ୍ୟକୁ ନେଇ ଅଭିନେତା ପୀୟୂଷ ମିଶ୍ର ପ୍ରଶ୍ନ ଉଠାଇବା ପରେ ଏବେ ତାଙ୍କ ସମର୍ଥନରେ ଆସିଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ। ନସିରୁଦ୍ଦିନ ଶାହଙ୍କୁ ସେ ‘କୋକିଶିଆଳ’ ବୋଲି କହି କଟାକ୍ଷ କରିଛନ୍ତି।

ନିକଟରେ ଛାତ୍ର ଆନ୍ଦୋଳନକୁ ନେଇ ନସିରୁଦ୍ଦିନ ଶାହ ପ୍ରଶ୍ନ କରି କହିଥିଲେ, ଅନେକ ବଡ଼ ବଲିଉଡ୍‌ କଳାକାର ଏହି ପ୍ରସଙ୍ଗରେ କାହିଁକି ନିରବ ଅଛନ୍ତି? ଏହାର ଉତ୍ତରରେ ସେ ଏକ ଉଦାହରଣ ଦେଇ କହିଥିଲେ, “ମୁହଁରେ ହାଡ଼ ଧରିଥିବା କୁକୁର ଭୁକିପାରେ ନାହିଁ। ମୁହଁରୁ ହାଡ଼ ଖସିଗଲେ ହିଁ ସେ ଭୁକିବ।“

ଏହି ମନ୍ତବ୍ୟକୁ ନେଇ ଝାଡ଼ଖଣ୍ଡରେ ଆନ୍ଦୋଳନରତ ଛାତ୍ରମାନଙ୍କ ସହ ଯୋଗ ଦେଇଥିବା ପୀୟୂଷ ମିଶ୍ର ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଯଦି କିଛି ଲୋକଙ୍କ ମୁହଁରେ ହାଡ଼ ଥିବାରୁ ସେମାନେ କଥା କହିପାରୁନାହାନ୍ତି, ତେବେ ଏବେ ମୁହଁରେ ହାଡ଼ ଧରି ନିରବ ରହିଥିବା ସେହି ‘କୁକୁର’ମାନେ କିଏ?

ପୀୟୂଷ ମିଶ୍ରଙ୍କ ଏହି ମନ୍ତବ୍ୟକୁ ନେଇ ଏବେ କଙ୍ଗନା ରଣାୱତ ଇନଷ୍ଟାଗ୍ରାମରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ମଣିଷ କାହାର ନା କାହାର ‘କୁକୁର’ ହୋଇପାରେ, କିନ୍ତୁ ଯେଉଁ ଦେଶର ଅନ୍ନ ଖାଉଛନ୍ତି, ସେହି ଦେଶ ପାଇଁ ଲଢ଼ିବା ଓ ତାହାର ରକ୍ଷା କରିବାରେ ସେ ଗର୍ବ ଅନୁଭବ କରନ୍ତି। ଏହା ସହ ନସିରୁଦ୍ଦିନ ଶାହଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରି ସେ ତାଙ୍କୁ ‘କୋକିଶିଆଳ’ ବୋଲି କହିଛନ୍ତି। କଙ୍ଗନାଙ୍କ ମତରେ, ‘କୁକୁର’ ବୋଲି ଡାକିବା ଅପମାନ ନୁହେଁ, କାରଣ ବିଶ୍ୱସ୍ତତା ଏକ ଦୁର୍ଲଭ ଗୁଣ।

ଏହି ବିବାଦର ମୂଳରେ ରହିଛି ଝାଡ଼ଖଣ୍ଡର JPSC ଓ JSSC ନିଯୁକ୍ତି ପରୀକ୍ଷାକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ। ଅଭିଯୋଗ ହୋଇଥିବା ଅନିୟମିତତାର ତଦନ୍ତ ସହ ୧୪ତମ JPSC ପରୀକ୍ଷା ବାତିଲ ଦାବିରେ ଛାତ୍ରମାନେ ତୃତୀୟ ସପ୍ତାହରେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି। କିଛି ଆନ୍ଦୋଳନକାରୀ ଅନଶନରେ ମଧ୍ୟ ବସିଛନ୍ତି। ପ୍ରତିବାଦକାରୀ ଓ ଝାଡ଼ଖଣ୍ଡ ସରକାରଙ୍କ ମଧ୍ୟରେ ଏକାଧିକ ଥର ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରିନାହିଁ।

ଏହି ଛାତ୍ର ଆନ୍ଦୋଳନକୁ ନେଇ ନସିରୁଦ୍ଦିନ ଶାହଙ୍କ ମନ୍ତବ୍ୟ, ପୀୟୂଷ ମିଶ୍ରଙ୍କ ପ୍ରଶ୍ନ ଏବଂ କଙ୍ଗନାଙ୍କ ତୀବ୍ର ପ୍ରତିକ୍ରିୟା ପରେ ବଲିଉଡ୍‌ର ଏହି ବାକ୍‌ଯୁଦ୍ଧ ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି।

Leave A Reply

Your email address will not be published.