ମୁମ୍ବାଇ: ଆଇପିଏଲ ୨୦୨୭ ପୂର୍ବରୁ ଟ୍ରେଡ୍ ୱିଣ୍ଡୋକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଗତ କିଛି ସିଜନ୍ରେ ତାଙ୍କର ପ୍ରଦର୍ଶନ ଏବଂ ଅଧିନାୟକତ୍ୱ ଆଶାନୁରୂପ ହୋଇନଥିବାରୁ, ସେ ଅନ୍ୟ କୌଣସି ଫ୍ରାଞ୍ଚାଇଜିକୁ ଯାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏସବୁ ଗୁଜବ ମଧ୍ୟରେ କୋଲକାତା ନାଇଟ୍ ରାଇଡର୍ସ ନିଜର ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି । ସେଣ୍ଟର୍ ଅଫ୍ ଏକ୍ସଲେନ୍ସରେ କେକେଆରର ସ୍ପିନର ବରୁଣ ଚକ୍ରବର୍ତ୍ତୀ ୱାର୍କଆଉଟ୍ କରୁଥିବା ବେଳେ ପଛପଟୁ ହାର୍ଦ୍ଦିକ ପାଣ୍ଡ୍ୟା ଆସି ତାଙ୍କର ନକଲ କରୁଥିବା ଦେଖିବାକୁ ମିଳିଛି ।
ହାର୍ଦ୍ଦିକଙ୍କ ଏହି ମଜାଦାର ଭିଡିଓ ପୋଷ୍ଟ ହେବା ପରେ, ସେ କକଜ ରେ ସାମିଲ ହେବାକୁ ଯାଉଛନ୍ତି ବୋଲି ପ୍ରଶଂସକମାନେ ଅଟକଳ ଲଗାଉଛନ୍ତି। ଅଜିଙ୍କ୍ୟ ରାହାଣେଙ୍କ ପରେ କକଜ କୁ ଜଣେ ଅଭିଜ୍ଞ ଭାରତୀୟ ଅଧିନାୟକଙ୍କ ଆବଶ୍ୟକତା ରହିଛି । ଗୁଜରାଟ ଟାଇଟାନ୍ସକୁ ଚାମ୍ପିଅନ୍ କରାଇଥିବା ହାର୍ଦ୍ଦିକ ଏଥିପାଇଁ ଶ୍ରେଷ୍ଠ ବିକଳ୍ପ ହୋଇପାରନ୍ତି । ଦୀର୍ଘ ଦିନ ହେବ ଜଣେ ସଫଳ ଭାରତୀୟ ପେସ୍-ବୋଲିଂ ଅଲରାଉଣ୍ଡରଙ୍କ ସନ୍ଧାନରେ ଅଛି, ଯେଉଁଥିରେ ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫିଟ୍ ବସୁଛନ୍ତି । ଚେନ୍ନାଇ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜ୍ୟାଂଟସ, କେକେଆର ପରି ଦଳଗୁଡ଼ିକ ୩୨ ବର୍ଷୀୟ ହାର୍ଦ୍ଦିକଙ୍କୁ ନେବା ପାଇଁ ଆଗ୍ରହୀ ଥିବା କୁହାଯାଉଥିଲେ ସୁଦ୍ଧା, ଏପର୍ୟ୍ୟନ୍ତ ମୁମ୍ବାଇ କିମ୍ବା କେକେଆର ପକ୍ଷରୁ ଏହି ଟ୍ରେଡ୍ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ।
