୨୦୩୦ ସୁଦ୍ଧା ରାଜ୍ୟର ସମସ୍ତଙ୍କୁ ମିଳିବ ଗୁଣାତ୍ମକ ବିଦ୍ୟୁତ୍ ସେବା;୩ଟି ୭୬୫/୪୦୦ କେଭି ଗ୍ରୀଡ୍ ସବ୍ଷ୍ଟେସନ୍ ନିର୍ମାଣ ଯୋଜନା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ ହେବାକୁ ଥିବା ଶକ୍ତି ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।
ସୂଚନାମୁତାବକ, ବର୍ତ୍ତମାନ ରାଜ୍ୟରେ ୨୧୦ଟି ଗ୍ରୀଡ୍ ସବ୍ଷ୍ଟେସନ୍ କାର୍ଯ୍ୟକ୍ଷମ ଅଛି । ସେଥିମଧ୍ୟରୁ ଗତ ୨ ବର୍ଷ ମଧ୍ୟରେ ୧୫ଟି ନୂଆ ଗ୍ରୀଡ୍ ସବ୍ଷ୍ଟେସନ୍ ସ୍ଥାପନ କରାଯାଇଛି। ସେହିଭଳି ୨ ବର୍ଷ ମଧ୍ୟରେ ୭୮୮.୯୯ ସର୍କିଟ୍ କିଲୋମିଟର ଟ୍ରାନ୍ସମିସନ୍ ଲାଇନ୍ ମଧ୍ୟ ବିଛାଯାଇଛି ।
ରାଜ୍ୟବାସୀଙ୍କ ପାଇଁ ନିରବଛିନ୍ନ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ତଥା ଦ୍ରୁତ ଶିଳ୍ପାୟନକୁ ଦୃଷ୍ଟିରେ ରଖି ୭୬୫ କେଭି ଗ୍ରୀଡ୍ର ଏକ ରିଙ୍ଗ୍ ସିଷ୍ଟମ୍ ସ୍ଥାପନ କରାଯାଉଛି ବୋଲି ବୈଠକରୁ ଜଣାଯାଇଛି।
ଏହି ସିଷ୍ଟମ ପାଇଁ ଅନୁଗୋଳ ଓ ସୁନ୍ଦରଗଡ଼ରେ ୨ଟି ୭୬୫/୪୦୦ କେଭି ଗ୍ରୀଡ୍ କାର୍ଯ୍ୟକ୍ଷମ ହୋଇଛି । ସେହିପରି ଗୋପାଳପୁର ଓ ପାରାଦୀପରେ ୨ଟି ୭୬୫/୪୦୦ କେଭି ବିଶିଷ୍ଟ ଗ୍ରୀଡ଼୍ ଷ୍ଟେସନ୍ ନିର୍ମାଣ କରାଯାଉଛି । ଏହା ସହିତ କୋଲାବିରା, ଡୁବୁରି ଓ ଆଠଗଡ଼ ନିକଟସ୍ଥ ବେତଖୋଲି ଠାରେ ଆଉ ୩ଟି ୭୬୫/୪୦୦ କେଭି ସବ୍ଷ୍ଟେସନ୍ ନିର୍ମାଣ କରିବା ପାଇଁ ଯୋଜନା କରାଯାଇଛି ।
ଏଥିସହ ବୈଠକରୁ ଜଣାଯାଇଛି ଯେ,ରାଜ୍ୟରେ ୪୦୦ କେଭି ବିଶିଷ୍ଟ ୫ଟି ଗ୍ରୀଡ୍ ସବ୍ଷ୍ଟେସନ୍ ଥିବା ବେଳେ ଆଉ ୪ଟି ୪୦୦ କେଭି ଗ୍ରୀଡ୍ ସବ୍ଷ୍ଟେସନ୍ ନିର୍ମାଣାଧୀନ ରହିଛି ଏବଂ ୨ଟି ଟେଣ୍ଡର ଷ୍ଟେଜ୍ରେ ଅଛି । ଆଗକୁ ଆହୁରି ୯ଟି ୪୦୦ କେଭି ଗ୍ରୀଡ୍ ସବ୍ଷ୍ଟେସନ୍ ନିର୍ମାଣ କରିବାର ଯୋଜନା ରହିଛି । ଏସବୁ ସବ୍ଷ୍ଟେସନ୍ ଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାରେ ବିଦ୍ୟୁତ୍ ସମସ୍ୟା ରହିବ ନାହିଁ ।
ସେହିଭଳି, ବିଭିନ୍ନ ଗ୍ରୀଡ୍ ଗୁଡ଼ିକର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି। ୨୦୩୦-୩୧ ସୁଦ୍ଧା ରାଜ୍ୟରେ ପ୍ରାୟ ୫୯୦ଟି ଶିଳ୍ପ ପ୍ରକଳ୍ପ ସ୍ଥାପନ ହେବାକୁ ଯାଉଛି । ଶିଳ୍ପ ସଂସ୍ଥା ତଥା ଉପଭୋକ୍ତା ମାନଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୬ ହଜାର କୋଟି ଟଙ୍କାର ଶକ୍ତି ପ୍ରକଳ୍ପ ନିର୍ମାଣ କରାଯିବ ।
