ମହାକାଳପଡ଼ା:ଲଗାଣ ବର୍ଷାରେ କେନ୍ଦ୍ରପଡ଼ା ସ୍ଥିତି ବେହାଲ । ଲଗାଣ ବର୍ଷାରେ ମହାକାଳପଡ଼ା ଦେଇ ଯାଇଥିବା ୫୩ ନଂ(NH-53) ଜାତୀୟ ରାଜପଥର ଏକ ଅଂଶ ରବିବାର ଧସି ଯାଇଛି। ଫଳରେ ୩ଟି ଟ୍ରକ୍ ଧସି ଯାଇ ପାଣିରେ ଓଲଟି ପଡ଼ିଛି। କ୍ରମାଗତ ବର୍ଷା ଯୋଗୁଁ ନୂତନ ଭାବେ ନିର୍ମିତ ରାସ୍ତାଟି ଦୁର୍ବଳ ହୋଇଯିବାରୁ ଏହି ଘଟଣା ଘଟିଛି।
ସୂଚନାଥାଉକି, ୫୩ ନଂ ଜାତୀୟ ରାଜପଥର ଏକ ଅଂଶ ନୀଳାଚଳ ବଜାର ନିକଟରେ ଆଜି ସକାଳ ପ୍ରାୟ ୮ ଟା ସମୟରେ ଧସି ଯାଇଛି। ରାଜପଥର ମାଟି ଧସି ଯାଇଥିବାରୁ ଟ୍ରକ୍ ଗୁଡ଼ିକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପାଣିରେ ଓଲଟି ପଡ଼ିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ପ୍ରାଣହାନି ଘଟିନାହିଁ।
ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ନିମ୍ନମାନର କାମ ଯୋଗୁଁ ଅଳ୍ପ ବର୍ଷାରେ ହିଁ ଜାତୀୟ ରାଜପଥ ଧସି ଯାଉଛି। ତୁରନ୍ତ ସ୍ଥାୟୀ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।
ଅଭିଯୋଗ ରହିଛି ଯେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଏହି ଅଘଟଣ ଘଟିଛି । କୁହାଯାଉଛି ଯେ ରାସ୍ତା ନିର୍ମାଣରେ ବ୍ୟାପକ ଭାବେ ଫ୍ଲାଏ ଆଶ୍ (fly ash) ବ୍ୟବହାର କରାଯାଉଥିଲା ଏବଂ ରାସ୍ତାର ଉଭୟ ପାର୍ଶ୍ୱରେ ପର୍ଯ୍ୟାପ୍ତ ମାଟି ପକାଯାଇ ନଥିଲା। ପୁରୁଣା ଚାରି-ଲେନ୍ ବିଶିଷ୍ଟ ରାସ୍ତାର ପାର୍ଶ୍ୱରୁ ମାଟି ଖୋଳାଯାଇ ନୂତନ ରାସ୍ତା ନିର୍ମାଣରେ ଫ୍ଲାଏ ଆଶ୍ (fly ash) ସହିତ ବ୍ୟବହାର କରାଯାଉଛି ।
