Latest Odisha News

BREAKING NEWS

ମହାନଦୀ ଅବବାହିକାରେ ବନ୍ୟା ବିପଦ: ତଳିଆ ଅଞ୍ଚଳବାସୀଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ

ଭୁବନେଶ୍ୱର: ଲଗାଣ ବର୍ଷା ଓ ଉପରମୁଣ୍ଡରୁ ଆସୁଥିବା ବନ୍ୟା ଜଳ କାରଣରୁ ରାଜ୍ୟର ଅନେକ ଜିଲ୍ଲାରେ ଉଦ୍‌ବେଗଜନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟା ସ୍ଥିତି ସ୍ୱାଭାବିକ ହେବାକୁ ଆହୁରି ୪ ରୁ ୫ ଦିନ ପର୍ଯ୍ୟନ୍ତ ସମୟ ଲାଗିବ ଏବଂ ସେତେଦିନ ଯାଏଁ ସ୍ଥିତି ଲାଗି ରହିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବନ୍ୟାକୁ ନେଇ ରାଜ୍ୟବାସୀ ବିଶେଷକରି ନଦୀକୂଳିଆ ଲୋକେ ଆତଙ୍କିତ ନହେବାକୁ ଏବଂ କେବଳ ସତର୍କ ରହିବାକୁ ସେ ନିବେଦନ କରିଛନ୍ତି।

ବିଶେଷ କରି ମହାନଦୀ ଅବବାହିକାରେ ଥିବା ତଳିଆ ଜିଲ୍ଲାଗୁଡ଼ିକ ଯଥା କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଛତିଶଗଡ଼ ତଥା ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ର ଏକାଧିକ ଗେଟ୍ ଦେଇ ବହୁ ପରିମାଣରେ ବନ୍ୟା ଜଳ ନିଷ୍କାସନ କରାଯାଉଛି । ଫଳରେ ତଳମୁଣ୍ଡରେ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ପାଖାପାଖି ପ୍ରବାହିତ ହେଉଛି। ଧୀରେ ଧୀରେ ଏହି ଜଳସ୍ତର ସମୁଦ୍ର ମୁହାଁଣ ଆଡ଼କୁ ଅଗ୍ରସର ହେଉଥିବାରୁ ଏହା ହ୍ରାସ ପାଇବାକୁ ଆଉ କିଛି ଦିନ ସମୟ ଲାଗିବ ବୋଲି ଇଆଇସି ସ୍ପଷ୍ଟ କରିଛନ୍ତି ।

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ ବ୍ୟାପକ ତତ୍ପରତା ପ୍ରକାଶ ପାଇଛି। ଦୁର୍ବଳ ନଦୀବନ୍ଧ ଏବଂ ଘଳିଆ ସୃଷ୍ଟି ହେବାର ଆଶଙ୍କା ଥିବା ସ୍ଥାନଗୁଡ଼ିକରେ ବାଲି ବସ୍ତା ପକାଯାଇ ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି। ସମସ୍ତ ବିଭାଗୀୟ ଯନ୍ତ୍ରୀ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ସଜାଗ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପାଣି ଘେରରେ ଥିବା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଏନଡିଆରଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି।

ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଔଷଧ ସମେତ ଆବଶ୍ୟକ ରିଲିଫ୍ ବ୍ୟବସ୍ଥା ଜିଲ୍ଲାପାଳମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଉଛି। ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଯେକୌଣସି ଜରୁରୀ ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାରୀ କଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।

Leave A Reply

Your email address will not be published.