Latest Odisha News

BREAKING NEWS

ଛାତି ପୋଡ଼ାଜଳା ନୁହେଁ, ଗଳାରେ ଏହି ସମସ୍ୟା ଦେଖାଦେଲେ ହୋଇପାରେ ଏସିଡିଟିର ଗୁରୁତର ଲକ୍ଷଣ

ଆପଣଙ୍କର ବାରମ୍ବାର ଗଳା ଖରାପ ରହୁଛି କି? କିମ୍ବା ଗଳାରେ କିଛି ଅଟକି ରହିଥିବା ଭଳି ଅନୁଭବ ହେଉଛି କି? ଯଦି ଆପଣ ଏହାକୁ ସାଧାରଣ ଥଣ୍ଡା, କାଶ କିମ୍ବା ଆଲର୍ଜି ଭାବି ଅଣଦେଖା କରୁଛନ୍ତି, ତେବେ ବର୍ତ୍ତମାନଠାରୁ ସାବଧାନ ହୋଇଯାନ୍ତୁ। କାରଣ ଏହା ‘ଏସିଡ୍ ରିଫ୍ଲକ୍ସ’ ବା ଗ୍ୟାଷ୍ଟ୍ରିକ୍ ସମସ୍ୟାର ଏକ ଗୁରୁତର ଲକ୍ଷଣ ହୋଇପାରେ ।

ସାଧାରଣତଃ ଏସିଡିଟି କିମ୍ବା ଗ୍ୟାସ୍ ହେଲେ ଆମର ଛାତି ଓ ପେଟ ପୋଡ଼ାଜଳା ହୋଇଥାଏ ଏବଂ ଖଟା ହାକୁଟି ଆସିଥାଏ ବୋଲି ଆମେ ଭାବିଥାଉ। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହାର ପ୍ରଭାବ ସିଧାସଳଖ ଆମ ଗଳା ଉପରେ ମଧ୍ୟ ପଡ଼ିପାରେ। ଚିକିତ୍ସା ବିଜ୍ଞାନ ଭାଷାରେ ଏହାକୁ ଲାରିଙ୍ଗୋଫାରିଞ୍ଜିଆଲ୍ ରିଫ୍ଲକ୍ସ କିମ୍ବା ‘ସାଇଲେଣ୍ଟ ରିଫ୍ଲକ୍ସ’ ବୋଲି କୁହାଯାଏ।

ଏହି ସାଇଲେଣ୍ଟ ରିଫ୍ଲକ୍ସ ସମସ୍ୟାରେ ପାକସ୍ଥଳୀରେ ସୃଷ୍ଟି ହେଉଥିବା ଅମ୍ଳ ବା ଏସିଡ୍ ଖାଦ୍ୟନଳୀ ଦେଇ ଉପରକୁ ଉଠିଆସେ ଏବଂ ଆମ ଗଳା ତଥା ସ୍ୱରପେଟୀ ନିକଟରେ ପହଞ୍ଚିଯାଏ । ଏହାର ପ୍ରଭାବରେ ଗଳାରେ ବିଭିନ୍ନ ପ୍ରକାରର ଅସ୍ୱାଭାବିକ ଲକ୍ଷଣ ଦେଖାଦିଏ, ଯାହାକୁ ଲୋକମାନେ ପ୍ରାୟତଃ ଋତୁକାଳୀନ ରୋଗ ବୋଲି ଭାବିଥାନ୍ତି । ଏହି ସମୟରେ ରୋଗୀକୁ ଦୀର୍ଘ ଦିନ ଧରି ଶୁଖିଲା କାଶ ହେବା, ଗଳାରେ କିଛି ଲାଗି ରହିବା ଭଳି ଲାଗିବା, ବାରମ୍ବାର ଗଳା ସଫା କରିବାକୁ ଇଚ୍ଛା ହେବା ଏବଂ କଣ୍ଠସ୍ୱରରେ ପରିବର୍ତ୍ତନ ଭଳି ସମସ୍ୟା ଦେଖାଦେଇଥାଏ। ଏହାବ୍ୟତୀତ ଖାଦ୍ୟ ଗିଳିବାରେ କଷ୍ଟ ହେବା ଏବଂ ପାଟିରେ ଅଧିକ ଲାଳ ସୃଷ୍ଟି ହେବା ମଧ୍ୟ ଏହି ରୋଗର ଏକ ପ୍ରମୁଖ ସଙ୍କେତ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଅଧିକାଂଶ ଲୋକ ଏହି ଲକ୍ଷଣଗୁଡ଼ିକୁ ସାଧାରଣ ଆଲର୍ଜି କିମ୍ବା ଗଳା ସଂକ୍ରମଣ ଭାବି ନିଜ ଆଡୁ ଭୁଲ୍ ଔଷଧ ଖାଇଥାନ୍ତି । କିନ୍ତୁ ଏହାକୁ ଦୀର୍ଘ ଦିନ ଧରି ଅଣଦେଖା କଲେ ଆମର ଭୋକାଲ୍ କର୍ଡ ବା ସ୍ୱରତନ୍ତ୍ରୀ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ତେଣୁ ଯଦି ଆପଣଙ୍କଠାରେ ଜ୍ୱର କିମ୍ବା ନାକରୁ ପାଣି ନବୋହି କେବଳ ଗଳାରେ ଏଭଳି ସମସ୍ୟା କ୍ରମାଗତ ଭାବେ ଲାଗି ରହୁଛି, ତେବେ ବିଳମ୍ବ ନକରି ତୁରନ୍ତ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ କିମ୍ବା ଜଣେ ଇଏନଟି ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍ ।

ଏହି ସାଇଲେଣ୍ଟ ରିଫ୍ଲକ୍ସ ସମସ୍ୟାରୁ ମୁକୁଳିବା ପାଇଁ କେବଳ ଔଷଧ ଖାଇବା ଯଥେଷ୍ଟ ନୁହେଁ, ବରଂ ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣିବା ନିହାତି ଜରୁରୀ । ଖାଦ୍ୟପେୟରେ ସୁଧାର ଆଣିବା ସହ ରାତିରେ ବିଳମ୍ବରେ ଖାଇବା ଅଭ୍ୟାସକୁ ବନ୍ଦ କରିବାକୁ ପଡ଼ିବ । ଖାଇବାର ଅତିକମରେ ଦୁଇ ଘଣ୍ଟା ପରେ ଶୋଇବାକୁ ଯିବା ଉଚିତ୍ । ଏହାସହ ଅଧିକ ତେଲ ମସଲାଯୁକ୍ତ, ରାଗ ଏବଂ ଖଟା ଜାତୀୟ ଖାଦ୍ୟ, କ୍ୟାଫିନ୍ ଏବଂ ମଦ୍ୟପାନଠାରୁ ଦୂରେଇ ରହିଲେ ଏହି ସମସ୍ୟାରୁ ବହୁମାତ୍ରାରେ ମୁକ୍ତି ମିଳିପାରିବ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.