Jharsuguda–Bhubaneswar Flights: ଝାରସୁଗୁଡ଼ାରୁ ଭୁବନେଶ୍ୱର-ହାଇଦ୍ରାବାଦକୁ ବିମାନ ସେବା ଏହି ତାରିଖ ଯାଏଁ ବନ୍ଦ…ଜାଣନ୍ତୁ କାରଣ
ଭୁବନେଶ୍ବର:ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଭୁବନେଶ୍ୱର-ହାଇଦ୍ରାବାଦକୁ ବିମାନ ସେବା ବନ୍ଦ ରହିବ । ଏନେଇ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ ଉପେନ୍ଦ୍ରନାଥ ଧୁଣ୍ଡିଆ ସୂଚନା ଦେଇଛନ୍ତି । Star Air ପକ୍ଷରୁ ହାଇଦ୍ରାବାଦ–ଝାରସୁଗୁଡ଼ା ଏବଂ ଝାରସୁଗୁଡ଼ା–ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ବିମାନ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି । କୌଣସି ବୈଷୟିକ ତ୍ରୁଟି ଯୋଗୁଁ ଏହି ସେବା ବନ୍ଦ କରାଯାଇଛି ।
ଏହି ଦୁଇଟି ମାର୍ଗରେ ସପ୍ତାହକୁ ୫ ଦିନ ବିମାନ ଚଳାଚଳ କରୁଥିଲା । ଯାହା ଦ୍ୱାରା ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ଅନେକ ଯାତ୍ରୀ ଉପକୃତ ହେଉଥିଲେ । ହେଲେ ଅଗଷ୍ଟ ୧୭ ତାରିଖରୁ Star Air ପକ୍ଷରୁ ଏହି ସେବା ବନ୍ଦ କରାଯାଇଛି । ଗତ ୧୭ ତାରିଖରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଏବଂ ହାଇଦ୍ରାବାଦକୁ ଆସନ୍ତା ୨୪ ଅକ୍ଟୋବର ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରହିବ । ଏନେଇ ସଂସ୍ଥା ପକ୍ଷରୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି ।
ଝାରସୁଗୁଡ଼ା ବିମାନବନ୍ଦର, ନିର୍ଦ୍ଦେଶକ ଉପେନ୍ଦ୍ରନାଥ ଧୁଣ୍ଡିଆ କହିଛନ୍ତି,”ପରିଚାଳନାଗତ ବୈଷୟିକ ତ୍ରୁଟି ପାଇଁ Star Air ପକ୍ଷରୁ ହାଇଦ୍ରାବାଦ–ଝାରସୁଗୁଡ଼ା ଏବଂ ଝାରସୁଗୁଡ଼ା–ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ବିମାନସେବାକୁ ଅକ୍ଟୋବର ୨୪ ତାରିଖ ଯାଏଁ ବନ୍ଦ ରଖାଯାଇଛି । Star Air ସହିତ ଆଲୋଚନା ଜାରି ରହିଛି । ଯଥାଶୀଘ୍ର ଏହି ବିମାନସେବା ପୁଣି ଥରେ ଆରମ୍ଭ କରିବା ପାଇଁ ଆମେ ଉଦ୍ୟମ କରୁଛୁ । ”

