Latest Odisha News

BREAKING NEWS

Possessed Man: ମଣିଷରୁ ହୁଅନ୍ତି ମହିଷାସୁର! ଖାଆନ୍ତି ନଡା-ଘାସ, ପିଅନ୍ତି କୁଣ୍ଡା ତୋରାଣି…

ମହାରାଜଗଞ୍ଜ: ମଣିଷରୁ ପଶୁ ପାଲଟି ଯାହାନ୍ତି ବୁଢା ମଉସା!

ଖାଆନ୍ତି ଘାସ-ନଡା, ପିଅନ୍ତି କୁଣ୍ଡ କୁଣ୍ଡ ତୋରାଣି!

ନାଗପଞ୍ଚମୀ ଆସିଲେ ଉତ୍ତରପ୍ରଦେଶର ଏକ ଗାଁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା। ଗାଁର ୭୦ ବର୍ଷୀୟ ବୃଦ୍ଧ ବୁଦ୍ଧିରାମ ହଠାତ୍ ସାଧାରଣ ଖାଦ୍ୟ ଛାଡ଼ି ଗାଈ-ମଇଁଷିଙ୍କ ଚାରା ଭାବେ ବ୍ୟବହୃତ ଘାସ, ନଡ଼ା ଓ ତୋରାଣି ଖାଇବା ଆରମ୍ଭ କରନ୍ତି। ଏହାକୁ ଦେଖିବା ପାଇଁ କେବଳ ଗାଁ ନୁହେଁ, ଆଖପାଖ ଅଞ୍ଚଳରୁ ମଧ୍ୟ ଲୋକଙ୍କ ଭିଡ଼ ଜମିଥାଏ। ଏହି ଘଟଣା ମହାରାଜଗଞ୍ଜ ଜିଲ୍ଲାର ରୁଦଲାପୁର ଗାଁରେ ଘଟୁଥିବା ଦାବି କରାଯାଉଛି। ଗ୍ରାମବାସୀଙ୍କ ବିଶ୍ୱାସ ଅନୁସାରେ, ନାଗପଞ୍ଚମୀ ଦିନ ବୁଦ୍ଧିରାମଙ୍କ ଶରୀରରେ ‘ମହିଷାସୁର’ ପ୍ରବେଶ କରନ୍ତି। ଏହାପରେ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ ଏବଂ ସେ ପଶୁଙ୍କ ଭଳି ଚାରା ଖାଇବା ଆରମ୍ଭ କରନ୍ତି।

ସ୍ଥାନୀୟ ସୂଚନା ଅନୁସାରେ, ସମୟ ମାତା ମନ୍ଦିରରେ ପୂଜାପାଠ ପରେ ଏହି ଘଟଣା ଆରମ୍ଭ ହୁଏ। ବୁଦ୍ଧିରାମଙ୍କ ସାମ୍ନାରେ ରଖାଯାଇଥିବା ଘାସ ଓ ନଡ଼ା ସେ ଖାଇବା ସହ ପଶୁଙ୍କ ପାଇଁ ଯେପରି କୁଣ୍ଡା-ଚୋକଡ ମିଶା ପାଣି ପ୍ରସ୍ତୁତ କରି ତାକୁ ମଧ୍ୟ ପିଅନ୍ତି । ଠିକ୍ ଗାଈ ଏବଂ ମଇଁଷିଙ୍କ ପରି କୁଣ୍ଡରେ ମୁହଁ ପୂରେଇ ସୋଡ ସୋଡ କରି ପାଣି ଶୋଷି ନେଇ ପାକୁଳି ବୁଲାନ୍ତି । ତାଙ୍କୁ ଦେଖିବାକୁ ଆସୁଥିବା କିଛି ଲୋକ ନିଜ ହାତରେ କଦଳୀ, ଘାସ, ନଡ଼ା ଓ ଲଡୁ ମଧ୍ୟ ଖୁଆଇଥାନ୍ତି। ଏହି ଦୃଶ୍ୟ ଦେଖିବା ପାଇଁ ପ୍ରତିଥର ଭଳି ଏଥର ମଧ୍ୟ ଭିଡ଼ ଜମିଥିବା କୁହାଯାଉଛି।

ଗ୍ରାମବାସୀଙ୍କ ଦାବି ଅନୁସାରେ, ଏହି ଘଟଣା ୧୯୭୫ ମସିହାରୁ ଚାଲିଆସୁଛି। ପ୍ରତି ତିନି ବର୍ଷରେ ଥରେ ନାଗପଞ୍ଚମୀ ଅବସରରେ ବୁଦ୍ଧିରାମଙ୍କ ସହ ଏପରି ଘଟଣା ଘଟେ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି । କେତେକ ଲୋକଙ୍କ ଆଉ ଏକ ବିଶ୍ୱାସ ହେଉଛି, ଏହି ସ୍ଥାନରେ ମନସ୍କାମନା କଲେ ତାହା ପୂରଣ ହୁଏ। ଏହି ଆସ୍ଥା ଯୋଗୁଁ ମଧ୍ୟ ଘଟଣାଟି ପ୍ରତିଥର ଅଧିକ ଲୋକଙ୍କୁ ଆକର୍ଷିତ କରୁଥିବା କୁହାଯାଏ।

ତେବେ ବୁଦ୍ଧିରାମଙ୍କ ଏପରି ବ୍ୟବହାରର ପ୍ରକୃତ କାରଣ କ’ଣ, ତାହା ନେଇ କୌଣସି ନିଶ୍ଚିତ ଚିକିତ୍ସାବିଜ୍ଞାନୀୟ କିମ୍ବା ବୈଜ୍ଞାନିକ ବ୍ୟାଖ୍ୟା ସାମ୍ନାକୁ ଆସିନାହିଁ। ତେଣୁ ଏହା ଧାର୍ମିକ ପରମ୍ପରା, ସ୍ଥାନୀୟ ବିଶ୍ୱାସ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ଚର୍ଚ୍ଚା ଜାରି ରହିଛି।

Leave A Reply

Your email address will not be published.