କାଙ୍ଗଡା: ପ୍ରକୃତିର ବିରଳ ଘଟଣା । ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲା ପାଲମପୁରରୁ ଏକ ଅସାଧାରଣ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ଶିଶୁ ୨୪ଟି ଆଙ୍ଗୁଠି ସହ ଜନ୍ମ ନେଇଛି। ଶିଶୁଟିର ଦୁଇ ହାତରେ ୬ଟି ଲେଖାଏଁ ଏବଂ ଦୁଇ ପାଦରେ ମଧ୍ୟ ୬ଟି ଲେଖାଏଁ ଆଙ୍ଗୁଠି ରହିଛି। ଶିଶୁ ଟିକୁ ଦେଖି ପରିବାର ଲୋକେ ଆଚମ୍ବିତ ହୋଇଥିବା ବେଳେ ଏହି ଘଟଣା ପରେ ଏହା କେଉଁ ପ୍ରକାରର ଜନ୍ମଜାତ ସ୍ଥିତି ଏବଂ ଏହାର ଚିକିତ୍ସା ସମ୍ଭବ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଚିକିତ୍ସା ବିଜ୍ଞାନରେ ଶରୀରରେ ସାଧାରଣଠାରୁ ଅଧିକ ଆଙ୍ଗୁଠି ଥିବା ସ୍ଥିତିକୁ ପଲିଡାକ୍ଟିଲି (Polydactyly) କୁହାଯାଏ। ଏହା ଏକ ଜନ୍ମଜାତ ସ୍ଥିତି, ଅର୍ଥାତ୍ ଶିଶୁ ଜନ୍ମ ହେବା ସମୟରୁ ହିଁ ଅତିରିକ୍ତ ଆଙ୍ଗୁଠି ଥାଏ। ଏପରି ସ୍ଥିତି ପ୍ରାୟ ୧,୦୦୦ ଜଣ ଶିଶୁଙ୍କ ମଧ୍ୟରୁ ପ୍ରାୟ ଜଣଙ୍କଠାରେ ଦେଖାଯାଇପାରେ। କେତେକ କ୍ଷେତ୍ରରେ ଗର୍ଭାବସ୍ଥା ସମୟରେ ଅଲ୍ଟ୍ରାସାଉଣ୍ଡ ଜରିଆରେ ମଧ୍ୟ ଅତିରିକ୍ତ ଆଙ୍ଗୁଠି ଥିବା ଜଣାପଡ଼ିପାରେ। ତେବେ ଏହାର ପ୍ରକାର ଏବଂ ଅତିରିକ୍ତ ଆଙ୍ଗୁଠିର ଗଠନ ଶିଶୁ ଅନୁସାରେ ଭିନ୍ନ ହୋଇଥାଏ।
ପଲିଡାକ୍ଟିଲିର ୩ ପ୍ରମୁଖ ପ୍ରକାର;
୧. ପ୍ରି-ଆକ୍ସିଆଲ୍ ପଲିଡାକ୍ଟିଲି:
ଅଙ୍ଗୁଠି ପାଖରେ ଅତିରିକ୍ତ ଆଙ୍ଗୁଠି ଥିଲେ ଏହାକୁ ପ୍ରି-ଆକ୍ସିଆଲ୍ ପଲିଡାକ୍ଟିଲି କୁହାଯାଏ। ଯେମିତି ବଲିଉଡ ଆକ୍ଟର ହ୍ରିତିକ୍ ରୋଶନଙ୍କର ରହିଛି ।
୨. ସେଣ୍ଟ୍ରାଲ୍ ପଲିଡାକ୍ଟିଲି:
ହାତ କିମ୍ବା ପାଦର ମଝି ଭାଗରେ ଅତିରିକ୍ତ ଆଙ୍ଗୁଠି ଥିଲେ ଏହାକୁ ସେଣ୍ଟ୍ରାଲ୍ ପଲିଡାକ୍ଟିଲି କୁହାଯାଏ।
୩. ପୋଷ୍ଟ-ଆକ୍ସିଆଲ୍ ପଲିଡାକ୍ଟିଲି:
କନିଷ୍ଠ ଆଙ୍ଗୁଠି ବା ଛୋଟ ଆଙ୍ଗୁଠି ପାଖରେ ଅତିରିକ୍ତ ଆଙ୍ଗୁଠି ଥିଲେ ଏହାକୁ ପୋଷ୍ଟ-ଆକ୍ସିଆଲ୍ ପଲିଡାକ୍ଟିଲି କୁହାଯାଏ। ହାତରେ ଏହାକୁ ଉଲନାର୍ ଏବଂ ପାଦରେ ଫିବୁଲାର୍ ପଲିଡାକ୍ଟିଲି ମଧ୍ୟ କୁହାଯାଏ।
ପଲିଡାକ୍ଟିଲିର ଚିକିତ୍ସା ସମ୍ଭବ। ଶିଶୁର ଅତିରିକ୍ତ ଆଙ୍ଗୁଠିର ଗଠନ, ହାଡ଼ ଓ ରକ୍ତନଳୀ ସହ ଏହାର ସମ୍ପର୍କ ଆଦି ଯାଞ୍ଚ କରିବା ପରେ ଡାକ୍ତର ଚିକିତ୍ସା ପଦ୍ଧତି ନିର୍ଦ୍ଧାରଣ କରନ୍ତି। ଆବଶ୍ୟକତା ଅନୁସାରେ ସର୍ଜରୀ ଜରିଆରେ ଅତିରିକ୍ତ ଆଙ୍ଗୁଠିକୁ ହଟାଯାଇପାରେ। ତେବେ ପ୍ରତ୍ୟେକ ଶିଶୁଙ୍କ କ୍ଷେତ୍ରରେ ଚିକିତ୍ସାର ଆବଶ୍ୟକତା ଓ ସମୟ ଅଲଗା ହୋଇପାରେ।
ଏହା ପୂର୍ବରୁ ଚଳିତ ବର୍ଷ ମଧ୍ୟପ୍ରଦେଶର ବୈତୁଲରୁ ମଧ୍ୟ ୨୪ ଆଙ୍ଗୁଠି ଥିବା ଏକ ଶିଶୁ ଜନ୍ମ ନେଇଥିବା ଖବର ସାମ୍ନାକୁ ଆସିଥିଲା। ହିମାଚଳର ଏହି ଘଟଣା ପୁଣିଥରେ ଏହି ବିରଳ ଜନ୍ମଜାତ ସ୍ଥିତିକୁ ଚର୍ଚ୍ଚାକୁ ଆଣିଛି।

