ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆପ୍-ଭିତ୍ତିକ କ୍ୟାବ୍ ସେବା ପ୍ରଦାନକାରୀ ସଂସ୍ଥା ଓଲା ଏବଂ ଉବେର୍କୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗତ କିଛି ଦିନ ହେବ ବୁକିଂରେ ବ୍ୟାପକ ସମସ୍ୟା ଦେଖାଦେଉଥିବାରୁ ସାଧାରଣ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ଏବଂ ରାସ୍ତାଘାଟରେ ଫସି ରହୁଥିବା ଦେଖିବାକୁ ମିଳୁଛି ।
ବିଶେଷକରି, ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର, ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ବସ୍ ଷ୍ଟାଣ୍ଡ ଏବଂ ବିଭିନ୍ନ ପ୍ରମୁଖ ହସ୍ପିଟାଲକୁ ଯାତାୟାତ କରୁଥିବା ଯାତ୍ରୀମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ଅଭିଯୋଗ ଅନୁଯାୟୀ, ଆପ୍ ମାଧ୍ୟମରେ କ୍ୟାବ୍ ବୁକ୍ କରିବା ପରେ ଡ୍ରାଇଭରମାନେ ଗନ୍ତବ୍ୟସ୍ଥଳ ଏବଂ ଭଡ଼ା ବାବଦରେ ପଚାରି ବୁଝିବା ପରେ ନିଜ ଇଚ୍ଛାରେ ବୁକିଂ ବାତିଲ୍ କରିଦେଉଛନ୍ତି । ଏହାଛଡ଼ା, ଅନେକ ଡ୍ରାଇଭର ଅନ୍ଲାଇନ୍ ପେମେଣ୍ଟ ଗ୍ରହଣ ନକରି କେବଳ ନଗଦ ଟଙ୍କା ଦାବି କରୁଥିବା ମଧ୍ୟ ଅଭିଯୋଗ ହେଉଛି ।
ଏହି ମନମାନି ଯୋଗୁଁ ଯାତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି କ୍ୟାବ୍ ପାଇଁ ଅପେକ୍ଷା କରିବାକୁ ପଡ଼ୁଛି। ଅଫିସ୍ ଯାଉଥିବା କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ରୋଗୀମାନେ ଠିକ୍ ସମୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରୁନାହାନ୍ତି। ଡ୍ରାଇଭରମାନଙ୍କ କହିବା କଥା ଯେ, କମ୍ପାନୀ ପକ୍ଷରୁ ସେମାନଙ୍କୁ ଦିଆଯାଉଥିବା କମିଶନ୍ ଏବଂ ଇନ୍ଧନ ଦର ବୃଦ୍ଧି କାରଣରୁ ସେମାନେ ଆର୍ଥିକ କ୍ଷତି ସହୁଛନ୍ତି, ତେଣୁ ସେମାନେ ଲାଭଦାୟକ ଟ୍ରିପ୍ ବାଛିବାକୁ ବାଧ୍ୟ ହେଉଛନ୍ତି ।
ଅନ୍ୟପକ୍ଷରେ, ଯାତ୍ରୀମାନେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଛନ୍ତି। କ୍ୟାବ୍ କମ୍ପାନୀଗୁଡ଼ିକ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଡ୍ରାଇଭରମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେବାକୁ ସୁଗମ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।

