ବ୍ରହ୍ମପୁର: କବିସୂର୍ଯ୍ୟନଗର ଓ ବୌଦ୍ଧ ଅଞ୍ଚଳରେ ନିୟମିତ ବିଦ୍ୟୁତ ସେବା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ ସମୟରେ କର୍ମଚାରୀଙ୍କ ସହ ମାରପିଟ ଓ ଦୁର୍ବ୍ୟବହାର ଅଭିଯୋଗ ସାମ୍ନାକୁ ଆସିଛି।
ଏହି ଘଟଣା ପରେ କ୍ଷେତ୍ରସ୍ତରରେ କାର୍ଯ୍ୟରତ ନିଜ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ନିରାପତ୍ତା ପ୍ରତି ଟିପିଏସ୍ଓଡିଏଲ୍ ନିଜର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛି। ଉଭୟ ଘଟଣାରେ କମ୍ପାନୀ ତୁରନ୍ତ ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହ ଯୋଗାଯୋଗ କରିଥିଲା। ଯାହା ପରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ପୋଲିସ ପକ୍ଷରୁ ଆଇନଗତ ପଦକ୍ଷେପ ଆରମ୍ଭ ହୋଇଛି।
ପ୍ରଥମ ଘଟଣାଟି ଅଗଷ୍ଟ ୧୩ ତାରିଖରେ କବିସୂର୍ଯ୍ୟନଗର ଥାନା ଅଧୀନ ନୟନ ସାହି, ବରିଡ଼ା ଗ୍ରାମରେ ଘଟିଥିଲା।ଅବୈଧ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ନିମନ୍ତେ ନିର୍ଦ୍ଧାରିତ ଅଭିଯାନରେ ଏକ ଟିମ୍ ସେଠାକୁ ଯାଇଥିଲେ। ଅଭିଯୋଗ ଅନୁଯାୟୀ କିଛି ବ୍ୟକ୍ତି କର୍ମଚାରୀମାନଙ୍କ କରେ ବାଧା ସୃଷ୍ଟି କରିଥିଲେ।ଏଥିରେ ଜଣେ କର୍ମଚାରୀ ଆହତ ହୋଇଥିବାବେଳେ ଟିମର ଅନ୍ୟମାନଙ୍କୁ ଘଟଣାସ୍ଥଳରେ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ତୁରନ୍ତ ହସ୍ତକ୍ଷେପ କରି କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ କବିସୂର୍ଯ୍ୟ ନଗର ଥାନାରେ ଏଫ୍ ଆଇ ଆର୍ ରୁଜୁ କରାଯାଇ ମୁନ୍ନା ମାଝୀ, ସମୀର ସାହୁ ଏବଂ ଅନ୍ୟ ଦୁଇଜଣ ଅଜ୍ଞାତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।
ଅନ୍ୟ ଏକ ଘଟଣା ଅଗଷ୍ଟ ୧୪, ୨୦୨୬ରେ ବୌଦ୍ଧ ଜିଲ୍ଲାର ବିଶ୍ୱନାଥପୁରଠାରେ ଘଟିଥିଲା। ନିର୍ଦ୍ଧାରିତ ମିଟର ରିଡିଂ ଓ ବିଲିଂ କାର୍ଯ୍ୟ ସମ୍ପାଦନ କରୁଥିବା ଜଣେ ମିଟର ରିଡରଙ୍କୁ ବିଦ୍ୟୁତ ବିଲ୍କୁ ନେଇ ବିବାଦ ପରେ ମାରପିଟ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ କର୍ମଚାରୀ ଜଣକ ଆହତ ହୋଇଥିବା ବେଳେ ତାଙ୍କ ମୋବାଇଲ ଫୋନ୍ ନେଇଯିବା ଏବଂ ବିଲିଂ ପ୍ରିଣ୍ଟରକୁ କ୍ଷତିଗ୍ରସ୍ତ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସୂଚନା ପାଇବା ପରେ ସ୍ଥାନୀୟ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଜରୁରୀକାଳୀନ ସେବା ସହ ଯୋଗାଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଥାନାରେ ଏଫ୍ ଆଇ ଆର୍ ରୁଜୁ କରାଯାଇ ଅର୍ଜୁନ ନାୟକଙ୍କ ସମେତ ଅନ୍ୟ ଚାରିଜଣଙ୍କ ବିରୋଧରେ ପୋଲିସ ତରଫରୁ ଆଇନଗତ ପଦକ୍ଷେପ ଆରମ୍ଭ କରାଯାଇଛି।
କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଆମର କର୍ମଚାରୀମାନେ ପ୍ରତିଦିନ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଗ୍ରାହକ ଓ ସମୁଦାୟକୁ ଅତ୍ୟାବଶ୍ୟକ ବିଦ୍ୟୁତ ସେବା ଯୋଗାଇବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି। ସେମାନଙ୍କ କର୍ତ୍ତବ୍ୟ ପାଳନରେ ଯେକୌଣସି ପ୍ରକାରର ହିଂସା, ଧମକ, ଭୟଭୀତ କରିବା କିମ୍ବା ବାଧା ସୃଷ୍ଟି କରିବା ଆଦୌ ଗ୍ରହଣୀୟ ନୁହେଁ। ପ୍ରଭାବିତ କର୍ମଚାରୀମାନଙ୍କୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି ଏବଂ ଆଇନଗତ ପ୍ରକ୍ରିୟାରେ ଆମେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପୂର୍ଣ୍ଣ ସହଯୋଗ କରୁଛୁ।”
ଟିପିଏସ୍ଓଡିଏଲ୍ ସ୍ପଷ୍ଟ କରିଛି ଯେ ଦାୟିତ୍ଵ ସମ୍ପାଦନ ସମୟରେ କର୍ମଚାରୀଙ୍କ ପ୍ରତି ହିଂସା, ଧମକ, ଭୟଭୀତ କରିବା କିମ୍ବା କାର୍ଯ୍ୟରେ ବାଧା ସୃଷ୍ଟି ଭଳି ଯେକୌଣସି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନିଆଯିବ ଏବଂ ଏଭଳି ନ କରିବା ପାଇଁ ମଧ୍ୟ କମ୍ପାନୀ ପକ୍ଷରୁ କୁହାଯାଇଛି। ଏଥିପାଇଁ ଉପଯୁକ୍ତ ଆଇନଗତ ଓ ପ୍ରତିଷ୍ଠାନଗତ ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ନିଆଯିବ। ଏଭଳି ଘଟଣା ଘଟିଲେ କମ୍ପାନୀ ପୋଲିସ ଓ ସ୍ଥାନୀୟ ପ୍ରଶାସନ ସହ ଘନିଷ୍ଠ ସମନ୍ୱୟ ରଖି କାର୍ଯ୍ୟ କରିବ।

