ନୂଆଦିଲ୍ଲୀ: ରବିବାର ସକାଳୁ ପୂର୍ବ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଇବାରାକି ପ୍ରିଫେକ୍ଚରର ଦକ୍ଷିଣ ଅଞ୍ଚଳକୁ କେନ୍ଦ୍ର କରି ଘଟିଥିବା ଏହି ଭୂକମ୍ପର ପ୍ରାଥମିକ ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଏହାର ଝଟକା ଟୋକିଓ ସମେତ ଆଖପାଖ ଅଞ୍ଚଳରେ ଜୋରଦାର ଭାବେ ଅନୁଭୂତ ହୋଇଥିଲା। ଭୂକମ୍ପରେ ଅତି କମ୍ରେ ୫ ଜଣ ଆହତ ହୋଇଥିବା ଜାପାନ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଏହି ଭୂକମ୍ପ ପରେ ସୁନାମିର କୌଣସି ବିପଦ ନଥିବା ସ୍ପଷ୍ଟ କରାଯାଇଛି।
ଜାପାନ ମେଟିଓରୋଲଜିକାଲ ଏଜେନ୍ସି ଅନୁସାରେ, ଭୂକମ୍ପଟି ଭୂପୃଷ୍ଠଠାରୁ ପ୍ରାୟ ୭୦ କିଲୋମିଟର ଗଭୀରରେ ଘଟିଥିଲା। ଆମେରିକାର ୟୁଏସ୍ ଜିଓଲୋଜିକାଲ ସର୍ଭେ (USGS) ଏହାର ପ୍ରାଥମିକ ତୀବ୍ରତା ୫.୮ ବୋଲି ଆକଳନ କରିଛି। ଭୂକମ୍ପ ପରେ ଇବାରାକି, ଚିବା ଓ ସାଇତାମା ପ୍ରିଫେକ୍ଚରରେ ଅତି କମ୍ରେ ୫ ଜଣ ଆହତ ହୋଇଥିବା ଫାୟାର ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ଏଜେନ୍ସି କହିଛି। ଆହୁରି କେହି ଆହତ ହୋଇଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।
ଭୂକମ୍ପ ଯୋଗୁଁ ଟୋକିଓ ଏବଂ ନାରିତା ବିମାନବନ୍ଦରକୁ ସଂଯୋଗ କରୁଥିବା ଏକ୍ସପ୍ରେସ୍ ଟ୍ରେନ୍ ସମେତ ଉତ୍ତର-ପୂର୍ବ ଅଞ୍ଚଳର ଅନେକ ସ୍ଥାନୀୟ ଟ୍ରେନ୍ ସେବା ପ୍ରଭାବିତ ହୋଇଥିଲା। ତେବେ ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ସେବା ସାଧାରଣ ଭାବେ ଚାଲୁଥିବା ଇଷ୍ଟ ଜାପାନ ରେଲୱେ କମ୍ପାନୀ ପକ୍ଷରୁ କୁହାଯାଇଛି।
ଭୂକମ୍ପ ପରେ ମୋବାଇଲ୍ ଫୋନ୍ରେ ଜରୁରୀ ସତର୍କ ସୂଚନା ପଠାଯାଇଥିଲା। ଟୋକିଓର କୋଟୋ ୱାର୍ଡରେ ଭୂତଳ ଜଳ ପାଇପ୍ ଫାଟିଯିବାରୁ ରାସ୍ତା ଉପରେ ପାଣି ଜମିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏହା ସହିତ ଟୋକିଓର ପ୍ରାୟ ୪୬୦ଟି ଘରକୁ କିଛି ସମୟ ପାଇଁ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଥିଲା। ପରେ ବିଦ୍ୟୁତ୍ ସେବା ପୁନଃସ୍ଥାପିତ ହୋଇଥିବା TEPCO ପାଓ୍ବାର ଗ୍ରୀଡ କହିଛି।
ଭୂକମ୍ପ ପରେ ଜାପାନ ସରକାର ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଏନେଇ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ, ନ୍ୟୁକ୍ଲିୟର ରେଗୁଲେସନ୍ ଅଥରିଟି କହିଛି ଯେ ଦେଶର ପ୍ରାୟ ଏକ ଡଜନ୍ ପରମାଣୁ ବିଦ୍ୟୁତ୍ କେନ୍ଦ୍ର ଓ ପରମାଣୁ ସାମଗ୍ରୀ ସହ ଜଡିତ ଅନ୍ୟାନ୍ୟ ସ୍ଥାନରେ କୌଣସି ଅସ୍ୱାଭାବିକତା ରିପୋର୍ଟ ହୋଇନାହିଁ। ସ୍ଥାନୀୟ ଗଣମାଧ୍ୟମ NHKର ଦୃଶ୍ୟ ଅନୁସାରେ, ମିତୋ ଓ ସାଇତାମା ସମେତ ନିକଟସ୍ଥ ସହରଗୁଡ଼ିକର ରାସ୍ତାରେ ଭୂକମ୍ପ ପରେ ଯାତାୟାତ ସାଧାରଣ ଥିବା ଦେଖାଯାଇଛି। ତଥାପି କର୍ତ୍ତୃପକ୍ଷ ସମ୍ଭାବ୍ୟ କ୍ଷୟକ୍ଷତି ନେଇ ଯାଞ୍ଚ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଗତ ମାସରେ ଜାପାନର ଦକ୍ଷିଣତମ ଦ୍ୱୀପ କ୍ୟୁଶୁର କୁମାମୋଟୋ ଅଞ୍ଚଳରେ ୭.୧ ତୀବ୍ରତାର ଭୂକମ୍ପ ହୋଇଥିଲା। ସେଥିରେ ୩୮ ଜଣଙ୍କ ମୃତ୍ୟୁ, ୩୬୪ ଜଣ ଆହତ ହୋଇଥିବା ବେଳେ ୧,୫୦୦ରୁ ଅଧିକ କୋଠା ଧ୍ୱଂସ ଏବଂ ପ୍ରାୟ ୨୦,୦୦୦ କୋଠା କ୍ଷତିଗ୍ରସ୍ତ ହୋଇଥିଲା।

