ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଓଡ଼ିଶାରେ ଆଜିଠାରୁ ବର୍ଷା ବଢ଼ିବ। ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ଏବେ ସପ୍ତାହେ ଯାଏଁ ବର୍ଷା ଲାଗି ରହିବ । ଯାହାର ପ୍ରଭାବ ରବିବାର ସକାଳୁ ଦେଖିବାକୁ ମିଳିଲାଣି । ଦୁଇ ତିନି ଦିନ ହେଲାଣି ଖରା ଏବଂ ପାଗ ଶୁଖିଲା ରହିଥିବା ବେଳେ ସକାଳୁ ସକାଳୁ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଆଶଙ୍କାରେ ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବା ସହ ଆବଶ୍ୟକ ପ୍ରସ୍ତୁତି ନେବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ରବିବାର କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହାଛଡ଼ା ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ଗଜପତି ଓ ଗଞ୍ଜାମର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟ ଅଞ୍ଚଳରେ ମଧ୍ୟ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଏଥିସହିତ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ।
ଅଗଷ୍ଟ ୨୪ରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରେ ପ୍ରବଳରୁ ପ୍ରବଳତର ଏବଂ ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ନେଇ ସତର୍କତା ରହିଛି। ୨୩ ଓ ୨୪ ଅଗଷ୍ଟରେ ବର୍ଷାର ପରିମାଣ ଅଧିକ ରହିପାରେ ଏବଂ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ।
ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟ ଅଶାନ୍ତ ରହିବ। ଓଡ଼ିଶା ଉପକୂଳରେ ୩୫ରୁ ୪୫ କିମି ବେଗରେ ପବନ ବହିବା ସହ ଝଟକା ପବନର ବେଗ ୫୫ କିମି ପର୍ଯ୍ୟନ୍ତ ହୋଇପାରେ। ତେଣୁ ଅଗଷ୍ଟ ୨୪ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ସରକାରଙ୍କ ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟର ବନ୍ୟା ସ୍ଥିତି ନିୟନ୍ତ୍ରଣରେ ରହିଛି। ଅଗଷ୍ଟ ୧ରୁ ୨୨ ମଧ୍ୟରେ ରାଜ୍ୟରେ ୨୭୨.୨ ମିମି ବର୍ଷା ହୋଇଥିବା ବେଳେ ସ୍ୱାଭାବିକ ପରିମାଣ ୨୫୨.୬ ମିମି। ଅର୍ଥାତ୍ ସ୍ୱାଭାବିକଠାରୁ ୭.୮% ଅଧିକ ବର୍ଷା ହୋଇଛି। ଜୁନ୍ ୧ରୁ ଏପର୍ଯ୍ୟନ୍ତ ରାଜ୍ୟରେ ହାରାହାରି ୧୦୨୮ ମିମି ବର୍ଷା ହୋଇଛି, ଯାହା ସ୍ୱାଭାବିକ ୭୯୭ ମିମି ତୁଳନାରେ ୨୯% ଅଧିକ। ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ବର୍ତ୍ତମାନ ବନ୍ୟା ପ୍ରଭାବିତ ଜିଲ୍ଲା ଭାବେ ରହିଛି। ରିଲିଫ୍ କ୍ୟାମ୍ପ, ଉଦ୍ଧାର ଓ ବନ୍ୟା ପରିଚାଳନା ପାଇଁ ଏସ୍ଡିଆର୍ଏଫ୍ରୁ ପର୍ଯ୍ୟାୟକ୍ରମେ ୧୧୦ କୋଟି, ୨୬ କୋଟି ଓ ୩୧.୫୫ କୋଟି, ମୋଟ ୧୬୭.୫୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

