Latest Odisha News

BREAKING NEWS

MMDR Controversy: ଖଣି ଅଧିକାରକୁ ନେଇ ତାତିଲା ଓଡ଼ିଶା ରାଜନୀତି; ‘ଡାର୍କ ଆକ୍ଟ’ କହିଲା କଂଗ୍ରେସ, ଜାଣନ୍ତୁ କ’ଣ କହିଲେ ବାଚସ୍ପତି?

ଭୁବନେଶ୍ୱର: ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାରକୁ ନେଇ ଓଡ଼ିଶାରେ ରାଜନୈତିକ ତାତି ବଢ଼ିଛି। ଖଣି ଓ ଖଣିଜ (ବିକାଶ ଓ ନିୟମାବଳୀ)(MMDR) ସଂଶୋଧନ ବିଲ୍, ୨୦୨୬କୁ ବିରୋଧ କରି କଂଗ୍ରେସ ବିଧାୟକମାନେ ବିଧାନସଭାରେ ଏହି ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ଆଲୋଚନା ପାଇଁ ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛନ୍ତି। ଶନିବାର କଂଗ୍ରେସର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ହରି ବାବୁ କମ୍ଭମପାଟି ଓ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ଏନେଇ ସ୍ମାରକପତ୍ର ଦେଇଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ନେତୃତ୍ୱରେ ପ୍ରତିନିଧିମଣ୍ଡଳୀରେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି, ସି.ଏସ୍‌. ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉଁଟା ଓ ଦାଶରଥୀ ଗମାଙ୍ଗ ପ୍ରମୁଖ ସାମିଲ ଥିଲେ। ସମ୍ବିଧାନର ଧାରା ୧୭୪(୧) ଅନୁସାରେ ତୁରନ୍ତ ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକି ଖଣିଜ ଅଧିକାର ପ୍ରସଙ୍ଗରେ ଆଲୋଚନା କରିବାକୁ ସେମାନେ ଦାବି କରିଛନ୍ତି।

କଂଗ୍ରେସର ଅଭିଯୋଗ ଅନୁସାରେ, ସଂଶୋଧିତ ଆଇନ ଖଣି ଲିଜ୍‌, ରାଜସ୍ୱ ସଂଗ୍ରହ ଓ ଲିଜ୍‌ ନବୀକରଣ ଭଳି କ୍ଷେତ୍ରରେ ରାଜ୍ୟର କ୍ଷମତାକୁ କମାଇ କେନ୍ଦ୍ରକୁ ଅଧିକ ଅଧିକାର ଦେବ। ଏହା ଫଳରେ ଓଡ଼ିଶା ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ କ୍ଷତି ସହିପାରେ ଏବଂ ବାର୍ଷିକ ରାଜସ୍ୱ କ୍ଷତି ପ୍ରାୟ ୨୦ ହଜାର କୋଟି ଟଙ୍କା ହୋଇପାରେ ବୋଲି ଦଳ ଦାବି କରିଛି। କଂଗ୍ରେସ ଏହି ଆଇନକୁ ‘ଡାର୍କ ଆକ୍ଟ’ ବୋଲି ଅଭିହିତ କରିଛି। ଦଳର ଅଭିଯୋଗ ହେଉଛି, ଏହି ଆଇନ ଜରିଆରେ ଆଦିବାସୀ ଅଞ୍ଚଳରେ ଗ୍ରାମସଭା ଓ ଟ୍ରାଇବାଲ ଆଡଭାଇଜରି କାଉନସିଲର ଆବଶ୍ୟକ ସମ୍ମତିକୁ ଦୁର୍ବଳ କରାଯାଉଛି। ଏଥିସହ PESA Act, 1996 ଓ Forest Rights Act, 2006ର ଅଧିକାର ମଧ୍ୟ ପ୍ରଭାବିତ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି।

ଖଣି ପ୍ରଭାବିତ ଅଞ୍ଚଳ ଓ ଲୋକଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିର ବ୍ୟବହାର ଉପରେ ମଧ୍ୟ ରାଜ୍ୟର ସ୍ୱାୟତ୍ତତା କମିବ ବୋଲି ଦଳ ଦାବି କରିଛି। ବିଶେଷକରି ପଞ୍ଚମ ଅନୁସୂଚୀ ଅଞ୍ଚଳରେ ବହୁ ଖଣିଜ ସମ୍ପଦ ରହିଥିବାରୁ ଏହା ଆଦିବାସୀ ସମ୍ପ୍ରଦାୟର ଅଧିକାରକୁ ପ୍ରଭାବିତ କରିପାରେ ବୋଲି କଂଗ୍ରେସ କହିଛି।

କଂଗ୍ରେସର ସ୍ମାରକପତ୍ର ଗ୍ରହଣ କରି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ଯେ ପ୍ରତିନିଧିମଣ୍ଡଳୀର ଦାବି ତାଙ୍କ ନିକଟରେ ପହଞ୍ଚିଛି। ବିଧାନସଭାର ପ୍ରକ୍ରିୟା ଓ ନିୟମ ଅନୁସାରେ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ‘ଡବଲ ଇଞ୍ଜିନ ସରକାର’କୁ ଟାର୍ଗେଟ କରି ଓଡ଼ିଶାର ଜଙ୍ଗଲ, ଜମି ଓ ଜଳ ସହ ଖଣିଜ ସମ୍ପଦର ସୁରକ୍ଷା ପାଇଁ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି କହିଛନ୍ତି। ଏହି ପ୍ରସଙ୍ଗରେ କେବଳ କଂଗ୍ରେସ ନୁହେଁ, ବିରୋଧୀ ବିଜେଡି ମଧ୍ୟ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା କରିବାକୁ ଦାବି କରିଥିଲେ।

ଏବେ କଂଗ୍ରେସ ଓ ବିଜେଡି ଉଭୟ ଖଣିଜ ଅଧିକାର ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ପାଇଁ ଚାପ ସୃଷ୍ଟି କରିଥିବାରୁ ଆଗାମୀ ଦିନରେ ଏହା ଓଡ଼ିଶା ରାଜନୀତିର ଏକ ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି। ଲୁହାପଥର, ବକ୍ସାଇଟ୍‌ ଓ କୋଇଲା ଭଳି ମୂଲ୍ୟବାନ ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶା ପାଇଁ ଏହି ସଂଶୋଧନର ପ୍ରଭାବ କେତେ ରହିବ, ତାହା ନେଇ ଏବେ ରାଜନୈତିକ ଓ ସାମାଜିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.