ପାରାଦୀପ : ବଙ୍ଗୋପସାଗରରେ ଏକ ବଡ଼ ଧରଣର ଜାହାଜ ଦୁର୍ଘଟଣା ଘଟିଛି । ପାରାଦୀପ ବନ୍ଦରରୁ ଲୁହାପଥର ନେଇ ବିଦେଶ ଯାଉଥିବା ପାନାମା ପତାକାବାହୀ ଏକ ବିଶାଳ ମାଲବାହୀ ଜାହାଜ ‘ଏମଭି ଓସେନ୍ ୱିନର୍’ ସମୁଦ୍ର ମଝିରେ ବୁଡ଼ିଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି କାର୍ଗୋ ଜାହାଜରେ ୨୪ ଜଣ କ୍ରୁ ସଦସ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ଅନ୍ୟ ୨୨ ଜଣଙ୍କର କୌଣସି ପତ୍ତା ମିଳୁନାହିଁ । ନିଖୋଜ ନାବିକମାନଙ୍କୁ ଖୋଜିବା ପାଇଁଭାରତୀୟ ତଟରକ୍ଷୀ ବାହିନୀ ଏବଂ ଭାରତୀୟ ନୌସେନା ପକ୍ଷରୁ ବ୍ୟାପକ ଖୋଜାଖୋଜି ଅଭିଯାନ ଜାରି ରହିଛି ।
ଅଧିକାରୀମାନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ଜାହାଜଟି ପାରାଦୀପ ବନ୍ଦରରୁ ପ୍ରାୟ ୭୨,୧୦୦ ମେଟ୍ରିକ୍ ଟନ୍ ଲୁହାପଥର ଗୁଣ୍ଡ ବୋଝେଇ କରି ବାହାରିଥିଲା । ଶନିବାର ଦିନ ଉପକୂଳଠାରୁ ପ୍ରାୟ ୨୩୦ ରୁ ୨୪୦ ନଟିକାଲ୍ ମାଇଲ୍ (ପ୍ରାୟ ୪୪୫ କିଲୋମିଟର) ଦୂରରେ ଥିବାବେଳେ ଜାହାଜଟି ହଠାତ୍ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ଏବଂ କିଛି ସମୟ ମଧ୍ୟରେ ତାହା ସମୁଦ୍ରରେ ବୁଡ଼ିଯାଇଥିଲା । ଏହି ଜାହାଜରେ ମୋଟ ୨୪ ଜଣ ନାବିକ ଥିଲେ, ଯେଉଁଥିରେ ୨୦ ଜଣ ଚୀନ୍ ନାଗରିକ, ୩ ଜଣ ମିଆଁମାର ଏବଂ ଜଣେ ବାଂଲାଦେଶୀ ନାଗରିକ ସାମିଲ ଥିଲେ ।
ଦୁର୍ଘଟଣା ଏବଂ ନିଖୋଜ ସମ୍ପର୍କରେ ଡିଷ୍ଟ୍ରେସ୍ ଆଲର୍ଟ ମିଳିବା କ୍ଷଣି, ସେହି ଅଞ୍ଚଳରେ ଯାତାୟାତ କରୁଥିବା ଏକ ବାଣିଜ୍ୟିକ ଜାହାଜ ‘ଏମ୍ଟି ଐସୋପୋସ୍’ କୁ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜାହାଜଟି ଲାଇଫ୍ ରାଫ୍ଟରେ ଭାସୁଥିବା ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି । ବାକି ନିଖୋଜ ୨୨ ଜଣଙ୍କ ସନ୍ଧାନ ପାଇଁ ତଟରକ୍ଷୀ ବାହିନୀ ନିଜର ତିନୋଟି ଜାହାଜ- ‘ବରଦ’, ‘ଅନମୋଲ’ ଏବଂ ‘ବିଜିତ’କୁ ତୁରନ୍ତ ଘଟଣାସ୍ଥଳକୁ ପଠାଇଛି । ଏହା ସହିତ ନୌସେନାର ଏକ ସର୍ଭେଲାନ୍ସ ବିମାନ ମଧ୍ୟ ଆକାଶ ମାର୍ଗରୁ ସମୁଦ୍ର ବକ୍ଷରେ ତୀକ୍ଷ୍ଣ ନଜର ରଖି ଖୋଜାଖୋଜି ଜାରି ରଖିଛି ।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀସର୍ବାନନ୍ଦ ସୋନୋୱାଲଏହି ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇ କହିଛନ୍ତି ଯେ, ସମସ୍ତ ସୁରକ୍ଷା ବିଭାଗ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଏବଂ ଉଦ୍ଧାର ହୋଇଥିବା ଦୁଇ କ୍ରୁ ସଦସ୍ୟଙ୍କୁ ଆବଶ୍ୟକୀୟ ଡାକ୍ତରୀ ସେବା ଯୋଗାଇ ଦିଆଯାଉଛି । ତେବେ ମୌସୁମୀ ପ୍ରଭାବରୁ ଖରାପ ପାଗ ଯୋଗୁଁ ସମୁଦ୍ର ଢେଉ ଅଶାନ୍ତ ଥିବାରୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବାଧା ଉପୁଜୁଥିବା ସୂଚନା ମିଳିଛି । ଏତେ ବିଶାଳକାୟ ଜାହାଜଟି କେଉଁ କାରଣରୁ ଏତେ ଶୀଘ୍ର ବୁଡ଼ିଗଲା, ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ଏବଂ ତଦନ୍ତ ପରେ ହିଁ ସତ୍ୟାସତ୍ୟ ପଦାକୁ ଆସିବ ।

