ସମ୍ବଲପୁର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ନଦୀଗୁଡ଼ିକର ଜଳସ୍ତରରେ ବୃଦ୍ଧି ଦେଖିବାକୁ ମିଳିଛି । ଉପରମୁଣ୍ଡ ତଥା ଛତିଶଗଡ଼ରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଲଗାତାର ଭାବେ ବନ୍ୟାଜଳ ପ୍ରବେଶ କରୁଛି । ଜଳଭଣ୍ଡାରର ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ଆଜି ପୁଣିଥରେ ଅତିରିକ୍ତ ୩ଟି ସ୍ଲୁଇସ୍ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ବର୍ତ୍ତମାନ ହୀରାକୁଦ ଡ୍ୟାମ୍ର ମୋଟ୍ ୮ଟି ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସିତ ହେଉଛି। ଆଗକୁ ବର୍ଷାର ପରିମାଣ ଏବଂ ପାଣି ପ୍ରବେଶକୁ ଦୃଷ୍ଟିରେ ରଖି ଗେଟ୍ ସଂଖ୍ୟା କମାଯିବ କିମ୍ବା ବଢ଼ାଯିବ ସେ ନେଇ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି ।
ଅନ୍ୟପକ୍ଷରେ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟ ପାଇଁ ଏକ ବଡ଼ ସତର୍କ ସୂଚନା ଜାରି କରାଯାଇଛି । ଆଜି ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ରାଜ୍ୟର ୫ଟି ଜିଲ୍ଲା ପାଇଁ ସର୍ବୋଚ୍ଚ ବିପଦ ସଙ୍କେତ ‘ରେଡ୍ ୱାର୍ଣ୍ଣିଂ’ ଜାରି କରିଛି । ଏହା ସହିତ ଅନ୍ୟ କିଛି ଜିଲ୍ଲା ପାଇଁ ଅରେଞ୍ଜ ଏବଂ ୟେଲୋ ଆଲର୍ଟ ମଧ୍ୟ ଦିଆଯାଇଛି। ଲଗାତାର ବର୍ଷା ଫଳରେ ସହରାଞ୍ଚଳର ତଳିଆ ଅଞ୍ଚଳରେ ପାଣି ଜମିବା ସହ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ମଧ୍ୟ ଭୟ ରହିଛି ।
ଏକାସାଙ୍ଗରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଏବଂ ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା କାରଣରୁ ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକର ପ୍ରଶାସନକୁ ସମ୍ପୂର୍ଣ୍ଣ ଆଲର୍ଟ ମୋଡ୍ରେ ରଖାଯାଇଛି । ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଉଥିବାରୁ, ନଦୀ କୂଳିଆ ଏବଂ ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

