Latest Odisha News

BREAKING NEWS

ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡି ଯିବା ଘଟଣା: ସର୍ଚ୍ଚ ଅପରେସନରେ ସାମିଲ ହେଲା ୨ଟି ଚାଇନା ଜାହାଜ

ପାରାଦୀପ: କୁଆଡେ ଗଲା ଓସେନ ଉଇନର। କୁଆଡେ ଗଲେ ଆଉ ୨୨ କ୍ରିୟୁ ସଦସ୍ୟ। ନୌସେନା, କୋଷ୍ଟଗାର୍ଡ ଓ ବିଭିନ୍ନ ଏଜେନ୍ସି ସର୍ଚ୍ଚ ଅପରେସନରେ ସାମିଲ ଥିଲେ ମଧ୍ୟ ପାରୁନାହାନ୍ତି ଠାବ। ଯାହାକୁ ନେଇ ଏବେବି ଜାରି ରହିଛି ସସ୍ପେନ୍ସ। ଏବେ ଅପରେସନରେ ସାମିଲ ହୋଇଛି ୨ ଟି ଚାଇନା ଜାହାଜ। ଏଥିସହିତ ଇଣ୍ଡିଆନ ନ୍ୟାଭିର ଦୁଇଟି ଏୟାରକ୍ରାଫ୍ଟ ମଧ୍ୟ ସର୍ଚ୍ଚ ଅପରେସନରେ ସାମିଲ ହୋଇଛି। ପାରାଦୀପ ବନ୍ଦରରୁ ୨୦ ତାରିଖ ବିଳମ୍ବିତ ରାତିରେ ଆଇରନଓର ନେଇ ଚାଇନା ଅଭିମୁଖେ ଯାଉଥିବା ଜାହାଜ ମଝୀ ସମୁଦ୍ରରେ ବୁଡି ଯାଇଥିବା ବେଳେ ଜାହାଜର ଦୁଇ କ୍ରିୟୁ ସଦସ୍ୟ ଉଦ୍ଧାର ହୋଇଛନ୍ତି। ଜାହାଜଟି ପାରାଦୀପ ସମୁଦ୍ର ଉପକୂଳରୁ ପ୍ରାୟ ୨୨୦ ନଟିକାଲ ମାଇଲ ଦୂର ପୋର୍ଟ ବ୍ଲେୟାର ଦ୍ଵୀପପୁଞ୍ଜ ପାଖରେ ଥିବା ବେଳେ ସେଠାରେ କୌଣସି କାରଣରୁ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି। ସେହି ରୁଟ ଦେଇ ଆସୁଥିବା ସମସ୍ତ ଜାହାଜକୁ ଆଲର୍ଟ କରାଯିବା ସହ କୋଷ୍ଟଗାର୍ଡ ଓ ନାଭି ଖୋଜାଖୋଜିରେ ଲାଗି ପଡିଛନ୍ତି।

ଗତ ୨୦ ତାରିଖରେ ପାରାଦୀପରୁ ଆଇରନଓର ନେଇ ଚାଇନା ଅଭିମୁଖେ ଯାଉଥିବା ଏହି ଜାହାଜ ୨୮ ବର୍ଷର ପୁରୁଣା ହୋଇଥିବା ବେଳେ ଏହାର କ୍ଷମତା ଧାରଣ ଓ ସହନଶୀଳତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ। ଜାହାଜରେ ୭୧ ହଜାର ୨୦୦ ମେଟ୍ରିକ ଟନ ପଣ୍ୟ ଯାଇଥିବା ବେଳେ ପ୍ରତିକୂଳ ପାଗରେ ଜାହାଜ ନିଜ ଭାରସ୍ୟାମ ହରାଇ ଭାଙ୍ଗି ଯାଇ ଦୁଇ ଖଣ୍ଡ ହୋଇଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ଜାହାଜରେ ଥିବା କାର୍ଗୋ ଲୋଡିଂ ସମୟରେ ତାର ଆଦ୍ରତା ସଠିକ ଭାବେ ନିରୀକ୍ଷଣ କରାଯାଇଥିଲା ତ। ଜାହାଜ କାର୍ଗୋ ପାଇଁ ଗୋଟିଏ ପଟକୁ ଢଳି ବୁଡି ଗଲାନି ତ। ଏଭଳି ବିଭିନ୍ନ ପ୍ରଶ୍ନ ଏବେ ଉଙ୍କି ମାରୁଛି।

ଜାହାଜ ବୁଡି ଘଟଣାକୁ ୫ ଦିନ ବିତିଥିଲେ ମଧ୍ୟ ଜାହାଜର ଏହି ୨୨ କ୍ରୀୟୁ କୁଆଡେ ଗଲେ ଏବଂ କେଉଁଠି ଅଛନ୍ତି ତାହାର ସଠିକ୍ ସୁରାକ ମିଳି ପାରୁନାହିଁ। ଗତ ୨୦ ତାରିଖରେ ପାରାଦ୍ଵୀପ ରୁ ଲୁହାପଥର ବୋଝେଇ କରି ବାହାରିଥିବା ଜାହାଜ ଓସେନ୍ ଓ୍ବିନର ୨୧ ତାରିଖ ସନ୍ଧ୍ୟାରେ ନିଖୋଜ ହୋଇଥିଲା। ମଝି ସମୁଦ୍ରରେ ଜାହାଜଟି ବୁଡି ଯାଇଥିବା କୁହାଯାଉଥିଲେ ମଧ୍ୟ ଏବେବି ସଠିକ୍ ସ୍ଥାନ ନିରୁପଣ ହୋଇପାରିନାହିଁ। ଜାହାଜର ୨୪ କ୍ରୀୟୁ ସଦସ୍ୟଙ୍କ ମଧ୍ୟରୁ ୨ ଜଣଙ୍କୁ ଏକ ତୈଳବାହୀ ଜାହାଜ ଉଦ୍ଧାର କରିଛି। ଅନ୍ୟ ୨୨ ଜଣଙ୍କ ପତ୍ତା ପାଉନାହିଁ କୋଷ୍ଟଗାର୍ଡର ତିନୋଟି ଜାହାଜ। ତେବେ ଆଜି କୋଷ୍ଟଗାର୍ଡର ଜାହାଜ ଆଇସିଜିଏସ ଭିଜିତ୍ ଓ ଆଇସିଜିଏସ ଭରାଦ ସର୍ଚ୍ଚ ଅପରେସନରୁ ନିବୃତ ହୋଇଥିବା ବେଳେ ଚାଇନାର ଦୁଇଟି ଜାହାଜ ଓ ନ୍ୟାଭିର ଦୁଇଟି ଏୟାରକ୍ରାଫ୍ଟ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ବୋଲି କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.