ନୂଆଦିଲ୍ଲୀ: ପଡୋଶୀ ଦେଶରେ ହୃଦୟ ବିଦାରକ ଘଟଣା । ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବୁଧବାର ସକାଳେ ଘଟିଛି ଏକ ହୃଦୟବିଦାରକ ଅଗ୍ନିକାଣ୍ଡ। ଇସଲାମାବାଦର ପ୍ରମୁଖ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (PIMS) ହସ୍ପିଟାଲରେ ନିଆଁ ଲାଗି ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି। ଏହି ଘଟଣା ପରେ ହସ୍ପିଟାଲ ପରିସରରେ ଆତଙ୍କ ଓ ଚାଞ୍ଚଲ୍ୟ ଖେଳିଯାଇଛି।
ରିପୋର୍ଟ ଅନୁସାରେ, ହସ୍ପିଟାଲର ଗାଇନେକୋଲୋଜି ୱାର୍ଡରେ ଲାଗିଥିବା ଏକ ଏୟାର କଣ୍ଡିସନରର କମ୍ପ୍ରେସରରେ ବିସ୍ଫୋରଣ ହେବା ପରେ ହଠାତ୍ ନିଆଁ ଲାଗିଥିଲା। ନିଆଁ ଓ ଧୂଆଁ ଯୋଗୁଁ ୱାର୍ଡରେ ଥିବା ନବଜାତ ଶିଶୁମାନେ ଗୁରୁତର ବିପଦରେ ପଡ଼ିଥିଲେ। ଅଗ୍ନିକାଣ୍ଡରେ ପୋଡ଼ିଯିବା ଏବଂ ଧୂଆଁରେ ଶ୍ୱାସରୁଦ୍ଧ ହେବା ଯୋଗୁଁ ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ୱାର୍ଡର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଜଣେ ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବେ ବାହାର କରିଥିବା ରିପୋର୍ଟରେ କୁହାଯାଇଛି।
ଘଟଣାର ସୂଚନା ପାଇବା ପରେ ପୋଲିସ, ହସ୍ପିଟାଲ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲା। ଏହି ଦୁଃଖଦ ଘଟଣାର ତଦନ୍ତ ପାଇଁ ପାକିସ୍ତାନ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଇସଲାମାବାଦ ଜିଲ୍ଲା ପ୍ରଶାସନ ଅତିରିକ୍ତ ଡେପୁଟି କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଟି ଗଠନ କରିବାକୁ ଘୋଷଣା କରିଛି। ଏହି କମିଟି ନିଆଁ ଲାଗିବାର ପ୍ରକୃତ କାରଣ ଖୋଜିବା ସହ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ଘଟଣା ସମୟରେ ଉଦ୍ଧାର ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରିବ।
ପ୍ରାଥମିକ ଭାବେ ଏୟାର କଣ୍ଡିସନରର କମ୍ପ୍ରେସର ଅତ୍ୟଧିକ ଗରମ ହୋଇଯିବାରୁ ଏହାର ଭିତରେ ଚାପ ବଢ଼ି ବିସ୍ଫୋରଣ ଘଟିଥିବା ଆଶଙ୍କା କରାଯାଉଛି। ତେବେ ଏହା ହିଁ ଅଗ୍ନିକାଣ୍ଡର ପ୍ରକୃତ କାରଣ କି ନୁହେଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏହା ସହିତ ଖରାପ ବିଦ୍ୟୁତ୍ ତାର, ଢିଲା ସଂଯୋଗ, ଅଧିକ ବିଦ୍ୟୁତ୍ ଭାର କିମ୍ବା ସକେଟ୍ରେ ଅତ୍ୟଧିକ ଲୋଡ୍ ଯୋଗୁଁ ସର୍ଟ ସର୍କିଟ୍ ହୋଇଥିବା ସମ୍ଭାବନାକୁ ମଧ୍ୟ ଯାଞ୍ଚ କରାଯାଉଛି।
ଇସଲାମାବାଦର PIMS ହସ୍ପିଟାଲ ପ୍ରାୟ ୧୪୦ ଏକର ଅଞ୍ଚଳରେ ବିସ୍ତାରିତ। ଏଠାରେ ପ୍ରାୟ ୧୩୦୦ଟି ଶଯ୍ୟା ରହିଛି। ହସ୍ପିଟାଲରେ ବିଭିନ୍ନ ପ୍ରକାର ରୋଗର ଚିକିତ୍ସା କରାଯାଏ। ଏହା ଅଧୀନରେ ଇସଲାମାବାଦ ହସ୍ପିଟାଲ, ଚିଲଡ୍ରେନ୍ ହସ୍ପିଟାଲ, ମଦର ଆଣ୍ଡ ଚାଇଲ୍ଡ ହେଲ୍ଥ ସେଣ୍ଟର, ବର୍ଣ୍ଣ କେୟାର ସେଣ୍ଟର ଏବଂ କାର୍ଡିଆକ୍ ସେଣ୍ଟର ଭଳି ବିଭିନ୍ନ ଚିକିତ୍ସା କେନ୍ଦ୍ର ରହିଛି।
ନବଜାତ ଶିଶୁଙ୍କ ମୃତ୍ୟୁ ଘଟଣା ପରେ PIMS ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ନବଜାତ ଶିଶୁଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠିଛି। ତଦନ୍ତ କମିଟିର ରିପୋର୍ଟ ପରେ ଏହି ଭୟଙ୍କର ଘଟଣାର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

