ନାଗୋୟା (ଜାପାନ): ଜାପାନର ଆଇଚି-ନାଗୋୟାଠାରେ ଆୟୋଜିତ ହେବାକୁ ଥିବା ୨୦୨୬ ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ପ୍ରତିଯୋଗିତାର ସମ୍ପୂର୍ଣ୍ଣ ସୂଚୀ ପ୍ରକାଶ ପାଇଛି । ଗତ ସଂସ୍କରଣରେ ଗୋଲ୍ଡ ମେଡାଲ୍ ଜିତିଥିବା ଭାରତୀୟ ପୁରୁଷ ଓ ମହିଳା ଦଳ ଏଥର ମଧ୍ୟ ସିଧାସଳଖ କ୍ୱାଟରଫାଇନାଲରୁ ନିଜର ଅଭିଯାନ ଆରମ୍ଭ କରିବେ । ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ଭାରତ, ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ସିଧାସଳଖ କ୍ୱାଟରଫାଇନାଲ୍ ଖେଳିବେ । ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ପୁରୁଷ ଦଳ ସେପ୍ଟେମ୍ବର ୨୮ରେ ପ୍ରଥମ କ୍ୱାଟରଫାଇନାଲ୍ ମ୍ୟାଚ୍ ଖେଳିବ । ଗ୍ରୁପ୍-ଏ (ଆଫଗାନିସ୍ତାନ, ନେପାଳ, ଜାପାନ)ରେ ଦ୍ୱିତୀୟ ସ୍ଥାନରେ ରହିବାକୁ ଥିବା ଦଳ ସହ ଭାରତର ମୁକାବିଲା ହେବ ।
ଗ୍ରୁପ୍-ଏରେ ଆଫଗାନିସ୍ତାନ ଶୀର୍ଷରେ ରହିଲେ ଭାରତ ନେପାଳ କିମ୍ବା ଜାପାନ ସହ ମୁହାଁମୁହିଁ ହେବାର ଅଧିକ ସମ୍ଭାବନା ରହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ କେବଳ ଫାଇନାଲ୍ କିମ୍ବା ବ୍ରୋଞ୍ଜ ମେଡାଲ୍ ମ୍ୟାଚ୍ରେ ହିଁ ସମ୍ଭବ ହୋଇପାରିବ । ଜାପାନ ବିପକ୍ଷରେ ପ୍ରଥମ ମହିଳା କ୍ରିକେଟ୍ ସେପ୍ଟେମ୍ବର ୧୭ରୁ ୨୨ ପର୍ୟ୍ୟନ୍ତ ଆୟୋଜିତ ହେବ । ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ସେପ୍ଟେମ୍ବର ୧୮ରେ ଆୟୋଜକ ଜାପାନ ବିପକ୍ଷରେ ନିଜର ପ୍ରଥମ କ୍ୱାଟରଫାଇନାଲ୍ ଖେଳିବ । ମହିଳା ବିଭାଗରେ ୮ଟି ଦଳ ଭାଗ ନେଉଥିବାରୁ କ୍ୱାଟରଫାଇନାଲ୍ ନିର୍ଘଣ୍ଟ ପୂର୍ବରୁ ସ୍ପଷ୍ଟ ହୋଇସାରିଛି ।

