Latest Odisha News

BREAKING NEWS

ନେପାଳରେ ହଠାତ୍ ବନ୍ୟା ଆସିବାର କାରଣ କଣ ?

କାଠମାଣ୍ଡୁ : ନେପାଳର ରସୁୱା ସୀମାନ୍ତ ଅଞ୍ଚଳ, ରସୁୱାଗଢ଼ି ଏବଂ ଭୋଟେ କୋଶୀ ନଦୀ ଅବବାହିକାରେ ଆସିଥିବା ଆକସ୍ମିକ ପ୍ରଳୟଙ୍କରୀ ବନ୍ୟା ପଛରେ ହିମସ୍ଖଳନ ଯୋଗୁଁ ନଦୀର ସ୍ରୋତ ଅଟକି ବନ୍ଧ ଭାଙ୍ଗିବା ମୁଖ୍ୟ କାରଣ ବୋଲି ସନ୍ଦେହ କରାଯାଉଛି। ଇଣ୍ଟରନ୍ୟାସନାଲ ସେଣ୍ଟର ଫର୍ ଇଣ୍ଟିଗ୍ରେଟେଡ୍ ମାଉଣ୍ଟେନ୍ ଡେଭେଲପମେଣ୍ଟ ର ବିଶେଷଜ୍ଞ ଶାଶ୍ବତ ସାନ୍ୟାଲଙ୍କ ଅନୁଯାୟୀ, ନଦୀରେ ଗୋଟିଏ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏପରି ଭୟଙ୍କର ବନ୍ୟା ଆସିଛି। ପାହାଡ଼ରୁ ବରଫ ଖସି ନଦୀର ସ୍ରୋତକୁ କିଛି ସମୟ ପାଇଁ ଅଟକାଇ ଦେବା ପରେ, ସେହି ବନ୍ଧ ହଠାତ୍ ଭାଙ୍ଗିଯିବାରୁ ପ୍ରବଳ ଜଳରାଶି ମାଡ଼ି ଆସି ପ୍ରଳୟ ସୃଷ୍ଟି କରିଥିଲା।

ସଂସ୍ଥାର ଜଳବାୟୁ ବିଶେଷଜ୍ଞ କିଆଙ୍ଗଗଙ୍ଗ୍ ଝାଙ୍ଗ୍ ସୂଚନା ଦେଇଛନ୍ତି ଯେ ନେପାଳ-ଚୀନ୍ ସୀମା ନିକଟସ୍ଥ ଉପର ଭାଗରେ ଏବେ ବି ନଦୀର ପ୍ରବାହ ବାଧାପ୍ରାପ୍ତ ହୋଇ ରହିଛି, ଯାହା ଫଳରେ ଆଗକୁ ଦ୍ୱିତୀୟ ପର୍ଯ୍ୟାୟ ବନ୍ୟା ଆସିବାର ବଡ଼ ବିପଦ ରହିଛି। ଜଳସ୍ତର ହଠାତ୍ ବୃଦ୍ଧିର କାରଣ ପାଇଁ ତଦନ୍ତ ଚାଲିଛି । ଅନ୍ୟପଟେ ଏହି ଭୟଙ୍କର ବନ୍ୟା କିପରି ଘଟିଲା ତାହା ଜାଣିବା ପାଇଁ ନେପାଳ- ଚୀନ୍ ଅଧିକାରୀମାନଙ୍କ ସହିତ ନେପାଳୀ ଗବେଷଣା ପ୍ରତିଷ୍ଠାନଗୁଡ଼ିକଠାରୁ ବାସ୍ତବ-ସମୟ ତଥ୍ୟ ଏବଂ ସୂଚନା ମଗା ଯାଉଛି।

(ପ୍ରଥମ ଫଟୋ :ମଙ୍ଗଳବାର ,ଦ୍ୱିତୀୟ ଫଟୋ – ବୁଧବାର)

ନେପାଳ ପାଣିପାଗ ବିଜ୍ଞାନୀ ସ୍ପଷ୍ଟ କରିଛନ୍ତି ଯେ, ବନ୍ୟା କୌଣସି ସାଧାରଣ ମୌସୁମୀ ବନ୍ୟା ନୁହେଁ ।ପାଣିପାଗ ବିଜ୍ଞାନ ବିଭାଗର ସ୍ୱତନ୍ତ୍ର ବୁଲେଟିନ୍ ଅନୁଯାୟୀ, ମଙ୍ଗଳବାର ଏବଂ ବୁଧବାର ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇନଥିଲା। ବର୍ଷା ଅଭାବ ସତ୍ତ୍ୱେ ହଠାତ୍ ଏତେ ବଡ଼ ଜଳସ୍ରୋତ ମାଡ଼ିଆସିବା ସମସ୍ତଙ୍କୁ ଚକିତ କରିଛି। ତେବେ କୌଣସି ପ୍ରାକୃତିକ ବନ୍ଧ କିମ୍ବା ପ୍ରତିବନ୍ଧକ ହଠାତ୍ ଭାଙ୍ଗିଯିବା ଯୋଗୁଁ ହିଁ ଏହି ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବିଜ୍ଞାନୀମାନେ ମତ ରଖିଛନ୍ତି

Leave A Reply

Your email address will not be published.