ଅଡ଼ବା :ଗଜପତି ପୋଲିସକୁ ବଡ଼ ସଫଳତା ମିଳିଛି । ତେଲେଙ୍ଗାନାର ହାଇଦ୍ରାବାଦରୁ ଅଡ଼ବା ପୋଲିସ ୫ ଜଣ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ପ୍ରାଥମିକ ତଦନ୍ତ ଅନୁସାରେ, ରାୟଗଡ଼ା-କନ୍ଧମାଳ-ଗଜପତି ସୀମାନ୍ତ ଅଞ୍ଚଳର ଆର୍ଥିକ ଦୁର୍ବଳ ପରିବାରର ନାବାଳିକାମାନଙ୍କୁ ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ନିଆଯାଇଥିଲା । ଘଟଣାର ମୁଖ୍ୟ ଦଲାଲ ରାଜକୁମାର ବସ୍ତ୍ରରାୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ପ୍ରତ୍ୟେକ ନାବାଳିକାଙ୍କ ବାବଦରେ ଦଲାଲ ୧୫ରୁ ୨୦ ହଜାର ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ଏପରିକି ନାବାଳିକାମାନଙ୍କ ଆଧାର କାର୍ଡରେ ଜନ୍ମତାରିଖ ସମ୍ପର୍କିତ ତଥ୍ୟ ବଦଳାଇ ବୟସ ଅଧିକ ଦର୍ଶାଇ ସେମାନଙ୍କୁ ସାବାଳିକା ଭାବେ କାମରେ ନିୟୋଜିତ କରାଯାଉଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି ।
ଅଡ଼ବା ଅଞ୍ଚଳର ଜଣେ ମହିଳା ସରପଞ୍ଚଙ୍କ ଅଭିଯୋଗ ଆଧାରରେ ଚଳିତ ମାସ ୧୭ ତାରିଖରେ ଅଡ଼ବା ଥାନାରେ ମାମଲା ରୁଜୁ ହୋଇଥିଲା । ସ୍ୱତନ୍ତ୍ର ପୋଲିସ ଟିମ୍ ହାଇଦ୍ରାବାଦ ଯାଇ ଖୋଜାଖୋଜି କରିବା ପରେ ୫ ନାବାଳିକାଙ୍କୁ ଠାବ କରି ଉଦ୍ଧାର କରିଛି ।

