ରାୟପୁର: ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଛତିଶଗଡର ବିଜେପି ସାଂସଦ ଭୋଜରାଜ ନାଗ । ଲେମ୍ବୁ କାଟି ବର୍ଷା ବନ୍ଦ କରିବା ମନ୍ତବ୍ୟ ଦେବା ପରେ ବିରୋଧୀ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ଦେଇଛି । ସାଂସଦଙ୍କ ଏଭଳି ମନ୍ତବ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯାଇଛି । ମଙ୍ଗଳବାର ଦାଉଣ୍ଡିଲୋହରାରେ ଏକ ସାଧାରଣ ସଭାରେ ପାଗ ଖରାପ ଥିଲା ଏବଂ ବର୍ଷା ହେଉଥିଲା ବୋଲି ସେ କହିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଆସିବାର ସେ ସୂଚନା ପାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆସିବା ସୂଚନା ପାଇବା ପରେ ମହାଦେବଙ୍କୁ ପ୍ରାର୍ଥନା କରି ଲେମ୍ବୁ କାଟିବା ପରେ ବର୍ଷା ବନ୍ଦ ହୋଇଥିଲା ବୋଲି ସେ ସଭାରେ କହିଥିଲେ ।
ବୁଦ୍ଧଦେବ ଓ ମହାଦେବଙ୍କୁ ପ୍ରାର୍ଥନା କରି ଲେମ୍ବୁ କାଟିବାରୁ ବାଲୋଦ ଜିଲ୍ଲାରେ ବର୍ଷା ବନ୍ଦ ହୋଇଥିଲା ବୋଲି ସେ କହିଥିଲେ । ସାଂସଦ ଏହିକଥା କହିବା ସମୟରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ଉପସ୍ଥିତ ଥିଲେ । ତାଙ୍କ ମନ୍ତବ୍ୟ ଶୁଣିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ ମଧ୍ୟ ହସିଥିଲେ । ସାଂସଦଙ୍କ ଏଭଳି ମନ୍ତବ୍ୟକୁ କଂଗ୍ରେସ କଡା ସମାଲୋଚନା କରିଛି । କାଙ୍କେର ବିଜେପି ସାଂସଦ ଆଗରୁ ମଧ୍ୟ ଲେମ୍ବୁ, ଝଡାଫୁଙ୍କା, ଭୂତ କଥା କହି ଅନେକ ସମାଲୋଚନାର ଶିକାର ହୋଇଛନ୍ତି । ତେବେ ଛତିଶଗଡ କଂଗ୍ରେସ ମୁଖ୍ୟ ଦୀପକ ବୈଜ ଏହି ବୟାନକୁ ନେଇ ନାଗକୁ କଟାକ୍ଷ କରିଛନ୍ତି ।
ତାଙ୍କ ମତରେ ଯଦି ଗୋଟିଏ ଲେମ୍ବୁ ବର୍ଷାକୁ ରୋକିପାରେ ତେବେ ଚିନିଦର ଓ ମୁଦ୍ରାସ୍ପୀତି କମାଇବା ପାଇଁ ମଧ୍ୟ ଗୋଟିଏ ଲେମ୍ବୁ କାଟିବା ଉଚିତ। ସାଂସଦଙ୍କ ଏଭଳି ମନ୍ତବ୍ୟ ସୋସିଆଲ ମିଡିଆରେ ବ୍ୟାପକ ପରିହାସ ହୋଇଛି । ବିଦ୍ୟୁତ ବିଲ, ଇନ୍ଧନ ବିଲ କମାଇବା ପାଇଁ ଗୋଟିଏ ଲେମ୍ବୁ କାଟିବା ଦରକାର ବୋଲି ୟୁଜର୍ସମାନେ ସୋସିଆଲ ମିଡିଆରେ ମତ ଦେଇଛନ୍ତି । ଜଣେ ସାଂସଦ ହୋଇ ଏଭଳି ମନ୍ତବ୍ୟ ଦେବା ଠିକ ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ତେଣୁ ଏଭଳି ମନ୍ତବ୍ୟ ଦେବା ଅପେକ୍ଷା ସାଂସଦ କିଛି ନକହିବା ଭଲ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

