Rourkela Circuit House Gun Case:ସର୍କିଟ ହାଉସରୁ ବନ୍ଧୁକ ଜବତ ଘଟଣା;କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ଇସ୍ତଫା ଦାବି କରି କଂଗ୍ରେସର ବିକ୍ଷୋଭ
ରାଉରକେଲା: ରାଉରକେଲା ସର୍କିଟ ହାଉସ ବନ୍ଧୁକ ଜବତ ଘଟଣା । ମାଷ୍ଟର୍ମାଇଣ୍ଡ୍ ପ୍ରକାଶ ପାଶୱାନକୁ ବିହାରର ସମସ୍ତିପୁର ଅଞ୍ଚଳରୁ ଗିରଫ ପରେ ରାଉରକେଲା ଆଣିଛି ପୋଲିସ । ଗିରଫ ପ୍ରକାଶ ରାଉରକେଲାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । ଗତ କିଛି ଦିନ ପୂର୍ବେ ରାଉରକେଲା ପାନପୋଷ ସରକାରୀ ସର୍କିଟ ହାଉସରେ ସଶସ୍ତ୍ର ଅପରାଧୀଙ୍କୁ ଆଶ୍ରୟ ଦେବାର ମୁଖ୍ୟ ଅଭିଯୁକ୍ତ ଥିଲେ ପ୍ରକାଶ ପାସୱାନ । ଏପଟେ ଗିରଫ ଅପରାଧୀଙ୍କ ସହ ସମ୍ପୃକ୍ତିର ନିରପେକ୍ଷ ତଦନ୍ତ ଓ ଗଣମାଧ୍ୟମରେ ଦେଇଥିବା ଅଶାଳୀନ ମନ୍ତବ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ ।
ଆଜି ଉଦିତନଗର ଆମ୍ବେଦକର ଛକରେ ଜିଲ୍ଲା ଯୁବ, ଛାତ୍ର ଓ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି l ଜୁଏଲ ଇସ୍ତଫା ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବାକୁ ଚେତାବନୀ ଦିଆଯାଇଛି ।
ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଜ୍ଞାନେନ୍ଦ୍ର ଦାସ କହିଛନ୍ତି ନିଜକୁ ଜଣେ ଟାଣୁଆ ଆଦିବାସୀ ନେତା କହୁଥିବା ଜୁଏଲ ସୁନ୍ଦରଗଡ଼ର ଆଦିବାସୀଙ୍କ ପାଇଁ କିଛି କରି ନାହାନ୍ତି । ସେ କଣ ଚ୍ୟାଲେଞ୍ଜ ଦେଉଛନ୍ତି, ଆମେ ଚ୍ୟାଲେଞ୍ଜ ଦେଉଛୁ ନିର୍ବାଚନ ଲଢ଼ି ଦେଖାନ୍ତୁ । ଜିଲ୍ଲାବାସୀ ଏହାର ଦୃଢ ଜବାବ ଦେବେ ।
ସୂଚନାଥାଉକି, ସୁନ୍ଦରଗଡ଼ରେ ବିଜେପି ରାଜନୀତି ତୀବ୍ର ହେବାରେ ଲାଗିଛି। ସର୍କିଟ୍ ହାଉସ୍ରୁ ପେସାଦାର ଅପରାଧୀ ଗିରଫ ଓ ବନ୍ଧୁକ ଜବତ ଘଟଣାରେ ସମ୍ପୃକ୍ତ ଥିବା ନିଲମ୍ବିତ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶ୍ବାନଙ୍କୁ ଗିରଫ କରାଯାଇଛି। ଏହି ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଓରାମ ନିଜ ଦଳର କିଛି ନେତାଙ୍କ ଉପରେ ଅଭିଯୋଗ କରିଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ଜୁଏଲ ଓରାମ କହିଛନ୍ତି,”ରାଉରକେଲାରେ ବିଗତ କିଛି ଦିନ ହେବ କିଛି ଲୋକ ଟଙ୍କା ଖର୍ଚ୍ଚ କରି ମୋତେ ବଦନାମ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ଅପପ୍ରଚାର ଚଳାଇଛନ୍ତି । ସେମାନେ ଭାବୁଛନ୍ତି ଯେ, ଜୁଏଲ ଓରାମ ଡ୍ରପ୍ ହୋଇଗଲେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ତାଙ୍କୁ ସ୍ଥାନ ମିଳିବ । କିନ୍ତୁ ମୁଁ ଏହି ପାର୍ଟିକୁ ରକ୍ତ ମାଂସ ଦେଇକି ତିଆରି କରିଛି । ଆଉ ପାର୍ଟି ମୋତେ ଯାହା ଦେଇଛି ସେଥିରେ ମଧ୍ୟ ମୁଁ ସନ୍ତୁଷ୍ଟ ଅଛି । ମୋର ପ୍ରତିଷ୍ଠା ବା ସମ୍ମାନରେ ଯେଉଁମାନେ ଆଞ୍ଚ ଆଣିବାକୁ ଚେଷ୍ଟା କରିବେ ବା ହାତ ଲଗେଇବେ, ସେ ହାତକୁ କଟି ଫିଙ୍ଗି ଦେବାର ତାକତ ମୁଁ ରଖୁଛି ।”
ଖୋଲା ଚାଲେଞ୍ଜ ଦେଇ ଓରାମ କହିଛନ୍ତି, ମୁଁ ନିର୍ବାଚନ ଲଢ଼ିବି ନାହିଁ ବୋଲି କହିଥିଲି। କିନ୍ତୁ ମୁଁ ଆଉଥରେ ନିର୍ବାଚନ ଲଢ଼ିବି। ମୁଁ ଦେଖିବି, କେଉଁମାନେ ମୋ ବିରୋଧରେ କାମ କରୁଛନ୍ତି, ସେମାନଙ୍କର କ’ଣ ଅବସ୍ଥା ହେବ ଓ ସେମାନଙ୍କର ମୁଁ କ’ଣ କରିବି। ଅନ୍ୟ ଦଳରୁ ଆସି ମୋ ପାର୍ଟିରେ ପଶି କିଛି ପଇସାପତ୍ର ଖର୍ଚ୍ଚ କରି ମୋତେ ଅସ୍ଥିର କରିବାକୁ ଚେଷ୍ଟା କରାଯାଉଛି। ମୁଁ ଏ ସଂପର୍କରେ ଦଳର ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କୁ କହିଛି। ସେମାନେ ଏ ସମ୍ପର୍କରେ ଆଲୋଚନା କରିବେ ଓ ନ୍ୟାୟ ଦେବେ। ଆବଶ୍ୟକ ହେଲେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ମଧ୍ୟ ସେ ଏ ବିଷୟରେ ଅବଗତ କରାଇବେ ବୋଲି କହିଛନ୍ତି।

