ଦିଗପହଣ୍ଡି: ନେପାଳରେ ବୁଧବାରର ଭୟଙ୍କର ବନ୍ୟା ପରେ ତ୍ରିଶୁଳି-3A ସମେତ ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡ଼ଙ୍ଗ ଭିତରେ ଫସି ରହିଥିଲେ ଶହ ଶହ ଲୋକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ନେପାଳ ପ୍ରୟାସ ବୃଦ୍ଧି କରୁଛି। ଏହି ବିଭୀଷିକାରେ ୪ ଓଡିଆଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟ ସାରୁ ଗ୍ରାମର ମୂଳବାସିନ୍ଦା ମନ୍ମଥ ପାଢ଼ୀଙ୍କ ଝିଅ ସୁରଭି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ପାର୍ବତୀପୁରମର ତାଙ୍କ ସ୍ବାମୀ ସନ୍ତୋଷ ସାହୁ, ପୁଅ ସ୍ପନ୍ଦନ ସାହୁ, ଝିଅ ସ୍ୟାନା କୁମାରୀ ସାହୁଙ୍କ ମୃତ୍ୟୁ ଘଟିଛି। ସେ ଦିଗପହଣ୍ଡି ବଡ଼ଦାଣ୍ଡ ସାହିର ଉପେନ୍ଦ୍ର ସାହୁଙ୍କ ଭାଣିଜୀ ସୁରଭିଙ୍କୁ ବିବାହ କରିଥିଲେ। ସେମାନେ ଲଣ୍ଡନର ସ୍ଥାୟୀ ବାସିନ୍ଦା ଅଟନ୍ତି। ସନ୍ତୋଷ ଲଣ୍ଡନରେ ଏକ ଆଇଟି କମ୍ପାନୀର ମାଲିକ ଥିଲେ। ପୁଅ ସ୍ପନ୍ଦନ ଲଣ୍ଡନର ଗୁଇଲଡ଼ଫୋର୍ଡସ୍ଥିତ ରୟାଲ ଗ୍ରାମର ସ୍କୁଲର ମନସ୍ତତ୍ତ୍ୱ, ରାଜନୀତି ବିଜ୍ଞାନ ଓ ଅର୍ଥନୀତି ବିଭାଗର ଏ – ଲେଭଲ କୋର୍ସରେ ଅଧ୍ୟୟନ କରୁଥିଲେ।
ସେ ବିଶ୍ୱବିଦ୍ୟାଳୟର ହକି ଓ କ୍ରିକେଟ ଟିମ୍ର ସଦସ୍ୟ ଥିଲେ। ସନ୍ତୋଷ ପରିବାର ସହ ଗତ ୫ ତାରିଖରେ ଲଣ୍ଡନରୁ ମୁମ୍ବାଇସ୍ଥିତ ଶ୍ବଶୁର ଘରକୁ ଆସିଥିଲେ। ସେଠାରେ କିଛିଦିନ ରହିବା ପରେ ଗତ ୧୯ ତାରିଖରେ ରାମକୃଷ୍ଣ ଅଧିକାରୀଙ୍କ ମାଲିକାନାରେ ଚାଲିଥିବା ଏକ ଟ୍ରାଭେଲ ଏଜେନ୍ସି ଜରିଆରେ ପ୍ରାୟ ୩୩ ପର୍ଯ୍ୟଟକ ଟିମ୍ରେ ମାନସସରୋବର ବୁଲିବାକୁ ଯାଇଥିଲେ। ଗତ ବୁଧବାର ସକାଳ ପ୍ରାୟ ସାଢେ ୮ ଟାରେ ସେମାନେ ନେପାଳର ରୁସୁଓ୍ବାଗଢ଼ି ଠାରେ ଥିବା ହୋଟେଲ୍ରେ ଜଳଖିଆ ଖାଉଥିବା ବେଳେ ସନ୍ତୋଷ ତାଙ୍କ ପରିବାର ସଦସ୍ୟଙ୍କ ସହ ବନ୍ୟା ପାଣିରେ ଭାସି ଯାଇଥିବା ଜଣାପଡିଛି।
ମନ୍ମଥ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରରେ ଜଣେ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିବା ପରେ ମୁମ୍ବାଇରେ ରହୁଥିଲେ। ପୁଅ ଜିତେନ୍ଦ୍ର ପାଢ଼ୀ ଓ ଝିଅ ସୁରଭିଙ୍କ ବାଲ୍ୟଜୀବନ ମୁମ୍ବାଇରେ କଟିଥିଲା। ସେଠାରେ ହିଁ ସୁରଭି ପାଠ ପଢୁଥିଲେ। ସୁରଭି ପାର୍ବତୀପରମର ଅବସରପ୍ରାପ୍ତ ରେଞ୍ଜର ସୁବାସ ସାହୁଙ୍କ ବଡ଼ପୁଅ ସନ୍ତୋଷଙ୍କୁ ବିବାହ କରିବା ପରେ ଲଣ୍ଡନରେ ରହୁଥିଲେ।

