ନୂଆଦିଲ୍ଲୀ: ଆଇପିଏଲ୍ର ବହୁ ଚର୍ଚ୍ଚିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ନେଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ସମସ୍ତ ୧୦ଟି ଫ୍ରାଞ୍ଚାଇଜିର ମତାମତ ମାଗିଛି । ସୋମବାର ସୁଦ୍ଧା ସମସ୍ତ ଟିମ୍କୁ ନିଜର ଅଫିସିଆଲ୍ ରାୟ ଦେବାକୁ କୁହାଯାଇଛି । ବିସିସିଆଇ ସମ୍ପାଦକ ଦେବଜୀତ ସାଇକିଆ ସଙ୍କେତ ଦେଇଛନ୍ତି ଯେ ଫ୍ରାଞ୍ଚାଇଜିଗୁଡ଼ିକର ସୁଝାବ ଆଧାରରେ ଆଇପିଏଲ୍ ୨୦୨୭ ପୂର୍ବରୁ ଏହି ନିୟମର ସମୀକ୍ଷା କରାଯାଇପାରେ । କେବଳ ଇମ୍ପାକ୍ଟ ପ୍ଲେୟାର ନିୟମ ନୁହେଁ, ଅମ୍ପାୟାରିଂ, ଖେଳାଳି ଓ ମ୍ୟାଚ୍ ଅଫିସିଆଲ୍ ଏରିଆ, ଅଭ୍ୟାସ ସେସନ୍ ଏବଂ ମ୍ୟାଚ୍ ସର୍ତ୍ତାବଳୀକୁ ନେଇ ମଧ୍ୟ ପରାମର୍ଶ ଲୋଡ଼ାଯାଇଛି ।
ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ପ୍ରମୁଖ ଭାରତୀୟ ଖେଳାଳି ଏହି ନିୟମକୁ ପୂର୍ବରୁ ବିରୋଧ କରିସାରିଛନ୍ତି । ଏହି ନିୟମ ଯୋଗୁଁ ଅଲରାଉଣ୍ଡରଙ୍କ ଗୁରୁତ୍ୱ କମୁଛି ଏବଂ ବୋଲର ଓ ବ୍ୟାଟରଙ୍କ ମଧ୍ୟରେ ଥିବା ସନ୍ତୁଳନ ପ୍ରଭାବିତ ହେଉଛି ବୋଲି ସେମାନେ ମତ ଦେଇଥିଲେ । ସମସ୍ତ ଫ୍ରାଞ୍ଚାଇଜିର ପ୍ରତିକ୍ରିୟା ମିଳିବା ପରେ ବୋର୍ଡ ନିଷ୍ପତ୍ତି ନେବ ଯେ ଆଗାମୀ ସିଜନ୍ରେ ଏହି ନିୟମ ବଜାୟ ରହିବ ନା ଏଥିରେ କୌଣସି ପରିବର୍ତ୍ତନ କରାଯିବ। ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜର କ୍ରିକେଟ୍ ଅପରେସନ୍ସ ଟିମ୍ ସହ ଆଲୋଚନା କରି ଫିଡ୍ବ୍ୟାକ୍ ଦେବା ପରେ, ସମସ୍ତ ପ୍ରସ୍ତାବର ସମୀକ୍ଷା କରିବ । ତା’ପରେ ହିଁ ଆଗାମୀ ସିଜନ୍ରେ ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ରହିବ ନା ବାତିଲ୍ ହେବ, ସେ ନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ ।

