Latest Odisha News

BREAKING NEWS

ନୂଆ ରୂପରେ ଭୋଡାଫୋନ୍-ଆଇଡିଆ (Vi): ବ୍ରାଣ୍ଡ୍ ଆମ୍ବାସାଡର ହେଲେ ଶାହାରୁଖ ଖାନ

ମୁମ୍ବାଇ: ଦେଶର ତୃତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆ ନିଜ ବ୍ରାଣ୍ଡକୁ ଏକ ନୂଆ ରୂପ ଦେଇଛି । କମ୍ପାନୀ ନିଜର ନୂତନ ଲୋଗୋ ଉନ୍ମୋଚନ କରିବା ସହ ବଲିଉଡର ବାଦଶାହା ଶାହାରୁଖ ଖାନଙ୍କୁ ଏହାର ନୂଆ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ନୂଆ ଲୋଗୋ ଲଞ୍ଚ ସହିତ କମ୍ପାନୀ ‘Vi ବଦଳୁଛି… ପ୍ରସ୍ତୁତ ରୁହନ୍ତୁ’ (Vi badal raha hai… tayaar rahiye) ନାମକ ଏକ ନୂଆ ଅଭିଯାନ କିମ୍ବା କ୍ୟାମ୍ପେନ୍ ମଧ୍ୟ ଆରମ୍ଭ କରିଛି ।

ଏହି ବ୍ରାଣ୍ଡିଂ ପରିବର୍ତ୍ତନର ଅଂଶସ୍ୱରୂପ, ନୂଆ ଲୋଗୋରେ Vi ର ‘i’ ତଳେ ଥିବା ହଳଦିଆ ବିନ୍ଦୁକୁ ଉପରକୁ ଅଣାଯାଇ ଏକ ଡାଇନାମିକ୍ ଥ୍ରୀ-ଡି ଗୋଲାକାର ରୂପ ଦିଆଯାଇଛି । Vi ସିଇଓ ଅଭିଜିତ କିଶୋରଙ୍କ ମତରେ, ଏହା କେବଳ ଏକ ଲୋଗୋ ପରିବର୍ତ୍ତନ ନୁହେଁ ବରଂ ଭବିଷ୍ୟତରେ Vi ବ୍ରାଣ୍ଡର ଏକ ନୂତନ ବିକାଶର ପ୍ରତୀକ । ଆଗାମୀ ଦିନରେ ଗ୍ରାହକମାନଙ୍କୁ ଆହୁରି ଉନ୍ନତ ଏବଂ ଲାଭଦାୟକ ସେବା ଯୋଗାଇଦେବା ଲକ୍ଷ୍ୟରେ କମ୍ପାନୀ ଏହି ପରିବର୍ତ୍ତନ ଆଣିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ଗୋଟିଏ ପଟେ ବ୍ରାଣ୍ଡିଂ ଏବଂ ପ୍ରଚାରରେ ପରିବର୍ତ୍ତନ ଆସିଥିବା ବେଳେ ଅନ୍ୟପଟେ କମ୍ପାନୀ ନିଜ ନେଟୱାର୍କ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ଆଗାମୀ ତିନି ବର୍ଷ ମଧ୍ୟରେ 4G କଭରେଜ୍ ବୃଦ୍ଧି ଏବଂ 5G ସେବାର ସମ୍ପ୍ରସାରଣ ପାଇଁ Vi ପ୍ରାୟ ୪୫,୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବାର ଲକ୍ଷ୍ୟ ରଖିଛି ।

ଏଥିପାଇଁ ପାଣ୍ଠି ଯୋଗାଡ଼ ପ୍ରକ୍ରିୟା ମଧ୍ୟ ଜୋରସୋରରେ ଚାଲିଛି। ଗତ ଜୁନ୍ ତ୍ରୈମାସରେ କମ୍ପାନୀ ବିଭିନ୍ନ ଉତ୍ସରୁ ୬,୪୦୦ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଥିଲା ଏବଂ ବର୍ତ୍ତମାନ ଏସବିଆଇ ଠାରୁ ଋଣ ନେବା ଦିଗରେ ପ୍ରସ୍ତୁତି ଆଗେଇ ନେଇଛି ।

ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ ତଥା Vi ର ନନ୍-ଏକ୍ସିକ୍ୟୁଟିଭ୍ ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲାଙ୍କ କହିବା ଅନୁଯାୟୀ, କମ୍ପାନୀ ଏବେ ତାର ସବୁଠାରୁ କଠିନ ସମୟ ଅତିକ୍ରମ କରିସାରିଛି ଏବଂ ଆର୍ଥିକ ସ୍ଥିତିରେ ବେଶ୍ ସୁଧାର ଆସିଛି । ବିଶେଷକରି ଏଜିଆର ବକେୟା ପ୍ରସଙ୍ଗରେ ସାମାନ୍ୟ ଆଶ୍ୱସ୍ତି ମିଳିବା ପରେ ବର୍ତ୍ତମାନ ବଜାର ପ୍ରତିଯୋଗିତା ଏବଂ ନେଟୱାର୍କ ସମ୍ପ୍ରସାରଣ ଉପରେ କମ୍ପାନୀ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ କରୁଛି। ଶାହାରୁଖ ଖାନଙ୍କ ଭଳି ବ୍ୟାପକ ଲୋକପ୍ରିୟତା ହାସଲ କରିଥିବା ଷ୍ଟାରଙ୍କୁ ନେଇ ନୂଆ ରୂପରେ ବଜାରକୁ ଆସିବା Vi ର ବ୍ୟବସାୟିକ ପ୍ରଗତିକୁ କେତେ ସଫଳ କରୁଛି, ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ।

Leave A Reply

Your email address will not be published.