ନୂଆଦିଲ୍ଲୀ: ଖରାଦିନେ ଶୋଷ ମେଣ୍ଟାଇବା ପାଇଁ ହେଉ କିମ୍ବା କୌଣସି ପାର୍ଟିରେ, କୋଲ୍ଡ ଡ୍ରିଙ୍କସ୍ ବା ସଫ୍ଟ ଡ୍ରିଙ୍କସ୍ର ଚାହିଦା ସର୍ବଦା ଅଧିକ ରହିଥାଏ । ଫାଣ୍ଟା, କୋକା-କୋଲା ଭଳି ପାନୀୟ ଆଜିକାଲି ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶ ପାଲଟିଗଲାଣି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭାରତରେ ମିଳୁଥିବା ଫାଣ୍ଟା କିମ୍ବା ଅନ୍ୟାନ୍ୟ କୋଲ୍ଡ ଡ୍ରିଙ୍କସ୍ରେ ବ୍ରିଟେନ ତୁଳନାରେ ଦୁଇଗୁଣରୁ ଅଧିକ ଚିନି ରହିଥାଏ । ଗୋଟିଏ ବ୍ରାଣ୍ଡର ପାନୀୟ ଦୁଇଟି ଦେଶରେ ଭିନ୍ନ ଭିନ୍ନ ମାତ୍ରାର ଚିନି ସହ କାହିଁକି ବିକ୍ରି ହେଉଛି, ତାହାକୁ ନେଇ ଏବେ ଏକ ବଡ଼ ବିତର୍କ ସୃଷ୍ଟି ହୋଇଛି। ଏହା ପଛରେ ଥିବା ମୁଖ୍ୟ କାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସ୍ପଷ୍ଟୀକରଣ ଦେଇଛନ୍ତି ।
ବିଶେଷଜ୍ଞଙ୍କ ମତରେ, ଏହି ପାର୍ଥକ୍ୟର ମୁଖ୍ୟ କାରଣ ହେଉଛି ବ୍ରିଟେନ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ‘ଶୁଗାର ଟ୍ୟାକ୍ସ’ । ୨୦୧୮ ମସିହାରେ ବ୍ରିଟେନରେ ଏହି ନୂଆ କର ବ୍ୟବସ୍ଥା ଲାଗୁ ହୋଇଥିଲା, ଯାହା ଅନୁଯାୟୀ ପାନୀୟରେ ଚିନିର ମାତ୍ରା ଯେତେ ଅଧିକ ରହିବ, କମ୍ପାନୀଗୁଡ଼ିକୁ ସେତେ ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିବ । ଏହି ବର୍ଦ୍ଧିତ ଟ୍ୟାକ୍ସରୁ ବର୍ତ୍ତିବା ପାଇଁ ବହୁରାଷ୍ଟ୍ରୀୟ ପାନୀୟ କମ୍ପାନୀଗୁଡ଼ିକ ବ୍ରିଟେନ ବଜାରରେ ନିଜ ପ୍ରଡକ୍ଟରେ ଚିନି ମାତ୍ରାକୁ ବହୁଳ ଭାବରେ ହ୍ରାସ କରିଦେଲେ ଏବଂ ଏହା ବଦଳରେ କୃତ୍ରିମ ମିଠାର ବ୍ୟବହାର ଆରମ୍ଭ କଲେ । ଫଳରେ ସେଠାରେ ଗ୍ରାହକମାନେ କମ୍ ଚିନିଯୁକ୍ତ ପାନୀୟ ପାଇପାରୁଛନ୍ତି ।
ଅନ୍ୟପକ୍ଷରେ, ଭାରତରେ ଏପର୍ଯ୍ୟନ୍ତ ଏଭଳି କୌଣସି କଠୋର ‘ଶୁଗାର ଟ୍ୟାକ୍ସ’ ନୀତି ଲାଗୁ କରାଯାଇ ନାହିଁ। ଭାରତୀୟ ବଜାରରେ କୋଲ୍ଡ ଡ୍ରିଙ୍କସ୍ ଉପରେ ଜିଏସଟିତ ଲାଗୁଛି, କିନ୍ତୁ ଚିନି ମାତ୍ରାକୁ ଆଧାର କରି କୌଣସି ସ୍ୱତନ୍ତ୍ର କର ଆଦାୟ ହେଉନାହିଁ। ଏହି କୋହଳ ନୀତିର ଫାଇଦା ଉଠାଇ କମ୍ପାନୀଗୁଡ଼ିକ ଭାରତୀୟ ବଜାରରେ ନିଜ ପୁରୁଣା ଫର୍ମୁଲା ବଜାୟ ରଖିଛନ୍ତି, ଯେଉଁଥିରେ ପ୍ରଚୁର ପରିମାଣରେ ଚିନି ମିଶାଯାଉଛି ।
ଏକ ରିପୋର୍ଟ ଅନୁଯାୟୀ, ଭାରତରେ ବିକ୍ରି ହେଉଥିବା ପ୍ରତି ୧୦୦ ମିଲିଲିଟର ଫାଣ୍ଟାରେ ପ୍ରାୟ ୧୦-୧୩ ଗ୍ରାମ୍ ଚିନି ଥିବା ବେଳେ ବ୍ରିଟେନରେ ଏହା ମାତ୍ର ୪-୫ ଗ୍ରାମ୍ ମଧ୍ୟରେ ସୀମିତ। ଅତ୍ୟଧିକ ଚିନି ସେବନ ଯୋଗୁଁ ଭାରତରେ ମେଦବହୁଳତା, ଡାଇବେଟିସ୍ ଏବଂ ହୃଦରୋଗ ଭଳି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ, ଜନସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଭାରତ ସରକାର ମଧ୍ୟ ବ୍ରିଟେନ ଭଳି କଠୋର ଶୁଗାର ଟ୍ୟାକ୍ସ ନୀତି ଆପଣାଇବା ଉଚିତ୍, ଯାହାଦ୍ୱାରା କମ୍ପାନୀଗୁଡ଼ିକ ବାଧ୍ୟ ହୋଇ ପାନୀୟରେ ଚିନିର ମାତ୍ରା କମ୍ କରିବେ ।

