ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ବରିଷ୍ଠ ଖେଳାଳି ରୋହିତ ଶର୍ମା, ମହମ୍ମଦ ସାମୀ, ଭୁବନେଶ୍ୱର କୁମାର ଓ ଇଶାନ୍ତ ଶର୍ମାଙ୍କ କ୍ୟାରିୟରକୁ ନେଇ ଚର୍ଚ୍ଚା ଲାଗିରହିଛି । ଚୟନକର୍ତ୍ତାମାନେ ଏହି ବରିଷ୍ଠ ଖେଳାଳିଙ୍କଠାରୁ ଆଗକୁ ବଢ଼ିବାକୁ ଚାହୁଁଥିବା ବେଳେ ଏହି ଖେଳାଳିମାନେ କିନ୍ତୁ ଅବସର ନେବା ମୁଡ୍ରେ ନାହାନ୍ତି । ଏକ ରିପୋର୍ଟ ଅନୁଯାୟୀ, ରୋହିତ, ସାମୀ, ଭୁବନେଶ୍ୱର ଓ ଇଶାନ୍ତ ଅବସର ନନେବାର ମୁଖ୍ୟ କାରଣ ହେଉଛି ସେମାନଙ୍କର କଣ୍ଟ୍ରାକ୍ଟ, ବ୍ରାଣ୍ଡ୍ ଡିଲ୍ (ବିଜ୍ଞାପନ) ଏବଂ ଅନ୍ୟାନ୍ୟ ବ୍ୟାବସାୟିକ ସୁଯୋଗ । ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ଦ୍ୱାରା ଏହି ସମସ୍ତ ଚୁକ୍ତି ହାତଛଡ଼ା ହେବାର ଆଶଙ୍କା ରହିଛି ।
୨୦୨୭ ଦିନିକିଆ ୱାର୍ଲ୍ଡ କପ୍ ପାଇଁ ଚିଫ୍ ସିଲେକ୍ଟର ଅଜିତ ଅଗରକର ସେମାନଙ୍କୁ ଚୟନ ନକରିବା ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ଲର୍ଡସ ଦିନିକିଆରେ ସେ ଶତକ ହାସଲ କରି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଏହି ସିରିଜ୍ରେ ସେ ୫୮.୩୩ ହାରରେ ୧୭୫ ରନ୍ ସଂଗ୍ରହ କରିଛନ୍ତି । ଭୁବନେଶ୍ୱର ଆଇପିଏଲ୨୦୨୬ ରେ ଆରସିବିକୁ ଚାମ୍ପିୟନ୍ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ୨୮ଟି ୱିକେଟ୍ ନେଇଥିଲେ । ବର୍ତ୍ତମାନ ସେ ୟୁପି ଟି୨୦ ଲିଗରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ମହମ୍ମଦ ସାମୀ ଦୁଲୀପ ଟ୍ରଫି ସେମିଫାଇନାଲ୍ରେ ସେଣ୍ଟ୍ରାଲ୍ ଜୋନ୍ ବିପକ୍ଷରେ ୫ଟି ୱିକେଟ୍ ନେଇ ନିଜ ଦଳକୁ ଫାଇନାଲ୍କୁ ନେଇଛନ୍ତି । ଖେଳାଳିମାନଙ୍କ ବୟସ ବଢ଼ୁଥିଲେ ବି ସେମାନଙ୍କର ଫର୍ମ ଓ ଶ୍ରେଷ୍ଠ ପ୍ରଦର୍ଶନ ଏହା ପ୍ରମାଣିତ କରୁଛି ଯେ ସେମାନେ ଆଦୌ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନାହାନ୍ତି ।

