ଭୁବନେଶ୍ୱର: ସାରର କଳାବଜାରୀ ଓ ବେଆଇନ ଚାଲାଣକୁ ରୋକିବା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୂନ୍ୟ-ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି। ସାରର କଳାବଜାରୀ, ମହଜୁଦକରଣ ଏବଂ ନିମ୍ନମାନର ସାର ଯୋଗାଣ ଭଳି ବିଭିନ୍ନ ଅନୈତିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଜିଲ୍ଲା ଓ ବ୍ଲକ ସ୍ତରରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି।
ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ୧୧,୬୮୪ଟି ସାର ଦୋକାନରେ ଚଢ଼ାଉ କରାଯାଇଛି। ୨,୭୭୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୩୨୧ ଜଣ ଡିଲରଙ୍କ ସାର ବିକ୍ରିକୁ ସାମୟିକ ଭାବେ ବନ୍ଦ କରାଯାଇଛି।
ଏହା ସହିତ, ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ୧୭୦ ଜଣ ଡିଲରଙ୍କ ଲାଇସେନ୍ସ ନିଲମ୍ବିତ କରାଯାଇଥିବାବେଳେ ୯୬ ଜଣ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି। ଏଥିସହ ଅନିୟମିତତାରେ ଲିପ୍ତ ୧୨ ଜଣ ଡିଲରଙ୍କ ମହଜୁଦ ଥିବା ସାରକୁ ଜବତ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି।
ରାଜସ୍ୱ ବିଭାଗ, କୃଷି ବିଭାଗ ଏବଂ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ନିରୀକ୍ଷଣ ଦଳ ଓ ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି। ଏହି ଦଳଗୁଡ଼ିକ କୃଷି ସଚିବ ସଚିନ ରାମଚନ୍ଦ୍ର ଜାଧବଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ପାଇକାରୀ ଓ ଖୁଚୁରା ସାର ଦୋକାନରେ ନିୟମିତ ଚଢ଼ାଉ କରୁଛନ୍ତି। ଯେଉଁଠାରେ କୌଣସି ଅନିୟମିତତା ଚିହ୍ନଟ ହେଉଛି, ସେଠାରେ ସାର ନିୟନ୍ତ୍ରଣ ଆଦେଶ, ୧୯୮୫ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ, ୧୯୫୫ ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯାଉଛି।
ଗତ ୨୦୨୫–୨୬ ବର୍ଷରେ ୯,୦୧୭ଟି ସାର ଦୋକାନରେ ଚଢ଼ାଉ କରାଯାଇଥିଲା। ସେଥିମଧ୍ୟରୁ ୨,୩୭୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିଲା, ୪୮ ଜଣ ଡିଲରଙ୍କ ସାର ବିକ୍ରି ବନ୍ଦ କରାଯାଇଥିଲା ଏବଂ ୫୩ ଜଣ ଡିଲରଙ୍କ ଲାଇସେନ୍ସ ନିଲମ୍ବନ ଓ ୯୦ ଜଣଙ୍କର ଲାଇସେନ୍ସ ବାତିଲ କରାଯାଇଥିଲା। ଏହାବ୍ୟତୀତ, ଗୁରୁତର ଅଭିଯୋଗ ଆଧାରରେ ୧୫ ଜଣ ଡିଲରଙ୍କ ମହଜୁଦ ସାରକୁ ଜବତ କରାଯାଇଥିଲା ଏବଂ ୯ ଜଣଙ୍କ ବିରୋଧରେ ଆଇନଗତ ମାମଲା ରୁଜୁ ହୋଇଥିଲା।
୨୯ ଅଗଷ୍ଟରେ କନ୍ଧମାଳର ବାଲିଗୁଡ଼ା ଉପଖଣ୍ଡରେ ଥିବା ‘ମା’ ସାବିତ୍ରୀ ଏଗ୍ରୋ ଏଜେନ୍ସି’ରେ ତହସିଲଦାର, କୃଷି ବିଭାଗର ଅଧିକାରୀ ଏବଂ ପୁଲିସର ଏକ ମିଳିତ ଦଳ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ୭୦୦ ବସ୍ତା ଡିଏପି ସାର ଜବତ କରାଯାଇଥିଲା, ଦୋକାନର ଲାଇସେନ୍ସ ବାତିଲ କରାଯାଇଥିଲା ଏବଂ ଏକ ଅପରାଧିକ ମାମଲା ରୁଜୁ ହୋଇଥିଲା। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି।
ସେହିପରି ବୌଦ୍ଧ ଜିଲ୍ଲାର ମନମୁଣ୍ଡା ବ୍ଲକର ବିଭିନ୍ନ ସାର ଦୋକାନରେ ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଗତ ଦୁଇ ଦିନ ଧରି ଚଢ଼ାଉ ଓ ଯାଞ୍ଚ ଜାରି ରହିଛି। ଏହି ଯାଞ୍ଚ ସମୟରେ ଅଧିକାରୀମାନେ ଉପସ୍ଥିତ ଥିବା କୃଷକମାନଙ୍କଠାରୁ ବୟାନ ମଧ୍ୟ ଗ୍ରହଣ କରୁଛନ୍ତି। ବୌଦ୍ଧର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ଯେ, କଳାବଜାରୀ ଏବଂ ଅନ୍ୟାନ୍ୟ ଅନିୟମିତତା ସମ୍ପର୍କିତ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ କୃଷି ବିଭାଗ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯିବ।
ସମସ୍ତ ସାର ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ଅଛି ଏବଂ ଚାଷୀମାନେ ଭୟଭୀତ ହେବାର କୌଣସି କାରଣ ନାହିଁ । ଚଳିତ ଖରିଫ ଋତୁରେ ସାର ଯୋଗାଣକୁ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରିବା ପାଇଁ ସରକାର ପ୍ରତିବଦ୍ଧ ଏବଂ ସମଗ୍ର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। କୃଷକମାନଙ୍କୁ ଅନୁରୋଧ କରାଯାଉଛି ଯେ, ଗୁଜବ କିମ୍ବା ଅପପ୍ରଚାରରେ ବିଚଳିତ ନ ହୋଇ କେବଳ ଅନୁମୋଦିତ ଦୋକାନରୁ ନିର୍ଦ୍ଧାରିତ ମୂଲ୍ୟରେ ସାର କ୍ରୟ କରନ୍ତୁ।

