Reprehensible act of vandalism:୧୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ଭଙ୍ଗିଲା ପାକିସ୍ତାନ; ଭାରତ ଦୃଢ଼ ଆପତ୍ତି ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି
ନୂଆଦିଲ୍ଲୀ: ପାକିସ୍ତାନର ନାରୋୱାଲ ଜିଲ୍ଲାର ସିରାଜ ଗ୍ରାମରେ ଥିବା ପ୍ରାୟ ଶହେ ବର୍ଷ ପୁରୁଣା ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ନେଇ ଭାରତ ଗଭୀର ଉଦ୍ବେଗ ପ୍ରକାଶ କରିଛି। ଏହି ଘଟଣାକୁ ଦୃଢ଼ ନିନ୍ଦା କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହାକୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ଉପାସନା ସ୍ଥଳ ବିରୁଦ୍ଧରେ “ନିନ୍ଦନୀୟ ଭଙ୍ଗାରୁଜା” ବୋଲି ବର୍ଣ୍ଣନା କରିଛି। ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି ଯେ, ପାକିସ୍ତାନର ସିରାଜ ଗ୍ରାମରେ ଏକ ଐତିହାସିକ ହିନ୍ଦୁ ମନ୍ଦିର ଭାଙ୍ଗି ଦିଆଯାଇଥିବା ନେଇ ଆସିଥିବା ଚିନ୍ତାଜନକ ଖବରକୁ ଭାରତ ଗୁରୁତର ସହ ଗ୍ରହଣ କରିଛି।
ସେ କହିଛନ୍ତି ଯେ ପ୍ରାୟ ଶତାବ୍ଦୀ ପୁରୁଣା ସଂଖ୍ୟାଲଘୁ ପୂଜାସ୍ଥଳ ବିରୁଦ୍ଧରେ ଏହି ଘୃଣ୍ୟ ଭଙ୍ଗାରୁଜାକୁ ସେମାନେ ସ୍ପଷ୍ଟ ଭାବରେ ନିନ୍ଦା କରୁଛନ୍ତି। ଭାରତ ମନ୍ଦିରକୁ ସୁରକ୍ଷା ଦେବାରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ବିଫଳତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଜୟସୱାଲ ମନ୍ତବ୍ୟ ଦେଇଛନ୍ତି ଯେ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟ ଉଦାସୀନତା ଏବଂ ମନ୍ଦିରକୁ ସୁରକ୍ଷା ଦେବାରେ ବିଫଳତା ଚିନ୍ତାଜନକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପରି ଘଟଣା ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ୱାରା ସମ୍ମୁଖୀନ ହେଉଥିବା ନିରନ୍ତର ଅସୁରକ୍ଷା ଏବଂ ସେମାନଙ୍କ ଧାର୍ମିକ ସ୍ୱାଧୀନତା ଏବଂ ପୂଜାସ୍ଥଳର ଗମ୍ଭୀର ଉଲ୍ଲଂଘନର ସ୍ମରଣ କରାଇଥାଏ।
ଭାରତ ପାକିସ୍ତାନ ସରକାରଙ୍କ ନିକଟରେ ଦାବି କରିଛି ଯେ ସେମାନେ ଏହି ଘଟଣାର ତୁରନ୍ତ ଓ ସ୍ୱଚ୍ଛ ତଦନ୍ତ କରନ୍ତୁ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାକିସ୍ତାନ ସରକାରଙ୍କୁ ମନ୍ଦିରର ପୁନରୁଦ୍ଧାର ପାଇଁ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରିବାକୁ କହିଛି। ରଣଧୀର ଜୈସୱାଲ କହିଛନ୍ତି ଯେ, ନିଜର ସମସ୍ତ ସଂଖ୍ୟାଲଘୁ ନାଗରିକଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ଏବଂ ସେମାନଙ୍କ ସାଂସ୍କୃତିକ ଐତିହ୍ୟର ସୁରକ୍ଷା କରିବା ହେଉଛି ପାକିସ୍ତାନ ସରକାରଙ୍କ ମୁଖ୍ୟ ଦାୟିତ୍ୱ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଭାରତର ବାର୍ତ୍ତା ସ୍ପଷ୍ଟ: ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ସ୍ଥଳଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବା ପାକିସ୍ତାନ ସରକାରଙ୍କ ଦାୟିତ୍ୱ ଏବଂ ମନ୍ଦିର ଭାଙ୍ଗିବା ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।
ନାରୋୱାଲର ସିରାଜ ଗ୍ରାମରେ ଅବସ୍ଥିତ ଏହି ହିନ୍ଦୁ ମନ୍ଦିରଟି ୧୦୦ ବର୍ଷରୁ ଅଧିକ ପୁରୁଣା ବୋଲି କୁହାଯାଏ। ଏହି ଗ୍ରାମଟି ଲାହୋରଠାରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ଅବସ୍ଥିତ। ଅଗଷ୍ଟ ୨୧ ତାରିଖରେ ଏହି ମନ୍ଦିରକୁ ଭାଙ୍ଗି ଦିଆଯାଇଥିଲା। ଏହି ଘଟଣା ପରେ, ପାକିସ୍ତାନର ସଂଖ୍ୟାଲଘୁ ଗୋଷ୍ଠୀ ଏବଂ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟର ନେତାମାନେ ଘଟଣାର ତଦନ୍ତ ଓ ମନ୍ଦିରର ପୁନଃନିର୍ମାଣ ପାଇଁ ଦାବି କରିଥିଲେ।
ମନ୍ଦିର ଭାଙ୍ଗିଦିଆଯିବା କାରଣକୁ ନେଇ ଅଲଗ ଅଲଗ ଦାବି ସାମ୍ନାକୁ ଆସିଛି। ସଂଖ୍ୟାଲଘୁ ଗୋଷ୍ଠୀଗୁଡ଼ିକ ଅଭିଯୋଗ କରିଛନ୍ତି ଯେ, ମନ୍ଦିରର ଜମିକୁ ନିକଟସ୍ଥ ଏକ ମଦ୍ରାସା ସହିତ ମିଶାଇବା ଉଦ୍ଦେଶ୍ୟରେ ଧାର୍ମିକ କଟ୍ଟରପନ୍ଥୀମାନେ ଏହାକୁ ଟାର୍ଗେଟ୍ କରିଥିଲେ। ଅନ୍ୟପକ୍ଷରେ, ପାକିସ୍ତାନର ‘ଇଭାକ୍ୟୁଇ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ’ (ETPB) ଦାବି କରିଛି ଯେ ପ୍ରବଳ ବର୍ଷା ଯୋଗୁଁ ମନ୍ଦିରର ଗଠନ ଭୁଶୁଡ଼ି ପଡ଼ିଥିଲା।

