ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ MKCG ମେଡିକାଲ୍ କଲେଜ ଓ ହସ୍ପିଟାଲର ଜଣେ ପ୍ରଥମ ବର୍ଷ MBBS ଛାତ୍ର ଗତ ୪ ଦିନ ଧରି ନିଖୋଜ ଥିବା ଘଟଣା କ୍ୟାମ୍ପସରେ ଚିନ୍ତାର କାରଣ ହୋଇଛି। ନିଖୋଜ ଛାତ୍ର ହେଲେ ସାଗର ସାହୁ, ଯିଏ ଯାଜପୁର ଜିଲ୍ଲାର ବାସିନ୍ଦା। ପୁଅର ନିଖୋଜ ଖବର ପାଇ ସାଗରଙ୍କ ବାପା, ମାମୁଁ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ବ୍ରହ୍ମପୁରରେ ପହଞ୍ଚିଛନ୍ତି।
ସାଗର ଏମବିବିଏସ ପ୍ରଥମ ବର୍ଷର ଛାତ୍ର ଥିଲେ ଏବଂ ପ୍ରାୟ ଏକ ବର୍ଷ ହେବ ମେଡିକାଲ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ । ଗତ ୩୧ ତାରିଖରୁ ସାଗର ନିଖୋଜ ଥିବା ସୂଚନା ମିଳିଛି । ଦୀର୍ଘ ସମୟ ଧରି ତାଙ୍କର କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକେ ଅତ୍ୟନ୍ତ ଚିନ୍ତିତ ହୋଇ ପଡ଼ିଛନ୍ତି । ପରିବାର ଲୋକେ ବ୍ରହ୍ମପୁର ରେଳ ଷ୍ଟେସନ ସମେତ ସହରର ବିଭିନ୍ନ ସ୍ଥାନରେ ସାଗରଙ୍କୁ ଖୋଜାଖୋଜି କରୁଛନ୍ତି।
ରେଳ ଷ୍ଟେସନରେ ପହଞ୍ଚି ସାଗର ସେଠାକୁ ଆସିଥିଲେ କି ନାହିଁ କିମ୍ବା କୌଣସି ଟ୍ରେନରେ ଯାଇଛନ୍ତି କି ନାହିଁ, ସେ ନେଇ ଅନୁସନ୍ଧାନ ଜାରି ରଖିଛନ୍ତି। ହଷ୍ଟେଲରୁ ବାହାରିବା ପରେ ସାଗର କୁଆଡ଼େ ଗଲେ ଏବଂ ତାଙ୍କ ନିଖୋଜ ପଛର କାରଣ କଣ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକେ ସାଗରଙ୍କୁ ଫେରି ପାଇବା ପାଇଁ ଆକୁଳ ନିବେଦନ କରିଛନ୍ତି ।

