Poor Food Quality: ଏମିତି ଜାଗାରେ ତିଆରି ହେଉଥିଲା ଖାଇବା? ଦେଖିଲେ ବାନ୍ତି ମାଡିବ… ବେଙ୍ଗାଲୁରୁରେ ରେଡ୍ ପରେ କିଚେନ୍ ସିଲ୍!
ବେଙ୍ଗାଲୁରୁ: ବାହାରୁ ପୂରା ଚକାଚକ୍, ହେଲେ ରୋଷେଇ ଘର ଦେଖିଲେ ମାଡିବ ବାନ୍ତି…ବେଙ୍ଗାଲୁରୁରେ ଏକ କ୍ଲବ୍ର କିଚେନ୍ରୁ ଖାଦ୍ୟ ସୁରକ୍ଷାକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ଅବହେଳା। ଖାଦ୍ୟ ବିଭାଗର ଚଢ଼ାଉ ବେଳେ ଯେଉଁ ପରିସ୍ଥିତି ଦେଖାଗଲା, ତାହା ଖାଦ୍ୟର ଗୁଣବତ୍ତା ନେଇ ବଡ଼ ପ୍ରଶ୍ନ ଉଠାଇଛି।
କର୍ଣ୍ଣାଟକର ସହକାରନଗର ଅଞ୍ଚଳର ଡଲାର୍ସ କଲୋନୀସ୍ଥିତ ଚେୟାରମ୍ୟାନ୍ସ କ୍ଲବ୍ରେ ଗୁରୁବାର ରାତିରେ ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ପ୍ରାୟ ୪୦ କିଲୋଗ୍ରାମ ଏକ୍ସପାୟର୍ ଲଙ୍କା ମିଳିଥିଲା। ଏହାସହ ୫ କିଲୋଗ୍ରାମ ବ୍ରେଡ୍ କ୍ରମ୍ବସ୍ ଏବଂ ୨ କିଲୋଗ୍ରାମ ଶାହୀ ଜିରାରେ ମଧ୍ୟ ନିୟମ ଅନୁସାରେ ଲେବଲ୍ ନଥିବା ଜଣାପଡ଼ିଛି। ସବୁଠାରୁ ଚିନ୍ତାଜନକ କଥା ହେଉଛି କିଚେନ୍ ଏବଂ ଖାଦ୍ୟ ଷ୍ଟୋର୍ କରାଯାଉଥିବା ସ୍ଥାନରେ ଅତ୍ୟଧିକ ଅପରିଷ୍କାର ପରିବେଶ ଦେଖାଯାଇଥିଲା। କିଚେନ୍ରେ ଖାଇବା ପଚି ପଡିଥିବା ବେଳେ ଠାବେ ଠାବେ ଶିଉଳି ମାଡି ଯାଇଛି । ଏହାସହ ଅନୁମତି ନଥିବା କୃତ୍ରିମ ରଙ୍ଗର ବ୍ୟବହାର କିମ୍ବା ମହଜୁଦ ଥିବା ଏବଂ ଆବଶ୍ୟକ ଖାଦ୍ୟ ସୁରକ୍ଷା ନିୟମ ପାଳନ ହେଉନଥିବା ଅଭିଯୋଗ ସାମ୍ନାକୁ ଆସିଛି।
ଆହୁରି ଏକ ଗୁରୁତର ଅବହେଳା ହେଉଛି, ଶାକାହାରୀ ଓ ମାଂସାହାରୀ ଖାଦ୍ୟ ସାମଗ୍ରୀକୁ ଏକାଠି ଷ୍ଟୋର୍ କରାଯାଉଥିଲା। ଏହି ସମସ୍ତ ଅବ୍ୟବସ୍ଥା ଦେଖିବା ପରେ ବିଭାଗ ପକ୍ଷରୁ କ୍ଲବ୍ର କିଚେନ୍କୁ ସିଲ୍ କରାଯାଇଛି। ମିଆଦ ସରିଯାଇଥିବା ଖାଦ୍ୟ ସାମଗ୍ରୀକୁ ମଧ୍ୟ ଜବତ କରାଯାଇଛି। ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଆକ୍ଟ, ୨୦୦୬ ଏବଂ ସମ୍ପୃକ୍ତ ନିୟମ ଅନୁସାରେ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।
ବିଭାଗ ସ୍ପଷ୍ଟ କରିଛି, ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ନିୟମ ଭାଙ୍ଗୁଥିବା ୟୁନିଟ୍ ବିରୋଧରେ ଆଗକୁ ମଧ୍ୟ ଯାଞ୍ଚ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ।

