Latest Odisha News

BREAKING NEWS

Snatched Gold Chain: ମନ୍ତ୍ରୀଙ୍କୁ ପିନ୍ଧାଉଥିଲେ ମାଳ…କିଏ ନେଇଗଲା ୭ ଲକ୍ଷର ସୁନା ଚେନ୍?

ମୁଜାଫରପୁର: ମନ୍ତ୍ରୀଙ୍କୁ ମାଳ ପିନ୍ଧାଇବେ କ’ଣ ନିଜ ବେକରୁ ଗାଏବ୍ ସୁନା ଚେନ୍! ଚୋରର ହାତଚାଲାଖି, ନେଇଗଲା ନେତାଙ୍କ ୭ ଲକ୍ଷର ଚେନ୍!

ବିହାରର ମୁଜାଫରପୁର ଜିଲ୍ଲାରେ ସ୍ୱାସ୍ଥ୍ୟମନ୍ତ୍ରୀ ନିଶାନ୍ତ କୁମାରଙ୍କୁ ସ୍ୱାଗତ କରିବା ବେଳେ ଜଣେ JDU ନେତାଙ୍କ ଦାମୀ ଚେନ୍ ଚୋରି ହେବା ଘଟଣା ଏବେ ହଇଚଇ ସୃଷ୍ଟି କରିଛି । କୁଢ଼ନୀ ପ୍ରଖଣ୍ଡର ସକରୀ ମୋଡ଼ରେ ମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ଜମିଥିବା ବେଳେ ଏହାର ସୁଯୋଗ ନେଇ ଚୋର JDU ନେତା ରାଜେଶ ମଣ୍ଡଳଙ୍କ ଗଳାରୁ ପ୍ରାୟ ୭ ଲକ୍ଷ ଟଙ୍କା ମୂଲ୍ୟର ସୁନା ଚେନ୍ ନେଇଯାଇଥିବା ଅଭିଯୋଗ ହୋଇଛି।

ଲଦୌରା ନିବାସୀ ରାଜେଶ ମଣ୍ଡଳ ନିଜ ସମର୍ଥକଙ୍କ ସହ ସକରୀ ମୋଡ଼ରେ ପହଞ୍ଚି ମନ୍ତ୍ରୀଙ୍କୁ ସ୍ୱାଗତ କରୁଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ପ୍ରାୟ ୧୦୦ରୁ ୧୫୦ ଲୋକଙ୍କ ଭିଡ଼ ଥିଲା। ଏହି ଗହଳି ମଧ୍ୟରେ କେହି ତାଙ୍କ ଗଳାରୁ ସୁନା ଚେନ୍ ଚୋରି କରି ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ରାଜେଶଙ୍କ କହିବା ଅନୁସାରେ, ଚୋରି ହୋଇଥିବା ଚେନ୍‌ର ଓଜନ ପ୍ରାୟ ୩୪ ଗ୍ରାମ ଏବଂ ଏହାର ବର୍ତ୍ତମାନ ବଜାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା। ଚେନ୍ ଗାଏବ ହୋଇଥିବା ଜଣାପଡ଼ିବା ପରେ ସେ ତୁରନ୍ତ ଆଖପାଖରେ ଖୋଜାଖୋଜି କରିଥିଲେ। କିନ୍ତୁ ଚେନ୍‌ର କୌଣସି ସନ୍ଧାନ ମିଳିନଥିଲା।

ରାଜେଶ ଆହୁରି ଅଭିଯୋଗ କରିଛନ୍ତି ଯେ କିଛି ସନ୍ଦିଗ୍ଧ ଯୁବକ ତାଙ୍କ ପଛେ ପଛେ ବୁଲୁଥିଲେ। ତେଣୁ ଭିଡ଼ର ଫାଇଦା ଉଠାଇ ସେମାନେ ଏହିପରି କରିଥାଇପାରନ୍ତି ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି। ଏହାପରେ ରାଜେଶ ମଣ୍ଡଳ ତୁରନ୍ତ ସ୍ଥାନୀୟ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ସେ ଭିଡ଼ ମଧ୍ୟରେ ସକ୍ରିୟ ଥିବା ଚୋରି ଗ୍ୟାଙ୍ଗ୍‌ର ସଦସ୍ୟଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫ କରିବା ସହ ଚୋରି ହୋଇଥିବା ଚେନ୍ ଉଦ୍ଧାର କରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି।

ଅଭିଯୋଗ ମିଳିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମନ୍ତ୍ରୀଙ୍କ ସ୍ୱାଗତ ସମାରୋହ ସମୟର CCTV ଏବଂ ଅନ୍ୟାନ୍ୟ ଫୁଟେଜ୍ ଯାଞ୍ଚ କରାଯାଉଛି। ରାଜେଶଙ୍କ ପଛେ ପଛେ ଚାଲୁଥିବା ସନ୍ଦିଗ୍ଧ ଯୁବକମାନଙ୍କୁ ଚିହ୍ନଟ କରିବାକୁ ମଧ୍ୟ ପୋଲିସ ଚେଷ୍ଟା କରୁଛି। ଚୋରକୁ ଶୀଘ୍ର ଧରିବା ଏବଂ ସୁନା ଚେନ୍ ଉଦ୍ଧାର ପାଇଁ ପୋଲିସ ପକ୍ଷରୁ ଆଶ୍ୱାସନ ଦିଆଯାଇଛି।

ତେବେ ମନ୍ତ୍ରୀଙ୍କ ସ୍ୱାଗତ ଭଳି ସାର୍ବଜନୀନ କାର୍ଯ୍ୟକ୍ରମରେ ଏତେ ବଡ଼ ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.