ଏୟାର ଇଣ୍ଡିଆର ‘ଜିରୋ ଟଲରାନ୍ସ’ ନୀତି: ଯାତ୍ରୀଙ୍କ ସୁରକ୍ଷା ସହ କୌଣସି ସାଲିସ୍ ନାହିଁ, ଚାକିରି ହରାଇଲେ ନିଶାଶକ୍ତ ପାଇଲଟ୍
ନୂଆଦିଲ୍ଲୀ: ନିଶାଶକ୍ତ ଅବସ୍ଥାରେ ବିମାନ ଉଡ଼ାଇ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇଥିବା ଜଣେ ପାଇଲଟଙ୍କ ବିରୋଧରେ ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏକ ବିମାନର ମୁଖ୍ୟ ପାଇଲଟ୍ ଡ୍ରଗ୍ ଟେଷ୍ଟରେ ଫେଲ୍ ହେବା ପରେ ତାଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ଏବଂ ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ କମ୍ପାନୀର ‘ଜିରୋ ଟଲରାନ୍ସ’ ନୀତି ରହିଛି, ତେଣୁ ଏଭଳି ଖାମଖିଆଲି ମନୋଭାବକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୪ ତାରିଖ ଦିନ ଏହି ଅଭାବନୀୟ ଘଟଣା ଘଟିଥିଲା। ୧୪୫ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ବିମାନ (AI-2379) ଫୁକେଟ୍ରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିଲା। ଆକାଶ ମାର୍ଗରେ ପ୍ରାୟ ୩୬ ହଜାର ଫୁଟ୍ ଉଚ୍ଚତାରେ ଉଡ଼ୁଥିବା ବେଳେ ହଠାତ୍ ବିମାନର ତିନୋଟି ଯାକ ହାଇଡ୍ରୋଲିକ୍ ସିଷ୍ଟମ୍ ଏକାସାଙ୍ଗରେ ଖରାପ ହୋଇଯାଇଥିଲା।
ଏହାଦ୍ୱାରା ଅଟୋ-ପାଇଲଟ୍ ସିଷ୍ଟମ୍ ବିଚ୍ଛିନ୍ନ ହେବା ସହ ବିମାନଟି ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସି ଆସିଥିଲା।
ଏହି ଆକସ୍ମିକ ଝଟକା କାରଣରୁ ବିମାନରେ ଥିବା ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ଭୟଭୀତ ହୋଇପଡ଼ିଥିଲେ। ଏଥିରେ ମୋଟ ୨୪ ଜଣ ଲୋକ ଆହତ ହୋଇଥିଲେ, ଯେଉଁଥିରେ ୨୦ ଜଣ ଯାତ୍ରୀ ଏବଂ ୪ ଜଣ କ୍ୟାବିନ୍ କ୍ରୁ ସାମିଲ ଥିଲେ। ଦିଲ୍ଲୀରେ ବିମାନ ସୁରକ୍ଷିତ ଅବତରଣ କରିବା ପରେ ଗୁରୁତର ଥିବା ୪ ଜଣ ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଚ୍ଚତାରେ ହୋଇଥିବା ଏହି ଅଘଟଣ ଯୋଗୁଁ ବିମାନର କ୍ୟାବିନ୍ ଭିତରେ ବ୍ୟାପକ କ୍ଷତି ମଧ୍ୟ ହୋଇଥିଲା ।
ଏହି ଘଟଣାର ତଦନ୍ତ କରୁଥିବା ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ନିକଟରେ ଏହାର ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ବିମାନ ପହଞ୍ଚିବା ପରେ ପାଇଲଟଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ବ୍ରେଥ୍ ଆନାଲାଇଜର ଟେଷ୍ଟ ସ୍ୱାଭାବିକ ଥିଲେ ସୁଦ୍ଧା, ରକ୍ତ ନମୁନା ପରୀକ୍ଷାରୁ ମୁଖ୍ୟ ପାଇଲଟ୍ ‘ସାଇକୋଆକ୍ଟିଭ୍ ପଦାର୍ଥ’ ସେବନ କରିଥିବା ସ୍ପଷ୍ଟ ହୋଇଥିଲା । ଏହାକୁ ଏକ ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ ଭାବେ ଗ୍ରହଣ କରି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଆଇଏବି ସୁପାରିଶ କରିଥିଲା । ଏହି ରିପୋର୍ଟ ଆସିବାର କିଛି ଘଣ୍ଟା ମଧ୍ୟରେ ଏୟାର ଇଣ୍ଡିଆ ଉକ୍ତ ପାଇଲଟଙ୍କୁ ଚାକିରିରୁ ବିଦା କରିଛି। ତେବେ ଟେକ୍ନିକାଲ୍ ତ୍ରୁଟିର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଏବେ ବି ଜାରି ରହିଛି ।

