Latest Odisha News

BREAKING NEWS

ଜନ୍ତରମନ୍ତରରେ ଦାଦାଗିରି: ବିବାଦୀୟ ଇନଫ୍ଲୁଏନ୍ସରଙ୍କୁ ମାଡ଼ିବସିଲା ଦିଲ୍ଲୀ ପୋଲିସ, ଲାଗିପାରେ ହତ୍ୟା ଉଦ୍ୟମ ଦଫା

ନୂଆଦିଲ୍ଲୀ: ନିଜକୁ ‘କଟ୍ଟର ହିନ୍ଦୁ’ ବୋଲାଉଥିବା ବିବାଦୀୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭାରଦ୍ୱାଜଙ୍କୁ ଶେଷରେ ଦିଲ୍ଲୀ ପୋଲିସ ଉତ୍ତରପ୍ରଦେଶର ବୁଲନ୍ଦସହରରୁ ଉଠାଇ ନେଇଛି । ଗତ ଜୁଲାଇ ୨୦ ତାରିଖରେ ଦିଲ୍ଲୀର ଜନ୍ତରମନ୍ତରଠାରେ ପରୀକ୍ଷା ଦୁର୍ନୀତି ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ଛାତ୍ରୀ ତଥା ସାମାଜିକ କର୍ମୀ ନିଶୁ ଆଜାଦଙ୍କ ବାପା ସଞ୍ଜୟ କୁମାରଙ୍କ ଉପରେ ହୋଇଥିବା ପ୍ରାଣଘାତୀ ଆକ୍ରମଣ ମାମଲାରେ ତାଙ୍କୁ ହେପାକୁ ନିଆଯାଇଛି । ପୋଲିସ ଚଢ଼ାଉ ଖବର ପାଇ ସ୍ୱତନ୍ତ୍ର ଏକ ବୁଲେଟ୍ ମୋଟରସାଇକେଲ୍‌ରେ ହେଲମେଟ୍ ପିନ୍ଧି ନିଜ ପରିଚୟ ଲୁଚାଇ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସାଦା ପୋଷାକରେ ଥିବା ପୋଲିସ ଟିମ୍ ତାଙ୍କୁ ଅଧାବାଟରୁ ମାଡ଼ିବସିଥିଲା ।

ସମ୍ପୃକ୍ତ ଅଭିଯୁକ୍ତଙ୍କର ଏକ ପଡକାଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହି ଘଟଣା ତୀବ୍ର ରୂପ ନେଇଥିଲା। ଏହି ଭିଡିଓରେ ସ୍ୱତନ୍ତ୍ର ଅତ୍ୟନ୍ତ ଗର୍ବର ସହ ସଞ୍ଜୟ କୁମାରଙ୍କ ମୁଣ୍ଡ ଫଟାଇଥିବା କଥା ସ୍ୱୀକାର କରିଥିଲେ ଏବଂ ତାଙ୍କୁ ୬୦ଟି ଷ୍ଟିଚ୍ ପଡ଼ିଥିବା ବଖାଣିଥିଲେ । କେବଳ ସେତିକି ନୁହେଁ, ବଡ଼ବଡ଼ ରାଜନୈତିକ ନେତାଙ୍କ ସହ ତାଙ୍କର ସୁସମ୍ପର୍କ ଥିବାରୁ ପୋଲିସ ତାଙ୍କୁ ଜେଲ୍‌ରେ ପୂରାଇପାରିଲା ନାହିଁ ବୋଲି ସେ ଦମ୍ଭୋକ୍ତି ବାଢ଼ିଥିଲେ । ଏହି ଖୋଲାଖୋଲି ଗୁଣ୍ଡାଗର୍ଦ୍ଦିର ଭିଡିଓ ସାମ୍ନାକୁ ଆସିବା ପରେ ସାଧାରଣରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଭାଇରାଲ୍ ଭିଡିଓ ପରେ ଶୁକ୍ରବାର ଦିନ ‘କକରୋଚ୍ ଜନତା ପାର୍ଟି’ (ସିଜେପି) ଏବଂ ଆଜାଦ୍ ସମାଜ ପାର୍ଟିର ମୁଖ୍ୟ ତଥା ନଗିନା ସାଂସଦ ଚନ୍ଦ୍ରଶେଖର ଆଜାଦଙ୍କ ନେତୃତ୍ୱରେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ବାହାରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆନ୍ଦୋଳନକାରୀମାନେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ (ଦଫା ୩୦୭) ଏବଂ ଏସସି/ଏସଟି ଆକ୍ଟ ଲଗାଇ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ । ଦିଲ୍ଲୀ ପୋଲିସ ୭୨ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ସହ ତୁରନ୍ତ ଆକ୍ସନ ମୋଡ୍‌କୁ ଆସିଥିଲା ଏବଂ କିଛି ଘଣ୍ଟା ଭିତରେ ହିଁ ଅଭିଯୁକ୍ତଙ୍କୁ ଉଠାଇଥିଲା ।

ତେବେ ପୋଲିସ ହାତରେ ଧରାପଡ଼ିବା ପରେ ନିଜ ସଫେଇରେ ସ୍ୱତନ୍ତ୍ର କହିଛନ୍ତି ଯେ ଏକାଧିକ ଲୋକ ତାଙ୍କୁ ଘେରିଯିବାରୁ ସେ କେବଳ ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ କରିଥିଲେ ଏବଂ ଭିଡିଓରେ କହିଥିବା କଥାକୁ ଭୁଲ୍ ପ୍ରସଙ୍ଗରେ ଉପସ୍ଥାପନ କରାଯାଇଛି। ବର୍ତ୍ତମାନ ଏହି ମାମଲାରେ ଏସସି/ଏସଟି ଦଫା ଯୋଡ଼ାଯାଇଥିବାରୁ ପୀଡ଼ିତଙ୍କର ପୁଣିଥରେ ଡାକ୍ତରୀ ମାଇନା କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ନୂଆ ମେଡିକାଲ ରିପୋର୍ଟ ଆସିବା ପରେ ହତ୍ୟା ଉଦ୍ୟମ ଦଫା ଲଗାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ । ପୋଲିସ ଏବେ ଅଭିଯୁକ୍ତକୁ ବୁଲନ୍ଦସହରର ଚୋଲା ଥାନାରେ ରଖି ଅଧିକ ପଚରାଉଚରା ଜାରି ରଖିଛି।

Leave A Reply

Your email address will not be published.