ମେଟ୍ରୋରେ ଯାତ୍ରା କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, SRCCର ଶତବାର୍ଷିକୀ ଉତ୍ସବରେ ‘ଜେନ୍-ଜିଙ୍କ’ ସହ କଲେ ଆଲୋଚନା
ନୂଆଦିଲ୍ଲୀ: ପବିତ୍ର ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଦେଶର ଅନ୍ୟତମ ଶିକ୍ଷାନୁଷ୍ଠାନ ଶ୍ରୀରାମ କଲେଜ ଅଫ୍ କମର୍ସର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସବୁଠାରୁ ବଡ କଥା ହେଲା, ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନିଜର ସ୍ୱତନ୍ତ୍ର କନଭୟ ବଦଳରେ ସାଧାରଣ ଯାତ୍ରୀଙ୍କ ଭଳି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ। ମେଟ୍ରୋରେ ଯାତ୍ରା ସମୟରେ ସେ ଟ୍ରେନରେ ଥିବା ସ୍କୁଲ ପିଲା ଏବଂ ସାଧାରଣ ଯାତ୍ରୀଙ୍କ ସହ କଥାବାର୍ତ୍ତା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।
ସୂଚନା ଅନୁଯାୟୀ, ଶ୍ରୀରାମ କଲେଜ ଅଫ୍ କମର୍ସ ଏହାର ପ୍ରତିଷ୍ଠାର ଗୌରବମୟ ୧୦୦ ବର୍ଷ ପୂରଣ କରିଛି। ଏହି ଐତିହାସିକ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ କ୍ୟାମ୍ପସରେ ପହଞ୍ଚିବା ମାତ୍ରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦେଶର ନୂତନ ପିଢ଼ି ବା Gen-Z ସହିତ ସିଧାସଳଖ ଯୋଡ଼ିହେବା ଏବଂ ସେମାନଙ୍କ ଆକାଂକ୍ଷାକୁ ବୁଝିବା। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କଲେଜର ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କର ଭବିଷ୍ୟତ ଲକ୍ଷ୍ୟ, ରୋଜଗାରର ସୁଯୋଗ, ବୈଷୟିକ ଜ୍ଞାନକୌଶଳର ବିକାଶ ଏବଂ ଏକ ନୂତନ ବିକଶିତ ଭାରତ ଗଠନରେ ଯୁବସମାଜର ଦାୟିତ୍ୱ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଶ୍ରୀରାମ କଲେଜ ଗତ ୧୦୦ ବର୍ଷ ଧରି ନିଜର ଏକାଡେମିକ୍ ଉତ୍କର୍ଷତା ବଜାୟ ରଖିଛି। ଦେଶକୁ ବ୍ୟବସାୟ, ଅର୍ଥନୀତି, ସର୍ବସାଧାରଣ ଜୀବନ ଏବଂ ସମାଜ ଗଠନ ପାଇଁ ଅନେକ ଶ୍ରେଷ୍ଠ ନେତୃତ୍ୱ ପ୍ରଦାନ କରିଆସିଛି ଏହି ଅନୁଷ୍ଠାନ। ଉଲ୍ଲେଖନୀୟ ଯେ, ଦେଶର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୨୦୧୩ ମସିହାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦୀ ଏହି କଲେଜକୁ ଆସିଥିଲେ। ଦୀର୍ଘ ୧୩ ବର୍ଷ ପରେ ସେ ପୁଣି ଥରେ ଦେଶର ଏହି ଅଗ୍ରଣୀ ବାଣିଜ୍ୟ ଏବଂ ଅର୍ଥନୀତି କଲେଜକୁ ଆସି ଯୁବବର୍ଗଙ୍କ ମନୋବଳ ବଢ଼ାଇଛନ୍ତି।
ବର୍ତ୍ତମାନ ସମୟରେ ଦେଶର ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ପକ୍ଷରୁ Gen Z Outreach ନାମକ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ପାରମ୍ପରିକ ରାଜନୈତିକ ଭାଷଣବାଜି ବଦଳରେ ସିଧାସଳଖ ଯୁବପିଢ଼ିଙ୍କ ସହ ସଂଳାପ କରିବା ଏବଂ ସେମାନଙ୍କ ସମସ୍ୟା ଶୁଣିବା ଏହି ଅଭିଯାନର ମୂଳ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀଙ୍କ ଏହି SRCC ଗସ୍ତ ଓ ଛାତ୍ରମାନଙ୍କ ସହ ମନଖୋଲା ଭାବବିନିମୟ ମଧ୍ୟ ଏହି ରଣନୀତିର ଏକ ପ୍ରମୁଖ ଅଂଶ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

