ଚେନ୍ନାଇ: ଚେନ୍ନାଇରେ ଖେଳାଯାଉଥିବା ଦୁଲୀପ ଟ୍ରଫି ଫାଇନାଲରେ ସାଉଥ୍ ଜୋନ୍ ବିପକ୍ଷରେ ଇଷ୍ଟ ଜୋନ୍ ନିଜର ପ୍ରଥମ ଇନିଂସରେ ୭୦୮ ରନ୍ କରି ଅଲ୍ଆଉଟ୍ ହୋଇଛି । ଇଷ୍ଟ ଜୋନ୍ର ଅଧିନାୟକ ଇଶାନ କିଷାନ ଚମତ୍କାର ଦ୍ବିଶତକ ହାସଲ କରିଛନ୍ତି । ସେ ୩୩୪ଟି ବଲ୍ରୁ ୨୭୦ ରନ୍ର ଇନିଂସ ଖେଳି ଆଉଟ୍ ହୋଇଛନ୍ତି । ଇଶାନ ୨୭୦ବଲ୍ରେ ନିଜର ଦ୍ବିଶତକ ପୂରଣ କରିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୧୦ ବର୍ଷ ପରେ ସେ ଏହି ସଫଳତା ପାଇଛନ୍ତି, ଏହାପୂର୍ବରୁ ୨୦୧୬ରେ ଦିଲ୍ଲୀ ବିପକ୍ଷ ରଣଜୀ ମ୍ୟାଚ୍ରେ ସେ ୨୭୩ ରନ୍ କରିଥିଲେ । ମ୍ୟାଚ୍ ସମୟରେ ଇଶାନ ୨୫୦ ରନ୍ କରିବା ପରେ କ୍ଲାନ୍ତ ଯୋଗୁଁ ରିଟାୟାର୍ଡ ହର୍ଟ ହୋଇଥିଲେ। ସେତେବେଳେ ଇଷ୍ଟ ଜୋନ୍ର ସ୍କୋର ୫ ୱିକେଟ୍ରେ ୬୧୧ ରନ୍ ଥିଲା । ତେବେ ୭ମ ୱିକେଟ ପତନ ପରେ ସେ ପୁଣି ବ୍ୟାଟିଂ କରିଥିଲେ ଏବଂ ନିଜ ସ୍କୋରକୁ ୨୭୦ ରନ୍ରେ ପହଞ୍ଚାଇଥିଲେ ।
ଇଶାନଙ୍କ ବ୍ୟତୀତ କୁମାର କୁଶାଗ୍ର ମଧ୍ୟ ୧୩୨ଟି ବଲ୍ରୁ ୧୦୧ ରନ୍ର ଶତକୀୟ ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଖର ମୋହନ ୮୫, ଅଭିମନ୍ୟୁ ଈଶ୍ବରନ୍ ୭୨ ଏବଂ ବୈଭବ ସୂର୍ୟ୍ୟବଂଶୀ ୪୪ ରନ୍ର ଯୋଗଦାନ ଦେଇଥିଲେ । ସାଉଥ୍ ଜୋନ୍ ପକ୍ଷରୁ ତ୍ରିପୁରାଣା ବିଜୟ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଚାମା ମିଲିନ୍ଦ ଓ ଶ୍ରେୟସ ଗୋପାଳ ୨ଟି ଲେଖାଏଁ ୱିକେଟ୍ ହାସଲ କରିଛନ୍ତି । ତେବେ ଦଳର ପ୍ରମୁଖ ବୋଲର ମହମ୍ମଦ ସିରାଜ କୌଣସି ୱିକେଟ୍ ପାଇବାରେ ଅସଫଳ ହୋଇଛନ୍ତି ।

