ଫାୟାର ସେଫ୍ଟି ନିୟମ ନମାନିଲେ ବନ୍ଦ ହେବ କୋଚିଂ ସେଣ୍ଟର…
କଟକ: ରାଜ୍ୟରେ କୋଚିଂ ସେଣ୍ଟର ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତାକୁ ନେଇ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି। ଆବଶ୍ୟକ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ସୁରକ୍ଷା ବ୍ୟବସ୍ଥା ନଥିଲେ କୋଚିଂ ସେଣ୍ଟର ବନ୍ଦ କରାଯାଇପାରେ।
ଓଡ଼ିଶା ଫାୟାର ଆଣ୍ଡ ଇମର୍ଜେନ୍ସି ସର୍ଭିସ ପକ୍ଷରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଯାଞ୍ଚ ଓ ସଚେତନତା ଅଭିଯାନ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଫାୟାର ସେଫ୍ଟି ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରାୟ ୮୦୦ଟି ପ୍ରତିଷ୍ଠାନ ଓ କୋଠାକୁ ନୋଟିସ୍ ଜାରି କରାଯାଇଛି। ସେଥିମଧ୍ୟରେ ପ୍ରାୟ ୧୦୦ଟି ଶିକ୍ଷାନୁଷ୍ଠାନ ରହିଛି।
ପୂର୍ବରୁ ଓଡ଼ିଶା ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ସ୍କିଲ୍ ଡେଭଲପମେଣ୍ଟ ହବ୍ଗୁଡ଼ିକର ତୁରନ୍ତ ଫାୟାର ସେଫ୍ଟି ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ସମୟରେ ଫାୟାର ସେଫ୍ଟି ସାର୍ଟିଫିକେଟ୍, ଅଗ୍ନିନିର୍ବାପକ ଯନ୍ତ୍ର, ଆଲାର୍ମ ବ୍ୟବସ୍ଥା, ସୁରକ୍ଷିତ ନିର୍ଗମନ ପଥ, ଜରୁରୀକାଳୀନ ସଙ୍କେତ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି।
ଫାୟାର ସେଫ୍ଟିକୁ ଅବହେଳା କଲେ କୋଚିଂ ସେଣ୍ଟର ସମେତ ନିୟମ ଉଲ୍ଲଂଘନକାରୀ ପ୍ରତିଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଅପରପକ୍ଷରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଅକ୍ଟୋବର ୧୫ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରି ରହିବ ବୋଲି କୁହାଯାଇଛି।

