ଗୁଣୁପୁର:ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଲୁଗୁଡା ପଞ୍ଚାୟତର ତାରପାଗୁଡା ଗାଁରେ ଅଘଟଣ । ଘରୋଇ ପାଇଖାନା ଟାଙ୍କି ଭିତର ସଫା କରିବା ପାଇଁ ଯାଇ ଶ୍ୱାସରୁଦ୍ଧ ହୋଇ ତିନି ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମିସ୍ତ୍ରୀ ଓ ଜଣେ ଦିନ ମଜୁରିଆ ଥିବା ଜଣାପଡ଼ିଛି ।
ମୃତକମାନେ ହେଲେ ପଦ୍ମପୁର ଥାନା କେନ୍ଦୁଗୁଡା ନିକଟ ଜୀବଜଗତପୁର ଗାଁର ହରିଶ୍ଚନ୍ଦ୍ର ବିର ( ୪୬ ), ପ୍ରକାଶ ଲିମା ( ୪୫ ) ଓ ଆଲୋକ କରାଡ ( ୪୭ )।
ସୂଚନାଥାଉକି, ପଦ୍ମପୁର ଥାନା ଗୁଲୁଗୁଡା ପଞ୍ଚାୟତ ତାରପାଗୁଡା ଗାଁରେ ପାଇଖାନା ଟାଙ୍କି ସଫା କରିବା ପାଇଁ ୩ ଜଣ ଟାଙ୍କି ଭିତରକୁ ଯାଇଥିଲେ। ହେଲେ ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ତିନିଜଣ ଅସୁସ୍ଥ ହୋଇପଡ଼ିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପଦ୍ମପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଦମକଳ କର୍ମଚାରୀମାନେ ଟାଙ୍କି ଭିତରୁ ତିନିଜଣଙ୍କୁ ଉଦ୍ଧାର କରିଥିଲେ । ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ମୃତଦେହକୁ ରଖାଯାଇଛି।
ଖବର ପାଇ ଘଟଣାସ୍ଥଳରେ ପଦ୍ମପୁର ପୋଲିସ ପହଞ୍ଚି ତଦନ୍ତ କରୁଛି।

