ଆମେରିକା: ଆଗାମୀ ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଘୋଷଣା କରିଛନ୍ତି। ଯଦି ରିପବ୍ଲିକାନ୍ ପାର୍ଟି ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଏବଂ ସେନେଟ୍ରେ ବିଜୟୀ ହୁଏ, ତେବେ ଦେଶର ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କୁ ୫,୦୦୦ ଆମେରିକୀୟ ଡଲାର ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୪.୧୫ ଲକ୍ଷ ଟଙ୍କାରୁ ଅଧିକ ଲେଖାଏଁ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଟେକ୍ସାସର ଡାଲାସ୍ରେ ଆୟୋଜିତ ରିପବ୍ଲିକାନ୍ ନ୍ୟାସନାଲ କନଭେନ୍ସନରେ ଅଭିଭାଷଣ ଦେଇ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ସେ ଏହି ଅର୍ଥରାଶିକୁ “ଟ୍ରମ୍ପ ଡିଭିଡେଣ୍ଡ” ବୋଲି ନାମିତ କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ କହିଛନ୍ତି ଯେ ଯେପରି ଗୋଟିଏ ସଫଳ କମ୍ପାନୀ ନିଜର ଲାଭାଂଶ ଶେୟାର ହୋଲ୍ଡରମାନଙ୍କ ମଧ୍ୟରେ ବାଣ୍ଟିଥାଏ, ସେହିପରି ଦେଶର ଆର୍ଥିକ ପ୍ରଗତିର ଲାଭ ନାଗରିକମାନଙ୍କୁ ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଦେଶୀ ଜିନିଷ ଉପରେ ଆଦାୟ ହେଉଥିବା ଭାରୀ ଶୁଳ୍କ ଏବଂ ସରକାରୀ ଖର୍ଚ୍ଚ କାଟ୍ରୁ ଏହି ଅର୍ଥ ଭରଣା କରାଯିବ। ତେବେ ଏହି ଟଙ୍କା କେବଳ ଆମେରିକା ଭିତରେ ହିଁ ଖର୍ଚ୍ଚ କରାଯାଇପାରିବ ବୋଲି ସେ ସର୍ତ୍ତ ରଖିଛନ୍ତି।
ତେବେ ଏହି ଯୋଜନାକୁ ନେଇ କେତେକ ଅର୍ଥନୀତିଜ୍ଞ ଓ ସମାଲୋଚକ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ମତରେ, ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏହି ଅର୍ଥ ଦେବା ପାଇଁ ପ୍ରାୟ ୧ ଟ୍ରିଲିୟନ୍ ଡଲାରରୁ ଅଧିକ ବଜେଟ୍ ଆବଶ୍ୟକ ହେବ, ଯାହା ପାଇଁ ଆମେରିକା କଂଗ୍ରେସର ଅନୁମୋଦନ ଜରୁରୀ। ଏହାଦ୍ୱାରା ଦେଶର ଋଣ ଭାର ବୃଦ୍ଧି ପାଇବା ସହ ମୁଦ୍ରାସ୍ଫୀତି ବଢ଼ିବାର ଆଶଙ୍କା ରହିଛି। ଅପରପକ୍ଷରେ, ଡେମୋକ୍ରାଟିକ୍ ପାର୍ଟି ଏହାକୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏକ ମିଥ୍ୟା ଓ ଅବାସ୍ତବ ନିର୍ବାଚନୀ ଚାଲ ବୋଲି ସମାଲୋଚନା କରିଛି। ନଭେମ୍ବର ନିର୍ବାଚନରେ ନିଜ ଦଳର ସ୍ଥିତି ମଜବୁତ କରିବା ପାଇଁ ଟ୍ରମ୍ପ ଏହି ମାଷ୍ଟରକାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି।

