Latest Odisha News

BREAKING NEWS

PM-Xi Jinping Bilateral: ଆସୁଛନ୍ତି ଜିନପିଙ୍ଗ…ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ବଡ଼ ବୈଠକ?

ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍!

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ବଡ ବୈଠକ!

ଗଲୱାନ ପରେ ପ୍ରଥମ ଥର ଭାରତରେ ଭେଟାଭେଟି ହେବେ ଦୁଇ ନେତା

ଯାହା ଭାରତ-ଚୀନ ସମ୍ପର୍କକୁ ନୂଆ ମୋଡ଼ ଦେଇପାରେ। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ଶନିବାର ନୂଆଦିଲ୍ଲୀରେ ପହଞ୍ଚିବେ। ଭାରତରେ ହେବାକୁ ଥିବା ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଆସୁଥିବା ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ବଡ଼ ଦ୍ୱିପାକ୍ଷିକ ବୈଠକ କରିବାର ସମ୍ଭାବନା ରହିଛି।

ସବୁଠାରୁ ବଡ଼ କଥା ହେଉଛି, ୨୦୨୦ର ଗଲୱାନ ଘଟଣା ପରେ ଭାରତ ମାଟିରେ ପ୍ରଥମ ଥର ପାଇଁ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଏଭଳି ସାମ୍ନାସାମ୍ନି ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ। ଏହି କାରଣରୁ ସାରା ବିଶ୍ୱର ନଜର ଏହି ବୈଠକ ଉପରେ ରହିଛି।

ସେପ୍ଟେମ୍ବର ୧୨ ଓ ୧୩ରେ ନୂଆଦିଲ୍ଲୀରେ BRICS ଲିଡର୍ସ ସମ୍ମିଳନୀ ହେବ। ଏଥିରେ ଯୋଗଦେବା ପାଇଁ ଜିନପିଙ୍ଗ ଶନିବାର ଭାରତରେ ପହଞ୍ଚିବେ। ପ୍ରାୟ ୭ ବର୍ଷ ପରେ ତାଙ୍କର ଏହା ପ୍ରଥମ ଭାରତ ଗସ୍ତ ହେବ। ୨୦୨୦ର ସୀମା ବିବାଦ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ମଧ୍ୟ ହେବ। ତେବେ ଦୁଇ ଦେଶ ମଧ୍ୟରେ ବଢୁଥିବା କୂଟନୈତିକ ଯୋଗାଯୋଗକୁ ଦେଖିଲେ ଏହି ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

୨୦୨୦ ଜୁନରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ଏହି ଘଟଣାରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ପରେ ଚୀନ ମଧ୍ୟ ତା’ର ୪ ଜଣ ସୈନିକଙ୍କ ମୃତ୍ୟୁକୁ ସ୍ୱୀକାର କରିଥିଲା। ଗଲୱାନ ପରେ LACରେ ଦୀର୍ଘ ସମୟ ଧରି ସେନା ମୁତୟନ ରହିଥିଲା। ସୀମାରେ ଉତ୍ତେଜନା ବଢ଼ିବା ସହ ଭାରତ-ଚୀନ ମଧ୍ୟରେ ରାଜନୈତିକ, କୂଟନୈତିକ ଏବଂ ଆର୍ଥିକ ସମ୍ପର୍କ ମଧ୍ୟ ଚାପରେ ରହିଥିଲା।

ତଥାପି ଏବେ ଦୁଇ ଦେଶ ମଧ୍ୟରେ ସଂପର୍କ ଅନେକ ସୁଧୁରିଛି । ଗଲୱାନ ପରେ ଦୁଇ ଦେଶ ମଧ୍ୟରେ ଅନେକ ପର୍ଯ୍ୟାୟର ସାମରିକ ଓ କୂଟନୈତିକ ଆଲୋଚନା ହୋଇଛି। ବିଭିନ୍ନ ଫ୍ରିକ୍ସନ୍ ପଏଣ୍ଟରୁ ସେନା ପଛକୁ ହଟାଇବା ପ୍ରକ୍ରିୟା ମଧ୍ୟ ଆଗକୁ ବଢ଼ିଛି। ଏହା ପରେ ସୀମାରେ ତୁରନ୍ତ ସାମରିକ ସଂଘର୍ଷର ଆଶଙ୍କା କିଛିଟା କମିଛି।

ଜିନପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ମଧ୍ୟ ଚୀନ ଗସ୍ତ କରି ଉଚ୍ଚସ୍ତରୀୟ ଆଲୋଚନା କରିଥିଲେ। ଏହାଛଡ଼ା ସୀମା ସମ୍ପର୍କିତ ପ୍ରସଙ୍ଗରେ ଦୁଇ ଦେଶର ଯୋଗାଯୋଗ ଓ ସମନ୍ୱୟ ବ୍ୟବସ୍ଥା (WMCC) ବୈଠକ ହୋଇଥିବାବେଳେ, ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ମଧ୍ୟ ଆଲୋଚନା ହୋଇଛି।

ତେବେ ସମ୍ଭାବ୍ୟ ମୋଦି-ଜିନପିଙ୍ଗ ବୈଠକକୁ ଦେଖିବା ତେବେ ଏଠି ସବୁଠାରୁ ବଡ଼ ପ୍ରସଙ୍ଗ ହୋଇପାରେ ଭାରତ-ଚୀନ ସୀମା ବିବାଦ। LACରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା, ଭବିଷ୍ୟତରେ ପୁଣି ଉତ୍ତେଜନା ନବଢ଼ିବା ପାଇଁ ବ୍ୟବସ୍ଥା ଏବଂ ସୀମାରେ ଶାନ୍ତି ପ୍ରତିଷ୍ଠା ଉପରେ ଆଲୋଚନା ହୋଇପାରେ। ଏହା ସହିତ ବାଣିଜ୍ୟ, ନିବେଶ, ଲୋକଙ୍କ ମଧ୍ୟରେ ଯୋଗାଯୋଗ, ଆଞ୍ଚଳିକ ସୁରକ୍ଷା ଏବଂ BRICS ମଞ୍ଚରେ ଦୁଇ ଦେଶର ସହଯୋଗ ମଧ୍ୟ ଆଲୋଚନାର ଅଂଶ ହୋଇପାରେ।

ଭାରତ-ଚୀନ ସୀମା ପ୍ରସଙ୍ଗରେ ଅରୁଣାଚଳ ପ୍ରଦେଶ ଏବେ ମଧ୍ୟ ଏକ ବଡ଼ ବିବାଦର କାରଣ। ଚୀନ ସମଗ୍ର ଅରୁଣାଚଳ ପ୍ରଦେଶ ଉପରେ ଦାବି କରୁଥିବାବେଳେ ଭାରତ ଏହି ଦାବିକୁ ସ୍ପଷ୍ଟ ଭାବେ ଖାରଜ କରିଆସିଛି। ଚୀନ ବାରମ୍ବାର ଅରୁଣାଚଳର ବିଭିନ୍ନ ସ୍ଥାନର ନାମ ନିଜ ଭାଷାରେ ପରିବର୍ତ୍ତନ କରି ତାଲିକା ପ୍ରକାଶ କରିଛି। ଭାରତ କହିଛି, ଭାରତୀୟ ଅଞ୍ଚଳର ସ୍ଥାନଗୁଡ଼ିକୁ ନୂଆ ନାମ ଦେଇଦେଲେ ସେଗୁଡ଼ିକର ଆଇନଗତ କିମ୍ବା ଭୌଗୋଳିକ ସ୍ଥିତି ବଦଳିବ ନାହିଁ।

ଅନ୍ୟପଟେ ବିଶ୍ୱ ରାଜନୀତିରେ ଆମେରିକାର ଶୁଳ୍କ ନୀତି, ବାଣିଜ୍ୟିକ ଚାପ ଏବଂ ପଶ୍ଚିମ ଏସିଆର ଅସ୍ଥିରତା ଭଳି ପ୍ରସଙ୍ଗ ମଧ୍ୟରେ ଏହି ବୈଠକ ହେବ। ତେଣୁ BRICS ମଞ୍ଚରେ ମୋଦି-ଜିନପିଙ୍ଗଙ୍କ ସାକ୍ଷାତକାର କେବଳ ଦୁଇ ଦେଶର ସମ୍ପର୍କ ନୁହେଁ, ବରଂ ବିଶ୍ୱ କୂଟନୀତି ଦୃଷ୍ଟିରୁ ମଧ୍ୟ ବେଶ୍ ଗୁରୁତ୍ୱ ବହନ କରିବ। ଯାହା ଉପରେ ଏବେ ରହିଛି ସାରା ବିଶ୍ବ ନଜର ।

Leave A Reply

Your email address will not be published.