Latest Odisha News

BREAKING NEWS

ଟିପିଏନ୍‌ଓଡ଼ିଏଲ୍‌ର ‘ସୌର ରଥ’ ଅଭିଯାନ ଶୁଭାରମ୍ଭ: ରୁଫ୍‌ଟପ୍ ସୋଲାର ଆପଣାଇବାରେ ବାଲେଶ୍ୱର ରାଜ୍ୟରେ ପ୍ରଥମ

ବାଲେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦ୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ରୁଫ୍‌ଟପ୍ ସୋଲାର ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏହାର ବ୍ୟବହାରକୁ ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବାଲେଶ୍ୱରଠାରେ ‘ସୌର ରଥ’ ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି ।

ଆଜିର ଅନୁଷ୍ଠାନିକ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ (ଭା.ପ୍ର.ସେ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସୋଲାର ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଟିପିଏନ୍‌ଓଡ଼ିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ, ବାଲେଶ୍ୱର ବିଦ୍ୟୁତ୍ ମଣ୍ଡଳର ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ରୟ, ଟିପିଏନ୍‌ଓଡ଼ିଏଲ୍‌ର ବରିଷ୍ଠ ଅଧିକାରୀବୃନ୍ଦ ଏବଂ ଆଞ୍ଚଳିକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଉପଭୋକ୍ତା ଓ ସାଧାରଣ ଜନତାଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ‘ସୌର ରଥ’ ଜିଲ୍ଲାର ଗ୍ରାମାଞ୍ଚଳ, ବ୍ୟବସାୟିକ କେନ୍ଦ୍ର ଓ ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନସମୂହ ପରିକ୍ରମା କରିବା ସହ ସରକାରୀ ସବ୍‌ସିଡି, ଯୋଗ୍ୟତା, ଆବେଦନ ପ୍ରକ୍ରିୟା ଏବଂ ବୈଷୟିକ ସମାଧାନ ସମ୍ପର୍କରେ ପ୍ରଚାରପ୍ରସାର କରିବ। ଏଥିସହ ଆବାସିକ ଉପଭୋକ୍ତାଙ୍କ ପାଇଁ ସୌର ଶକ୍ତି ବ୍ୟବହାରକୁ ସହଜ କରିବା ପାଇଁ ‘୧ କିଲୋୱାଟ୍ ୟୁଟିଲିଟି-ଲେଡ୍ ଏଗ୍ରିଗେସନ୍ (ୟୁଏଲଏ) ମଡେଲ୍’ ବିଷୟରେ ମଧ୍ୟ ସଚେତନ କରାଯିବ।

ଟିପିଏନ୍‌ଓଡ଼ିଏଲ୍‌ ନିଜ ସେବା ଅଞ୍ଚଳର ୫ଟି ଜିଲ୍ଲାରେ ମୋଟ ୫୧,୭୯୯ଟି ରୁଫ୍‌ଟପ୍ ସୋଲାର ସଂଯୋଗ ସହ ୫୦,୦୦୦ ରୁ ଅଧିକ ସ୍ଥାପନର ମାଇଲଖୁଣ୍ଟ ହାସଲ କରିଛି। ଏଥିମଧ୍ୟରୁ ୧୮,୯୨୫ଟି ସଂଯୋଗ ସହ ବାଲେଶ୍ୱର ଜିଲ୍ଲା ରାଜ୍ୟରେ ଶୀର୍ଷ ସ୍ଥାନରେ ରହିଛି। ବିତରଣ ସଂସ୍ଥା ଅଧୀନରେ ଥିବା ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜରେ ୧୧,୦୮୩, ଯାଜପୁରରେ ୯,୪୭୫, ଭଦ୍ରକରେ ୬,୫୭୩ ଏବଂ କେନ୍ଦୁଝରରେ ୫,୭୪୩ଟି ସୋଲାର ସିଷ୍ଟମ୍ ସ୍ଥାପିତ ହୋଇଛି। ଓଡ଼ିଶାରେ ମୋଟ ରୁଫ୍‌ଟପ୍ ସୋଲାର ସଂଯୋଗ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବାବେଳେ ‘ପିଏମ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ କାର୍ଯ୍ୟକାରୀ କରିବାରେ ରାଜ୍ୟ ଦେଶରେ ୭ମ ସ୍ଥାନରେ ରହିଛି।

ଏହି ଅବସରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ବାଲେଶ୍ୱରକୁ ଓଡ଼ିଶାର ସୋଲାର କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ିତୋଳିବାରେ ଟିପିଏନ୍‌ଓଡ଼ିଏଲ୍‌ର ଭୂମିକାକୁ ପ୍ରଶଂସା କରିଥିଲେ । ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବା ସହ ପରିବେଶ ସୁରକ୍ଷାରେ ଯୋଗଦାନ ଦେବା ପାଇଁ ସରକାରୀ ସବ୍‌ସିଡିର ଲାଭ ଉଠାଇବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି।

ଟିପିଏନ୍‌ଓଡ଼ିଏଲ୍‌ର ସିଇଓ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି ଯେ ୫୦ ହଜାରରୁ ଉର୍ଦ୍ଧ୍ୱ ସୋଲାର ସ୍ଥାପନ ସଂଖ୍ୟା ଅତିକ୍ରମ କରିବା ଦୀର୍ଘସ୍ଥାୟୀ ଶକ୍ତି ସମାଧାନ ପ୍ରତି ଉପଭୋକ୍ତାଙ୍କ ଆସ୍ଥା ଓ ଆଗ୍ରହକୁ ପ୍ରତିଫଳିତ କରୁଛି । ସେ କହିଛନ୍ତି ଯେ ‘ସୋଲାର ରଥ’ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିବା ଦିଗରେ ବିଶେଷ ସହାୟକ ହୋଇପାରିବ। ଏହା ସହିତ ଉପଭୋକ୍ତା ସେବା -କେନ୍ଦ୍ରିକ ମନୋଭାବ, ପରିଚାଳନାଗତ ଦକ୍ଷତା ବୃଦ୍ଧି ତଥା ସୁଲଭ ଓ ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ଟିପିଏନଓଡିଏଲ୍‌ ସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି। ରୁଫ୍‌ଟପ୍ ସୋଲାର ପାଇଁ ଇଚ୍ଛୁକ ଘରୋଇ ଉପଭୋକ୍ତମାନେ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ଅଥବା ସୂଚନା, ଯୋଗ୍ୟତା ଏବଂ ସ୍ଥାପନା ସମ୍ପର୍କିତ ସହାୟତା ପାଇଁ ଗ୍ରାହକ ସେବା ନମ୍ବର ୧୮୦୦-୩୪୫୬-୭୧୮ କିମ୍ବା ୧୯୧୨ ରେ ଯୋଗାଯୋଗ କରିବା ନେଇ ଟିପିଏନଓଡିଏଲ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.