ଓରାଙ୍ଗ ଉଟାନ ଚାଲାଣରେ ସମ୍ପୃକ୍ତି ଥିବା ବ୍ୟକ୍ତି ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ନେସନାଲ ଜୁ ଅଥରିଟିକୁ ଚିଠି
ଭୁବନେଶ୍ୱର: ଚର୍ଚ୍ଚାରେ ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗ ଓଟାନ୍ । ସେମାନଙ୍କର ପ୍ରତିଟି ମୁହୁର୍ତ୍ତକୁ ଅନୁଧ୍ୟାନ କରାଯାଉଛି । ବିଶେଷକରି ସେମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆଣିବା ପାଇଁ ନୂଆ ପ୍ରୟାସ କରିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ୨ ଦିନ ତଳେ ୫ଟି ଓରାଙ୍ଗ ଓଟାନଙ୍କୁ ବାଲେଶ୍ୱରର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ନନ୍ଦନକାନନରେ ଛଡାଯାଇଥିଲା । ବର୍ତ୍ତମାନ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗ ଓଟାନ୍ଙ୍କ ମଧ୍ୟରୁ ୪ଜଣଙ୍କ ଦେହରେ କୁର୍ମୀଥିବା ଜଣାପଡିଛି । ସେହିପରି ଆଉ ଗୋଟିଏ ଛୁଆର ବାରମ୍ବାର ଜ୍ୱର ମଧ୍ୟ ହେଉଛି । ମାଆକୁ ପିଲାମାନେ ପାଉନଥିବାର ମାନସିକ ଭାବେ ଦୁର୍ବଳ ହେଉଥିବା ଅନୁଭବ କରାଯାଉଛି ।
ସେଥିପାଇଁ ସ୍ପେଶାଲ କେୟାରରେ ରଖାଯାଇଛି । ବିଶେଷକରି ମ୍ୟୁଜିକ ଥେରାପି ଦିଆଯାଇ ସେମାନଙ୍କୁ ଷ୍ଟ୍ରଙ୍ଗ କରାଯାଉଛି । ସକାଳ ଖରା ଦିଆଯିବା ସହ ଖେଳଣା, ଦୋଳି, ଫଳମୂଳ ଆଦି ଦିଆଯାଇଛି । ମ୍ୟୁଜିକ ବାଜିବା ପରେ ପିଲାମାନେ ଟିକିଏ ଆକ୍ଟିଭ ହୋଇଛନ୍ତି । ଖୁବଶୀଘ୍ର ସେମାନେ ସାଧାରଣ ଭାବେ ଚଳପ୍ରଚଳ କରିବେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ଓୟୁଏଟି ହେଲ୍ଥ କମିଟି ସେମାନଙ୍କ ସ୍ୱାସ୍ଥ୍ୟ ଅନୁଧ୍ୟାନ କରିଛି । ଆଉ ୧୦ ଦିନ ଯାଏଁ ସମସ୍ତ ପିଲା କ୍ୱାରେଣ୍ଟାଇନରେ ରହିବେ । ଏହାପରେ ସେମାନଙ୍କ ରକ୍ତ ପରୀକ୍ଷା କରାଯାଇ ଔଷଧ ଦିଆଯିବ ବୋଲି କୁହାଯାଇଛି। ଅନ୍ୟପଟେ ନେସନାଲ ଜୁ ଅଥରିଟି କୁ ଚିଠି ଲେଖାଯାଇଛି। ଟିମ ଆସି ଏଠିକାର ପାଣିପାଗରେ ଉପଯୋଗୀ କି ନାହଁ ସେନେଇ ତଦାରଖ କରିବେ ପରେ ନିଷ୍ପତି ନିଆଯିବ।
ସେମାନଙ୍କ ମାଆ-ବାପା କିଏ, କେଉଁଠୁ ଆସିଛନ୍ତି ଜାଣିବା ପାଇଁ DNA ଟେଷ୍ଟ କରାଯିବ। ଟେଷ୍ଟ ରିପୋର୍ଟ ଆସିବା ପରେ ସେମାନଙ୍କ ଉତ୍ସ ସମ୍ପର୍କରେ ସ୍ପଷ୍ଟତା ଆସିବ। ଏମାନେ କେଉଁ ଜୁ ରୁ ଆସିଥିଲେ ଅନ୍ତର୍ଜାତୀୟ ସ୍ତରରେ ତଦନ୍ତ ହେବ। ଭାରତ ସରକାର, ଓଡିଶା ସରକାର ମିଳିତ ଭାବେ କାମ କରିବେ। ଗୋଟେ ଗାଡି ଆସି ୧୫ ମିନିଟ ରହି ପଳେଇଗଲା, ଯାହାକୁ ନେଇ ତଦନ୍ତ ଚାଲିଛି ଏବଂ ସାଧାରଣ ଲୋକଙ୍କୁ ପଚାରାଯାଉଛି। ଯିଏ ସମ୍ପୃକ୍ତ ଥିବ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଗାଁ ଲୋକଙ୍କ ବି ସାହାଯ୍ୟ ନିଆଯାଉଛି। ତେବେ ଓଡିଶାରେ ଏମାନେ ରହିଲେ ନନ୍ଦନକାନନର ଶୋଭା ବଢିବ। ଆଗାମୀ ଦିନରେ ପ୍ରାଣୀ କଲ୍ୟାଣ ସମ୍ପର୍କିତ ଜାତୀୟ ଓ ଅନ୍ୟାନ୍ୟ ସଂସ୍ଥା ସହ ଯୋଗାଯୋଗ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
ଘଟଣାର ତଦନ୍ତରେ ପୋଲିସ, ପ୍ରଶାସନ, ବନ ବିଭାଗ, ସ୍ପେଶାଲ ଟାସ୍କ ଫୋର୍ସ ଏବଂ ସ୍ଥାନୀୟ ପ୍ରଶାସନ ସମନ୍ୱୟରେ କାମ କରୁଛନ୍ତି। ଏହି ଘଟଣାର ତଦନ୍ତରେ ପଶ୍ଚିମବଙ୍ଗ ପୋଲିସ ଓ ସେଠାକାର ପ୍ରଶାସନର ସହଯୋଗ ମଧ୍ୟ ନିଆଯିବ। ରାଜ୍ୟ ମଧ୍ୟରେ ବନ୍ୟଜନ୍ତୁ ସମ୍ପର୍କିତ ଘଟଣାରେ ପରସ୍ପର ସହଯୋଗର ବ୍ୟବସ୍ଥା ରହିଛି ବୋଲି କୁହାଯାଇଛି। ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କିତ ଆଇନ ଭାରତରେ ସମାନ ଭାବରେ ଲାଗୁ ହେଉଥିବାରୁ ତଦନ୍ତରେ କେନ୍ଦ୍ରୀୟ ନିୟମ ଓ ନିର୍ଦ୍ଦେଶନାମାକୁ ଅନୁସରଣ କରାଯିବ। ତଦନ୍ତ ଆଗକୁ ବଢ଼ିବା ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

