ଭୁବନେଶ୍ବର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୬ ସମୟରେ ନିରବଚ୍ଛିନ୍ନ, ଭରସାଯୋଗ୍ୟ ଏବଂ ନିରାପଦ ବିଦ୍ୟୁତ୍ ସରବରାହ ସୁନିଶ୍ଚିତ କରିଥିବାରୁ ‘ରଥସେବା ସମ୍ମାନ’ରେ ସମ୍ମାନିତ ହୋଇଛି।
ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ପୁରୀ ଟାଉନ୍ ହଲ୍ରେ ଆୟୋଜିତ ୬ଷ୍ଠ ରଥସେବା ସମ୍ମାନ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ୯ ଦିନ ବ୍ୟାପୀ ଏହି ପର୍ବକୁ ଶୃଙ୍ଖଳିତ, ସୁରୁଖୁରୁ ଏବଂ ସଫଳତାର ସହ ସମ୍ପାଦନ କରିବାରେ ଟିପିସିଓଡିଏଲର ଯୋଗଦାନ ପାଇଁ କମ୍ପାନୀକୁ ଏହି ସମ୍ମାନ ମିଳିଛି।
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ରଥସେବା ସମ୍ମାନ ପ୍ରଦାନ କରିଥିବା ବେଳେ ପୁରୀ ଡିଭିଜନ ଟିମ୍ ତରଫରୁ ଟିପିସିଓଡିଏଲର ଅଧୀକ୍ଷଣ ଯନ୍ତ୍ରୀ (ଏସ୍ଇ) ସ୍ମୃତିରଞ୍ଜନ ସ୍ୱାଇଁ ଏହି ସମ୍ମାନ ଗ୍ରହଣ କରିଥିଲେ । ରଥଯାତ୍ରା ୨୦୨୬ରେ ବିଦ୍ୟୁତ୍ ଯୋଗାଣର ଏହି ସଫଳ ପରିଚାଳନା ପଛରେ ଟିପିସିଓଡିଏଲ୍ର ୬ ମାସରୁ ଅଧିକ ସମୟର ସୁଚିନ୍ତିତ ଯୋଜନା, ଭିତ୍ତିଭୂମିର ଆଗୁଆ ପ୍ରସ୍ତୁତି, ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ ଏବଂ ଅଧିକାରୀ, ଯନ୍ତ୍ରୀ ତଥା ଫିଲ୍ଡ କର୍ମଚାରୀଙ୍କ ୨୪ ଘଣ୍ଟିଆ ସେବା ରହିଥିଲା ।
ଏହି ସମାରୋହରେ ପୁରୀ ଲୋକସଭା ସାଂସଦ ଡ. ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଆଇଜିପି (କେନ୍ଦ୍ରାଞ୍ଚଳ) ସତ୍ୟଜିତ ନାୟକଙ୍କ ସମେତ ବିଶିଷ୍ଟ ସେବାୟତ, ଲୋକପ୍ରତିନିଧି ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।

