ନୂଆଦିଲ୍ଲୀ: ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ (GFZ) ଅନୁଯାୟୀ, ଶନିବାର ଦିନ ଇଣ୍ଡୋନେସିଆର ଜାଭା ଅଞ୍ଚଳରେ ୬.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହା ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଭୂକମ୍ପ ବୋଲି କୁହାଯାଉଛି।
ଏହି ଭୂକମ୍ପଟି ଭୂପୃଷ୍ଠରୁ ୩୭୬ କିଲୋମିଟର (୨୩୪ ମାଇଲ୍) ଗଭୀରତାରେ ସୃଷ୍ଟି ହୋଇଥିଲା, ଯାହା ଏହାକୁ ଏକ ‘ଡିପ୍-ଫୋକସ୍’ (ଅତ୍ୟଧିକ ଗଭୀର) ଭୂକମ୍ପରେ ପରିଣତ କରିଛି। ଏଥିରେ କୌଣସି କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇଥିବା ନେଇ ଏଯାଏଁ ଖବର ମିଳିନାହିଁ।
ସେହିପରି ଶୁକ୍ରବାର ଦିନ ଇଣ୍ଡୋନେସିଆର ମାଲୁକୁ ଦ୍ୱୀପ ନିକଟସ୍ଥ ବଣ୍ଡା ସମୁଦ୍ର ୬.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଇଣ୍ଡୋନେସିଆର ଭୂ-ଭୌତିକ ସଂସ୍ଥା (geophysics agency) କହିଛି ଯେ ସେହି ଭୂକମ୍ପଟି ୧୪୩ କିଲୋମିଟର (୮୯ ମାଇଲ୍) ଗଭୀରତାରେ ହୋଇଥିଲା ଏବଂ ଏଥିରୁ ସୁନାମିର କୌଣସି ଆଶଙ୍କା ନଥିଲା।
ତେବେ ବଣ୍ଡା ସମୁଦ୍ରରେ ହୋଇଥିବା ସେହି ଭୂକମ୍ପ ଯୋଗୁଁ ମଧ୍ୟ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଜଣାପଡ଼ିନଥିଲା।

