ଭୁବନେଶ୍ୱର: ଓଡ଼ିଶାକୁ ୫ଟି ବିରଳ ଓରାଙ୍ଗଉଟାନ ଚୋରାଚାଲାଣ ଘଟଣାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) । ବନ୍ୟଜନ୍ତୁ ତସ୍କରୀର ଏହି ସମ୍ବେଦନଶୀଳ ମାମଲାରେ ଏବେ ଗୋଟିଏ ନୂଆ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ତଦନ୍ତ ନୂଆ ମୋଡ଼ ନେଇଛି । ଏସଟିଏଫ୍ ସ୍କାନରରେ ଏବେ ଏକ ସନ୍ଦିଗ୍ଧ କଳା ରଙ୍ଗର ଏସୟୁଭି ରହିଛି, ଯାହା ପଶ୍ଚିମବଙ୍ଗର ଦୀଘାସ୍ଥିତ ଏକ ହୋଟେଲ ନିକଟରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଦୀଘାର ଏକ ବନ୍ଦ ଥିବା ହୋଟେଲ ସମ୍ମୁଖରେ ଏହି ଗାଡ଼ିଟି ବିଳମ୍ବିତ ରାତିରେ ପାର୍କିଂ ହୋଇଥିବା ସିସିଟିଭିରେ କଏଦ ହୋଇଛି । ଗାଡ଼ିରୁ କିଛି ସନ୍ଦିଗ୍ଧ ବ୍ୟକ୍ତି ଓହ୍ଲାଇ ପରସ୍ପର ମଧ୍ୟରେ ରହସ୍ୟମୟ ଢଙ୍ଗରେ କଥାବାର୍ତ୍ତା ହେଉଥିବା ଦୃଶ୍ୟ ମଧ୍ୟ ଏହି ଫୁଟେଜରୁ ସାମ୍ନାକୁ ଆସିଛି । ହୋଟେଲଟି ସେହି ସମୟରେ ସମ୍ପୂର୍ଣ୍ଣ ବନ୍ଦ ଥିଲା। ତେଣୁ, ଏତେ ରାତିରେ ସେଠାରେ ଗାଡ଼ି କାହିଁକି ଅଟକିଲା, ସେହି ବ୍ୟକ୍ତିମାନେ କିଏ ଏବଂ ସେମାନଙ୍କର ଉଦ୍ଦେଶ୍ୟ କ’ଣ ଥିଲା, ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ସମ୍ପୃକ୍ତ ହୋଟେଲର ମାଲିକ ଓ ତାଙ୍କ ପୁଅଙ୍କୁ ପଚରାଉଚରା ପାଇଁ ଖୋଜୁଛି ଏସଟିଏଫ୍ । କିନ୍ତୁ ବର୍ତ୍ତମାନ ଉଭୟ ଫେରାର ଅଛନ୍ତି ଏବଂ ମାଲିକଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଛି। ଅନ୍ୟପକ୍ଷରେ, ତଦନ୍ତକାରୀ ଦଳ ହୋଟେଲ ମ୍ୟାନେଜର ଓ ଅନ୍ୟ ତିନି ଜଣ କର୍ମଚାରୀଙ୍କୁ ଅଟକ ରଖି ଲଗାତାର ଜେରା କରୁଛନ୍ତି ।
ଅନ୍ୟ ଏକ ସିସିଟିଭି ଭିଡିଓରେ ଉକ୍ତ କଳା ରଙ୍ଗର ଏସୟୁଭି ରାତି ପ୍ରାୟ ୧୦ଟା ୫୬ ମିନିଟରେ ଦୀଘାର ଏକ ହୋଟେଲ ପାଖ ଦେଇ ଯାଉଥିବା ଦେଖିବାକୁ ମିଳିଛି। ଠିକ୍ ଏହାର କିଛି ସମୟ ପରେ, ଅର୍ଥାତ୍ ରାତି ୧୧ଟା ୩୫ ମିନିଟରେ ସମାନ ଧରଣର ଏକ ଗାଡ଼ି ବିଚିତ୍ରପୁର ଦେଇ ଅତିକ୍ରମ କରୁଥିବାର ଫୁଟେଜ୍ ପୂର୍ବରୁ ଏସଟିଏଫ୍ ହାତରେ ଲାଗିଥିଲା। ଏହି ଦୁଇଟି ଯାକ ସିସିଟିଭି ରେକର୍ଡିଂ ମଧ୍ୟରେ ଥିବା ପ୍ରାୟ ୩୯ ମିନିଟର ବ୍ୟବଧାନ ଏବେ ପୋଲିସର ସନ୍ଦେହକୁ ଦ୍ୱିଗୁଣିତ କରିଛି। ଏହି ୩୯ ମିନିଟ୍ ଭିତରେ ଗାଡ଼ିଟି କେଉଁ ରାସ୍ତା ଦେଇ ଗଲା? ବାଟରେ କେଉଁଠି ଅଟକିଥିଲା କି? ଗାଡ଼ି ଭିତରେ କେଉଁମାନେ ଥିଲେ ଏବଂ ଏହି ଗାଡ଼ିଟି ପ୍ରକୃତରେ ଓରାଙ୍ଗଉଟାନ ଚୋରାଚାଲାଣରେ ବ୍ୟବହାର କରାଯାଇଥିଲା କି ନାହିଁ, ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ତଦନ୍ତକୁ ଆହୁରି ତୀବ୍ର କରାଯାଇଛି ।
ଏହି ସମ୍ବେଦନଶୀଳ ଘଟଣାର ଚେର ଖୋଜିବା ପାଇଁ ଦୀଘା ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିଥିବା ପ୍ରାୟ ୧୦୦ରୁ ଅଧିକ ସିସିଟିଭି କ୍ୟାମେରାର ତନ୍ନ ତନ୍ନ ଯାଞ୍ଚ କରାଯାଉଛି। ଏହି ବ୍ୟାପକ ଖୋଳତାଡ଼ ବେଳେ କିଛି ସନ୍ଦେହଜନକ କାର୍ଯ୍ୟକଳାପର ଗୁରୁତ୍ୱପୂର୍ଣ୍ଣ ସୁରାକ ଏସଟିଏଫ୍ ହାତରେ ଲାଗିଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ୫ଟି ଛୁଆ ଓରାଙ୍ଗଉଟାନ ବର୍ତ୍ତମାନ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସୁରକ୍ଷିତ ଥିବା ବେଳେ, ଏହି ଆନ୍ତର୍ଜାତିକ ରାକେଟର ପର୍ଦ୍ଦାଫାଶ କରିବା ପାଇଁ ଏସଟିଏଫ୍ ଏବେ ଜାଲ ବିଛାଇଛି ।

