Latest Odisha News

BREAKING NEWS

କମିଲା ବର୍ଷା, ଖୋଲିଲା ରାସ୍ତା: ମାଲକାନଗିରିରୁ ଅଟକି ରହିଥିବା ଶହ ଶହ ଗାଡ଼ି ଗଡ଼ିଲା

ମାଲକାନଗିରି: ଦୀର୍ଘ ସମୟର ବନ୍ୟା ସଙ୍କଟ ପରେ ରବିବାର ମାଲକାନଗିରି ଜିଲ୍ଲାରେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଛି । ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜିଲ୍ଲାରେ ଯେଉଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା, ବନ୍ୟାଜଳ ହ୍ରାସ ପାଇବା ପରେ ସେଠାରେ ଏବେ ଆଶ୍ୱସ୍ତିର ନିଶ୍ୱାସ ଛାଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା। ବିଶେଷ କରି ୩୨୬ ନମ୍ବର ଜାତୀୟ ରାଜପଥରେ ପୁନର୍ବାର ଯାତାୟାତ ଆରମ୍ଭ ହୋଇଯାଇଛି ।

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିବା କାରଣରୁ ମାଲକାନଗିରି ଜିଲ୍ଲାର ପ୍ରମୁଖ ପାଞ୍ଚଟି ବ୍ରିଜ୍— ପାଙ୍ଗାମ, ପୋଟେରୁ, କାଙ୍ଗୁରକୋଣ୍ଡା, ଏମଭି-୯୬ ଏବଂ କନ୍ୟାଶ୍ରମ ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ପାଣିର ସ୍ରୋତ ଅଧିକ ଥିବାରୁ ମାଲକାନଗିରିରୁ ମୋଟୁ ଏବଂ ହାଇଦ୍ରାବାଦ ସହିତ ସଡ଼କ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା ।

ଗୁରୁତ୍ୱପୂର୍ଣ୍ଣ ରାଞ୍ଚି-ବିଜୟୱାଡ଼ା ଏନଏଚ୍-୩୨୬ରେ ଯାତାୟାତ ଠପ୍ ହୋଇଯିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ୍, ବସ୍ ଓ ଅନ୍ୟାନ୍ୟ ଯାନବାହନ ଅଟକି ରହିଥିଲା। ଦୀର୍ଘ ସମୟ ଧରି ଖାଦ୍ୟପେୟ ଓ ଆବଶ୍ୟକୀୟ ସୁବିଧା ନପାଇ ଯାତ୍ରୀ ଏବଂ ଡ୍ରାଇଭରମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ତେବେ ବର୍ଷା ପରିମାଣ କମିବା ସହିତ ନଦୀଗୁଡ଼ିକରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଉକ୍ତ ପାଞ୍ଚଟି ବ୍ରିଜ୍ ଉପରୁ ବନ୍ୟାଜଳ ସମ୍ପୂର୍ଣ୍ଣ ସମତଳକୁ ଖସିଯିବା ପରେ ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷିତ ଘୋଷଣା କରାଯାଇଛି । ଏହାପରେ ଅଟକି ରହିଥିବା ଯାନବାହନଗୁଡ଼ିକ ପର୍ଯ୍ୟାୟକ୍ରମେ ନିଜ ନିଜ ଗନ୍ତବ୍ୟସ୍ଥଳ ଆଡ଼କୁ ଯାତ୍ରା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.