ଜାକର୍ତ୍ତା: ଇଣ୍ଡୋନେସିଆରେ ଏକ ବଡ଼ ଧରଣର ନୌ-ଦୁର୍ଘଟଣା ଘଟିଛି । ୨୪୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ଜାହାଜ ସମୁଦ୍ର ମଝିରେ ବୁଡ଼ିଯାଇଛି । ଏହି ଭୟାବହ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଏବେ ବି ପ୍ରାୟ ୧୪୦ ଜଣ ଯାତ୍ରୀ ନିଖୋଜ ଅଛନ୍ତି, ଯାହାକୁ ନେଇ ସେଠାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଜାହାଜଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରୁଥିବା ସମୟରେ ହଠାତ୍ ପାଣିପାଗ ଖରାପ ହୋଇଯାଇଥିଲା। ସମୁଦ୍ରରେ ଉଚ୍ଚ ଢେଉ ଏବଂ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଜାହାଜଟି ନିଜର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଇଣ୍ଡୋନେସିଆର ଜାତୀୟ ଉଦ୍ଧାରକାରୀ ଦଳ, ନୌସେନା ଏବଂ ସ୍ଥାନୀୟ ମତ୍ସ୍ୟଜୀବୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ବର୍ତ୍ତମାନ ସୁଦ୍ଧା ୯୭ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ୬ ଜଣଙ୍କର ମୃତଦେହ ସମୁଦ୍ର ଭିତରୁ ଉଦ୍ଧାର କରାଯାଇଛି । କିନ୍ତୁ ପ୍ରଶାସନର ଚିନ୍ତା ବଢ଼ାଇଛନ୍ତି ସେହି ୧୪୦ ଜଣ ନିଖୋଜ ଯାତ୍ରୀ, ଯେଉଁମାନଙ୍କର ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ । ସମୟ ଗଡ଼ିବା ସହିତ ନିଖୋଜ ଲୋକଙ୍କ ପରିବାରରେ ଆତଙ୍କ ଓ ନିରାଶା ଖେଳିଯାଇଛି । ବନ୍ଦର ନିକଟରେ ସମ୍ପର୍କୀୟମାନଙ୍କର ଭିଡ଼ ଜମିବା ସହ କାନ୍ଦବୋବାଳିରେ ଫାଟି ପଡୁଛି ପରିବେଶ। ସରକାରୀ ସ୍ତରରେ ଏହି ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି ଏବଂ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟକୁ ଆହୁରି ଜୋରଦାର କରିବା ପାଇଁ ଅତିରିକ୍ତ ଟିମ୍ ମୁତୟନ କରାଯାଇଛି ।
ସମୁଦ୍ରରେ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବାଧା ଉପୁଜୁଥିଲେ ମଧ୍ୟ ହେଲିକପ୍ଟର ଓ ଅତ୍ୟାଧୁନିକ ସ୍ପିଡ୍ ବୋଟ୍ ମାଧ୍ୟମରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ, ଇଣ୍ଡୋନେସିଆ ହେଉଛି ୧୭ ହଜାରରୁ ଅଧିକ ଦ୍ୱୀପକୁ ନେଇ ଗଠିତ ଏକ ଦେଶ। ତେଣୁ ସେଠାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଲୋକେ ମୁଖ୍ୟତଃ ଫେରି ବା ଯାତ୍ରୀବାହୀ ଡଙ୍ଗା ଉପରେ ନିର୍ଭର କରିଥାନ୍ତି । କିନ୍ତୁ କ୍ଷମତା ଠାରୁ ଅଧିକ ଯାତ୍ରୀ ନେବା ଏବଂ ସୁରକ୍ଷା ମାନଦଣ୍ଡକୁ ଅଣଦେଖା କରିବା କାରଣରୁ ସେଠାରେ ବାରମ୍ବାର ଏଭଳି ଜଳପଥ ଦୁର୍ଘଟଣା ଘଟୁଛି । ଏହି ଘଟଣାରେ ମଧ୍ୟ ଜାହାଜଟିରେ କ୍ଷମତା ଠାରୁ ଅଧିକ ଲୋକ ଥିଲେ କି ନାହିଁ, ସେ ଦିଗରେ ତଦନ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

