Latest Odisha News

BREAKING NEWS

ଢାକା ବିଶ୍ୱବିଦ୍ୟାଳୟରେ ଫୋଟୋ ବିବାଦ: ବଙ୍ଗବନ୍ଧୁ ଆଉଟ୍, ଜିନ୍ନା ଇନ୍

ଢାକା : ଢାକା ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ଛାତ୍ର ସଂସଦ (ଡୁକ୍ସୁ/DUCSU) ସଂଗ୍ରହାଳୟର ପୁନଃଉଦ୍ଘାଟନ ପରେ ଏଠାରେ ପ୍ରଦର୍ଶିତ ଫଟୋଗ୍ରାଫ୍ ଓ ଐତିହାସିକ ତଥ୍ୟକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ସଂଗ୍ରହାଳୟରୁ ବାଂଲାଦେଶର ଜାତିର ଜନକ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଚିତ୍ର ହଟାଇ ଦିଆଯାଇଥିବା ବେଳେ ପାକିସ୍ତାନର ସଂସ୍ଥାପକ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ତିନୋଟି ଫଟୋ ସାମିଲ କରାଯାଇଛି।

ତେବେ ଜିନ୍ନାଙ୍କ ଫଟୋ ସ୍ଥାନିତ ହେବା ପରେ ବିକ୍ଷୋଭକାରୀ ଛାତ୍ରମାନେ ତାହାକୁ ଚିରି ଫୋପାଡ଼ି ଦେଇଛନ୍ତି। ୧୯୫୨ର ଭାଷା ଆନ୍ଦୋଳନ, ୧୯୬୬ର ଛଅ-ଦଫା ଦାବି, ୧୯୬୯ର ଗଣ-ଅଭ୍ୟୁତ୍ଥାନ ଓ ୧୯୭୧ର ମୁକ୍ତିଯୁଦ୍ଧ ବିଭାଗଗୁଡ଼ିକରୁ ଶେଖ ମୁଜିବୁର ରହମାନଙ୍କ ଏକକ ଫଟୋକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି। କେବଳ ୧୯୭୧ ରୁ ୧୯୭୫ ସମୟସୀମା ମଧ୍ୟରେ ତାଙ୍କ ପୁଅମାନଙ୍କ ବିବାହ ଫଟୋ ଏବଂ କେତେକ ସମ୍ବାଦପତ୍ରର କଟିଂ ରଖାଯାଇଛି। ସଂଗ୍ରହାଳୟରୁ ପ୍ରାକ୍ତନ ନେତା ଗୋଲାମ ରବ୍ବାନୀଙ୍କ ନାମ ହଟାଯାଇଥିବା ବେଳେ ପ୍ରତିବାଦ ସ୍ୱରୂପ ଛାତ୍ରମାନେ ପାକିସ୍ତାନୀ ସହଯୋଗୀ ଗୋଲାମ ଆଜାମଙ୍କୁ ଜୋତା ପ୍ରହାର କରାଯାଉଥିବା ଫଟୋ ସେଠାରେ ଲଗାଇଛନ୍ତି। ସଂଗ୍ରହାଳୟର ପୁନର୍ଗଠନ ଦାୟିତ୍ୱରେ ଥିବା ପ୍ରତିନିଧିଙ୍କ ଅନୁସାରେ, ଇତିହାସର ନିରପେକ୍ଷ ଉପସ୍ଥାପନ ପାଇଁ ଏହି ବଦଳ କରାଯାଇଛି।

ଏହା ବ୍ୟତୀତ ସଂଗ୍ରହାଳୟରେ ଏ.କେ. ଫଜଲୁଲ ହକ୍, ଅବଦୁଲ ହାମିଦ ଖାନ ଭାସାନୀ, ରବୀନ୍ଦ୍ରନାଥ ଠାକୁର, କାଜୀ ନଜରୁଲ ଇସଲାମ, ଜିଆଉର ରହମାନ, ଓ ଖାଲେଦା ଜିଆଙ୍କ ଭଳି ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଫଟୋ ସ୍ଥାନ ପାଇଛି। ଏଥିସହ ୧୯୮୦ ଦଶକର ଏରଶାଦ-ବିରୋଧୀ ଆନ୍ଦୋଳନ, ୨୦୧୩ର ଶାହବାଗ ପ୍ରଦର୍ଶନ, ୨୦୨୦ର ମୋଦୀ-ବିରୋଧୀ ବିକ୍ଷୋଭ, ଏବଂ ୨୦୨୪ର ଜୁଲାଇ ଛାତ୍ର ଆନ୍ଦୋଳନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି।

Leave A Reply

Your email address will not be published.